ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ଦ୍ବାଦଶାହ ଦିବସ ପାଳନ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ଆସିକା:-28/10 ୨୦୨୪: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ବ୍ରହ୍ମପୁର ସବଜୋନର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ମଞ୍ଜୁ ଦିଦିଙ୍କ ଦ୍ବାଦଶାହ ଦିବସ ପାଳନ ଉପଲକ୍ଷେ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରର ଅଡିଟୋରିୟମ ହଲରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟ ମାଉଣ୍ଟ ଆବୁରୁ ପଦାର୍ପଣ କରିଥିବା ସନ୍ଦେଶ ବାହିକା ରାଜଯୋଗିନୀ ବ୍ରହ୍ମାକୁମାରୀ ରୁକ୍ମିଣୀ ଦିଦି ମୁଖ୍ୟବକ୍ତା ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଦିବଂଗତ ମଞ୍ଜୁ ଦିଦିଙ୍କ ସ୍ମୃତିଚାରଣ କରି ନିଜ ବକ୍ତବ୍ୟରେ କହିଥିଲେ ଯେ, ଭଗିନୀ ମଞ୍ଜୁ ଜଣେ ମମତାମୟୀ, କରୁଣାମୟୀ, ଶକ୍ତିସ୍ବରୂପା, ସରଳ, ନିଷ୍କପଟ, ଅମାୟିକ, ମିଷ୍ଟଭାଷିଣୀ ତଥା ସମଭାବ ସମ୍ପନ୍ନ ଚିନ୍ତାଧାରାର ଉଦାର ବ୍ୟକ୍ତିତ୍ବ ଥିଲେ । ସେ ଯେକୌଣସି ଜଟିଳ ପରିସ୍ଥିତି ସମସ୍ୟାକୁ ସମାଧାନ ସ୍ବରୂପ ସ୍ଥିତିରେ ରହି ନିୟନ୍ତ୍ରଣ କରିପାରୁଥିଲେ। ଆଧ୍ୟାତ୍ମିକ ଜ୍ଞାନକୁ ସରଳତାର ସହ ହୃଦବୋଧ କରାଇବାରେ ସେ ଜଣେ ସିଦ୍ଧହସ୍ତ ବ୍ୟକ୍ତିତ୍ବ ଥିଲେ । ସମ୍ମାନନୀୟ ବକ୍ତା ରୂପେ ମାଉଣ୍ଟ ଆବୁର ଆବାସ-ନିବାସ ବିଭାଗ ମୁଖ୍ୟ ବ୍ରହ୍ମାକୁମାର ଦେବ ଭାଇ କହିଥିଲେ ଯେ ମଞ୍ଜୁ ଦିଦିଙ୍କ ସାମାଜିକ ଦାୟିତ୍ବବୋଧ, ଦୂରଦୃଷ୍ଟି ସମ୍ପନ୍ନ ଓ ସମୟୋପଯୋଗୀ ଆଧ୍ୟାତ୍ମିକ ନେତୃତ୍ବ ବଳରେ ସମାଜରେ ନୈତିକତା ଏବଂ ଚାରିତ୍ରିକତା ପ୍ରଚାର ପ୍ରସାର ସମ୍ଭବ ହୋଇଥିଲା । ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କେମିକଲ୍ସର ବିଭାଗୀୟ ମୁଖ୍ୟ ଭ୍ରାତା ଅଜୟ ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ, ସ୍ବର୍ଗତା ମଞ୍ଜୁ ଦିଦି ଜଣେ ଋଷିପ୍ରତିମ ଆଧ୍ୟାତ୍ମିକ ମୂଲ୍ୟ ସମ୍ପନ୍ନ ବ୍ୟକ୍ତିତ୍ବ ଥିଲେ । ସ୍ଥାନୀୟ ବି.ଏସ୍.ଇ.ଟି ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ଭ୍ରାତା ଦୀପକ ରାଓ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ମଞ୍ଜୁ ଦିଦି ଉକ୍ତ ଆଧ୍ୟାତ୍ମିକ ଅନୁଷ୍ଠାନକୁ ବୈଶ୍ବିକ ସ୍ତରର ନେତୃତ୍ବ ପ୍ରଦାନ କରିଥିଲେ ବୋଲି କହିଥିଲେ । ବ୍ରହ୍ମାକୁମାରୀସ୍ ଗଞ୍ଜାମ ଓ ଗଜପତି ସହ ସଞ୍ଚାଳିକା ବ୍ରହ୍ମାକୁମାରୀ ଭଗିନୀ ମାଳା ମଞ୍ଜୁ ଦିଦିଙ୍କ ଆଜୀବନ ସେବାଧାରୀ, ତ୍ୟାଗୀ, ତପସ୍ବୀ ସ୍ବରୂପ ଜୀବନର ବର୍ଣ୍ଣନାପୂର୍ବକ ସେ ସମୁଦାୟ ବ୍ରହ୍ମପୁର ସବଜୋନର ଆତ୍ମାମାନଙ୍କୁ ଭବିଷ୍ୟ ଦିଗଦର୍ଶନ ଦେଇ ଲକ୍ଷ୍ୟ ସ୍ଥଳରେ ନିଶ୍ଚୟ ପହଞ୍ଚାଇବେ ବୋଲି ମତ ପ୍ରକାଶ କରିଥିଲେ । ବ୍ରହ୍ମାକୁମାରୀ ଋକ୍ମିଣୀ ଦିଦି ମଞ୍ଜୁ ଦିଦିଙ୍କ ନିମନ୍ତେ ଭୋଗ ସ୍ବୀକାର ପୂର୍ବକ ଅବ୍ୟକ୍ତ ସୂକ୍ଷ୍ମ ଲୋକରୁ ପ୍ରାପ୍ତ ସନ୍ଦେଶରେ ସେ କିପରି ଆଧ୍ୟାତ୍ମିକ ପୁରୁଷାର୍ଥ ବା ସାଧନାରେ ସିଦ୍ଧହସ୍ତା ହୋଇ ବର୍ତ୍ତମାନ ନିଜର ପ୍ରକାଶମୟ ସୂକ୍ଷ୍ମ ଶରୀର ମାଧ୍ୟମରେ ସମସ୍ତ ବିଶ୍ବ ଆତ୍ମାଙ୍କ ଉଦ୍ଧାର ନିମନ୍ତେ ଅଗ୍ରଦୂତ ସାଜି ନିଜ କର୍ତ୍ତବ୍ୟ କରି ଚାଲିଥିବେ ତାହା ବର୍ଣ୍ଣନା କରିଥିଲେ । ମାଉଣ୍ଟଆବୁର ଭ୍ରାତା ଦୀପକ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମଞ୍ଜୁ ଭଉଣୀଙ୍କ 60 ବର୍ଷର ଈଶ୍ବରୀୟ ପାଳନା ପ୍ରଦାନ ବର୍ଣ୍ଣନା କରିଥିଲେ । ମାଉଣ୍ଟ ଆବୁର ଭ୍ରାତା ରମେଶ ଏବଂ ନୀତିଶ ତଥା ଏମ.କେ.ସି.ଜି ମେଡିକାଲ କଲେଜର ଭେଷଜ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭ୍ରାତା ଚନ୍ଦନ ଗନ୍ତାୟତ ମଞ୍ଜୁ ଦିଦିଙ୍କ ଆଧ୍ୟାତ୍ମିକ ଜୀବନୀର ବର୍ଣ୍ଣନା ସହ ସ୍ମୃତି ଶୋକ ସଂଗୀତ ଗାନ କରିଥିଲେ । ମଞ୍ଜୁ ଦିଦିଙ୍କୁ ଚିକିତ୍ସା କରୁଥିବା ଏମ. କେ. ସି. ଜି ମେଡିକାଲ କଲେଜର chest and T. B ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭ୍ରାତା ପ୍ରିୟଜିତ ଜେନା ତଥା ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ପ୍ରକାଶ ଚନ୍ଦ୍ର ପାତ୍ର ଆଧ୍ୟାତ୍ମିକ ପାଳନାର ସଂସ୍କାରରେ ପରିପୂର୍ଣ୍ଣ ଦିଦିଙ୍କ ସମ୍ପର୍କରେ କହିଥିଲେ ଯେ, ସ୍ବର୍ଗତ ମଞ୍ଜୁ ଦିଦି ଜଣେ ଅସରନ୍ତି ସମ୍ଭାବନାର ଗନ୍ତାଘର ସଦୃଶ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୌହାଟୀ ସବଜୋନରୁ ଆଶା ଦିଦି, ସିକନ୍ଦରାବାଦ ସବଜୋନର ଅନିତା ଦିଦି, ଭୁବନେଶ୍ବର ସବଜୋନର ଭଗିନୀ ଲୀନା, ଭ୍ରାତା ନିର୍ମଳ, ନବକୃଷ୍ଣ, ଜାନକୀ ଏବଂ ବିନୋଦ, କଟକ ସବଜୋନର ଭ୍ରାତା ନଥମଲ, ଗୋପାଳ, ଆନନ୍ଦ, ନବରଙ୍ଗପୁର ସବଜୋନର ଭଗିନୀ ନମିତା, ଶ୍ରୀମତୀ, ଭ୍ରାତା କପିଳ, ଅଶ୍ବିନୀ, ସୁନ୍ଦରଗଡ ସବଜୋନର ଭ୍ରାତା ବାଣେଶ୍ବର, ଜୟପୁରର ଜୟନ୍ତୀ, ବୀର ପ୍ରସାଦ, ମାଉଣ୍ଟ ଆବୁର ଭ୍ରାତା ରଘୁନନ୍ଦନ, ପୁରୀ ସବଜୋନର ବ୍ରହ୍ମାକୁମାରୀ ନିରୂପମା, ପ୍ରତିମା, ଭ୍ରାତା ରବିଙ୍କ ସମେତ ଭାରତ ବର୍ଷର ବ୍ରହ୍ମାକୁମାରୀ ପରିବାର ଉପସ୍ଥିତ ରହି ଦିବଂଗତ ଆତ୍ମାଙ୍କ ସ୍ମାରକୀ ସ୍ଥଳରେ ସ୍ଥିତ ଫଟୋଚିତ୍ରରେ ପୁଷ୍ପାଞ୍ଜଳି, ଶ୍ରଦ୍ଧାଞ୍ଜଳି, ଭାବାଞ୍ଜଳି ଓ ସ୍ନେହାଞ୍ଜଳି ଅର୍ପଣ ପୂର୍ବକ ଅମର ଆତ୍ମାଙ୍କ ସଦଗତି କାମନା କରିଥିଲେ । ଏହି ଅବସରରେ ସହରର ଅନେକ ମାନ୍ୟଗଣ୍ୟ ପ୍ରତିଷ୍ଠିତ ବ୍ୟକ୍ତି, ଚିକିତ୍ସିକ, ସାମ୍ବାଦିକ, ସମାଜସେବୀ ତଥା ରାଜନୀତିଜ୍ଞ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ 400 ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *