ଟାଟା ସ୍ବେଚ୍ଛାସେବୀ ସପ୍ତାହ ଅଭିଯାନ
ବ୍ରହ୍ମପୁର, ୦୭/୧୦- ସାମାଜିକ ଦାୟିତ୍ବବୋଧ ଏବଂ ଗୋଷ୍ଠୀ ସଶକ୍ତୀକରଣ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ପକ୍ଷରୁ ଏନଜିଓ ମିଟ୍ ଆୟୋଜିତ ହୋଇଛି। ଟାଟା ସ୍ବେଚ୍ଛାସେବୀ ସପ୍ତାହ ଅଭିଯାନରେ ଏହି କାର୍ଯ୍ୟକ୍ରମ କରାଯାଇଛି। ଏନଜିଓଗୁଡ଼ିକ ସହିତ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଜିଓ ସଂସ୍ଥାଗୁଡିକ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। କମ୍ପାନୀ ଏବଂ ଏନଜିଓ ମଧ୍ୟରେ ସହଯୋଗ ବୃଦ୍ଧି କରିବା ଏହାର ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀ ପକ୍ଷରୁ ଶିକ୍ଷା, ଜୀବିକା, ସ୍ୱାସ୍ଥ୍ୟସେବା ଏବଂ ସାମାଜିକ କଲ୍ୟାଣ କ୍ଷେତ୍ରରେ ପଦକ୍ଷେପ ନେବା ସହ ଲୋକଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।ଏହି ଏନଜିଓ ବୈଠକରେ ୫ଟି ପ୍ରମୁଖ ଏନଜିଓ ଅନୁଷ୍ଠାନ- ପ୍ରଥମ ଏଜୁକେସନ ଫାଉଣ୍ଡେସନ, ପ୍ରଗତି, ଏଏଲଆଇଜି, ଆଡେଣ୍ଟ ଏବଂ ପ୍ରେମ ଏନଜିଓ ଉପସ୍ଥିତ ଥିଲେ। ଏହି ସଂସ୍ଥାଗୁଡିକ ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲର ସିଏସଆର୍ ପଦକ୍ଷେପର ସଫଳ ରୂପାୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଅବହେଳିତ ଗୋଷ୍ଠୀଙ୍କ ପାଇଁ ଡିଜିଟାଲ ସାକ୍ଷରତା ଶିକ୍ଷା, ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଜୀବିକା ସୁଯୋଗ ସୃଷ୍ଟି ଭଳି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ଆଣିବାରେ ଏହି ସଂସ୍ଥାଗୁଡ଼ିକ ସହାୟକ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ଏନଜିଓ ସେମାନଙ୍କର ପ୍ରକଳ୍ପ ଓ ସର୍ବୋତ୍ତମ ଅଭ୍ୟାସ ସମ୍ପର୍କରେ ଉପସ୍ଥାପନ କରିବା ସହ ସାମାଜିକ ପଦକ୍ଷେପର ପ୍ରଭାବକୁ ବୃଦ୍ଧି କରିବା ବିଷୟରେ ଆଲୋଚନା କରିଥିଲେ। ଏଭଳି ପ୍ରୟାସକୁ ଆହୁରି ବ୍ୟାପକ କରିବା ପାଇଁ ଆହ୍ୱାନ ଏବଂ ସୁଯୋଗ ଚିହ୍ନଟ କରିବା ଉପରେ ଆଲୋଚନା ହୋଇଥିଲା । ଏହା ଦ୍ବାରା ଦକ୍ଷିଣ ଓଡ଼ିଶାର କୋଣ ଅନୁକୋଣରେ ଏହି ପଦକ୍ଷେପର ସୁଫଳ ପହଞ୍ଚିପାରିବ। ଗୋଷ୍ଠୀ କଲ୍ୟାଣ ପାଇଁ ଟିପିଏସ୍ଓଡିଏଲର ପ୍ରତିବଦ୍ଧତା ଉପରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଗୁରୁତ୍ୱାରୋପ କରିଥିଲେ । ସେ ଏନଜିଓ ପ୍ରତିନିଧି ଏବଂ ସିଏସଆର୍ ଟିମକୁ ଟେଲିଫୋନ୍ ଯୋଗେ ସମ୍ବୋଧିତ କରିଥିଲେ। ଶ୍ରୀ ଗର୍ଗ କହିଛନ୍ତି, “ଏନଜିଓଗୁଡ଼ିକ ସହ ଭାଗିଦାରୀ ଆମର ସିଏସଆର୍ ପଦକ୍ଷେପର ମେରୁଦଣ୍ଡ । ଦକ୍ଷିଣ ଓଡ଼ିଶାର ଲୋକେ ସମ୍ମୁଖୀନ ହେଉଥିବା ସାମାଜିକ ଆହ୍ୱାନର ମୁକାବିଲା ଦିଗରେ ଆମେ ମିଳିତ ଭାବେ ଉଲ୍ଲେଖନୀୟ ପ୍ରଗତି କରୁଅଛୁ। ଏହି ବୈଠକ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ଅଭିବୃଦ୍ଧି ଏବଂ ଅନ୍ତର୍ଭୁକ୍ତୀକରଣ ଦିଗରେ ଆମର ମିଳିତ ମିଶନକୁ ସୁଦୃଢ଼ କରିବ।”ଏହି ବୈଠକରେ ଟିପିଏସ୍ଓଡିଏଲର ସିଏସଆର୍ ମୁଖ୍ୟ ଉପସ୍ଥିତ ଥିବା ବେଳେ ଅନ୍ୟ ୩ଟି ଓଡ଼ିଶା ଡିସକମର ସିଏସଆର୍ ମୁଖ୍ୟମାନେ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ସେମାନେ ନିଜର ଅଭିଜ୍ଞତା ବାଣ୍ଟିବା ସହ ଏନଜିଓଗୁଡ଼ିକୁ ସାମାଜିକ ଉନ୍ନତି ଦିଗରେ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଦେଇଥିଲେ। ବର୍ତ୍ତମାନ ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାରେ ଡିଜିଟାଲ ସାକ୍ଷରତା ଅଭିଯାନ, କ୍ଲବ ଏନର୍ଜି, ଉଭୟ କୃଷି ଏବଂ ଅଣକୃଷି କ୍ଷେତ୍ରରେ ଜୀବିକା ସୃଷ୍ଟି, ଅନୋଖା ଧାଗା, ଯୁବକମାନଙ୍କ ପାଇଁ ଧନ୍ଦାମୂଳକ ତାଲିମ କେନ୍ଦ୍ର, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଏବଂ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ସମେତ ବିଭିନ୍ନ ପଦକ୍ଷେପ ନେଉଅଛି।
