ଏଏସଆଇର ମନମାନୀ ବିରୋଧରେ ଜିଲ୍ଲାପାଳ ଓ ଏସପିଙ୍କୁ ଦାବୀପତ୍ର।
କୋଣାର୍କ:- କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଦାୟିତ୍ଵରେ ରହିଥିବା କେନ୍ଦ୍ରୀୟ ସଂସ୍ଥା ଏଏସଆଇର ମନମାନୀ ଯୋଗୁଁ ସ୍ଥାନୀୟ ନବଗ୍ରହ ମନ୍ଦିର ପୂଜକ, ଫଟୋଗ୍ରାଫର, ଗାଇଡ ସମେତ ହସ୍ତଶିଳ୍ପ ବ୍ୟବସାୟୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ୧୯୯୬ ମସିହା ଠାରୁ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଲାଗୁ କରାଯାଇ ବାର୍ଷିକ କୋଟି କୋଟି ଟଙ୍କା ଆଦାୟ କରାଯାଉଥିବା ବେଳେ ଦୀର୍ଘ ୩୦ ବର୍ଷ ଭିତରେ କୌଣସି ଆଖି ଦୃଶିଆ କାର୍ଯ୍ୟ ସଂସ୍ଥା ପକ୍ଷରୁ କରାଯାଇନଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପେଟ ପାଟଣାକୁ ଲାତ ମାରିବା କାର୍ଯ୍ୟ କରିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କୋଣାର୍କ ଅଞ୍ଚଳରେ କୌଣସି କଳ କାରଖାନା ନଥିବାରେ ସୂର୍ଯ୍ୟ ମନ୍ଦିର ପ୍ରତ୍ୟେକ୍ଷ ଭାବରେ ସ୍ଥାନୀୟ ଲୋକଙ୍କ ଭାତ ହାଣ୍ଡି ହୋଇଥିବା ବେଳେ ଏଏସଆଇ କର୍ତ୍ତୃପକ୍ଷ ଏଥିରେ ବିଭିନ୍ନ ଆଳ ଦେଖାଇ ହଇରାଣ ହରକତ କରୁଥିବା ସାଧାରଣରେ ତୀବ୍ର ଅସନ୍ତୋଷ ବିଷୟ ହୋଇଛି। ବିଭିନ୍ନ ସମୟରେ ବିଭିନ୍ନ ନୀତି ନିୟମ ଦେଖାଇ ସ୍ଥାନୀୟ ବାସିନ୍ଦା ମାନଙ୍କୁ ରୋକ୍ ଲଗାଇ ହଇରାଣ କରିବା ପାଇଁ ପ୍ରୟାସ କରିବା ନଜିର ରହିଛି।

ଗତ ସପ୍ତାହରେ ସୂର୍ଯ୍ୟ ମନ୍ଦିର ପ୍ରସ୍ଥାନ ଗେଟକୁ ଏ ଏସ ଆଇ ବନ୍ଦ କରିଦେବାରେ ପର୍ଯ୍ୟଟକ ନବଗ୍ରହ ଦର୍ଶନରୁ ବଞ୍ଚିତ ହେବା ସହ ମନ୍ଦିର ସେବାୟତଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରାଯାଇଥିଲା। ସେହିପରି ସୁର୍ଯ୍ୟମନ୍ଦିର ମୁଖ୍ୟ ଫାଟକକୁ ବର୍ଷ ତମାମ ତାଲା ପକାଇ ରଖିବା ଓ ପରବର୍ତ୍ତୀ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ମୁଖ୍ୟ ଫାଟକରୁ ତାଲା ଖୋଲାଯିବା ଘଟଣା ପରିଲିଖିତ ହୋଇଛି। ଏହି ସବୁ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ନବଗ୍ରହ ମନ୍ଦିରର ପୂଜକ ଏବଂ ବିଭିନ୍ନ ବ୍ୟବସାୟୀ ଭାଇମାନେ ସମସ୍ୟାର ସମ୍ମୁଖୀନ ହେବାରୁ ବୁଧବାର ଦିନ କୋଣାର୍କ ଅଞ୍ଚଳର କିଛି ଜନପ୍ରତିନିଧି, ସେବାୟତ ଓ ବ୍ୟବସାୟୀ ମାନେ ପୁରୀ ଜିଲ୍ଲାପାଳଙ୍କ ସମେତ ଏସପିଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇବା ସହ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି। କୋଣାର୍କ ଏନ୍ଏସି ର କାଉନସିଲର ସୌମ୍ୟ ସୋରଭ ଦାଶଙ୍କ ସହ ଜଗତସିଂପୁର ସାଂସଦଙ୍କ କୋଣାର୍କ ପ୍ରତିନିଧି ମଙ୍ଗରାଜ ମୁଦୁଲି, ବିଜେପି ନେତା ରଶ୍ମୀରଞ୍ଜନ ବିଶ୍ୱାଳ ଓ ନବଗ୍ରହ ମନ୍ଦିରର ବରିଷ୍ଠ ସେବାୟତ ବୃନ୍ଦ ପ୍ରମୁଖ ଜିଲ୍ଲାପ୍ରଶାସନର ଅଧିକାରୀ ମାନଙ୍କୁ ଭେଟି ଉପୁଜି ଥିବା ସମସ୍ୟାର ସମାଧାନ ପାଇଁ ଅବଗତ କରାଇଛନ୍ତି।
