ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରି ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦ୍ଘାଟନ

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରି ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦ୍ଘାଟନ |ଭୁବନେଶ୍ୱର, 30.10.2024 _ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରି ଠାରେ ଆନୁଷ୍ଠାନିକ ଭାବେ ଏକ ନୂତନ ପାସେଞ୍ଜର ହଲ୍ଟ ଯାତ୍ରୀ ମାନଙ୍କୁ ସମର୍ପିତ କରାଯାଇଅଛି ଯାହା ଏହି ଅଞ୍ଚଳର ପରିବହନ ଭିତ୍ତିଭୂମିରେ ଏକ ଉଲ୍ଲେଖନୀୟ ଉନ୍ନତି ଘଟାଇଛି। ଅଟ୍ରି ପାସେଞ୍ଜର ହଲ୍ଟ ଉଦ୍‌ଘାଟନୀ ସମାରୋହରେ ଭୁବନେଶ୍ୱରର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବେଗୁନିଆର ମାନ୍ୟବର ବିଧାୟକ ଶ୍ରୀ ପ୍ରଦିପ କୁମାର ସାହୁ ଓ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ. ଏସ. ବଜୱାଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି | ଅଟ୍ରି ଏହାର ଉସ୍ମ ପ୍ରସବଣ ଝରଣା ଜଳ ପାଇଁ ପ୍ରସିଦ୍ଧ ଏବଂ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ଅଛି ଯାହା ଏହି ନୂତନ ହଲ୍ଟକୁ ଉଭୟ ସ୍ଥାନୀୟ ବାସିନ୍ଦା ଏବଂ ପରିଦର୍ଶକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯାତାୟାତ ସୁବିଧା ପ୍ରଦାନ କରିବ | ଅଟ୍ରି ପାସେଞ୍ଜର ହଲ୍ଟ ଠାରେ ଦଶପଲ୍ଲା-ଭୁବନେଶ୍ୱର ମେମୁ ପ୍ରଥମ ଟ୍ରେନ ଭାବେ ରହଣି ପ୍ରଦାନ କରିଛି |ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ଅଭିଭାଷଣ ସମୟରେ ରେଳମନ୍ତ୍ରୀଙ୍କୁ ଉପସ୍ଥାପନ କରିଥିବା ଅଞ୍ଚଳର ଜନସାଧାରଣଙ୍କ ଦାବୀ ତଥା ଆକାଂକ୍ଷା ପୂରଣ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି |ଅଟ୍ରି ପାସେଞ୍ଜର ହଲ୍ଟ ନିର୍ମାଣ କ୍ଷେତ୍ରରେ ପ୍ରାୟ ₹58 ଲକ୍ଷ ଟଙ୍କା ବ୍ୟୟ କରାଯାଇଅଛି ଯେଉଁଥିରେ 467 ମିଟର ଦୈର୍ଘ୍ୟ ପ୍ଲାଟଫର୍ମ, ଛଅ ଗୋଟି ଛୋଟ ଯାତ୍ରୀ ଆଶ୍ରୟସ୍ଥଳୀ ଏବଂ 30 ଜଣଙ୍କ ବସିବା କ୍ଷମତା ବିଶିଷ୍ଟ ଛଅ ଗୋଟି ବେଞ୍ଚ ଉପଲବ୍ଧ ଅଛି | ଏହା ସହିତ ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ଭ୍ରମଣ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ 14 ଟି ଲାଇଟ ପୋଷ୍ଟ, ଏକ ନଳକୂଅ ଏବଂ ଏକ ବୁକିଂ କାଉଣ୍ଟର ସୁବିଧା ଗୁଡିକ ଅନ୍ତର୍ଭୁକ୍ତ ଅଛି |ଏହି ବିକାଶ ସ୍ଥାନୀୟ ପର୍ଯ୍ୟଟନକୁ ବୃଦ୍ଧି କରାଇବା ସହିତ ଉକ୍ତ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଉନ୍ନତ ଗମନାଗମନ ସଂଯୋଗ ଯୋଗାଇବ ଏବଂ ଏହି ଅଞ୍ଚଳର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ସକରାତ୍ମକ ଯୋଗଦାନ ଦେବ ବୋଲି ଆଶା କରାଯାଉଛି |ତୁରନ୍ତ ଅଟ୍ରି ପାସେଞ୍ଜର ହଲ୍ଟ ଠାରେ ତିନି ଗୋଟି ଟ୍ରେନ ରହଣି ପାଇଁ ବ୍ୟବସ୍ଥା କରାଯାଇଅଛି | ଏହି ଟ୍ରେନ୍ ଗୁଡିକ ହେଉଛି ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ, ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ ଏବଂ ପୁରୀ-ଦଶପଲ୍ଲା-ପୁରୀ ମେମୁ ପାସେଞ୍ଜର ଟ୍ରେନ |ଭଦ୍ରକରୁ ଛାଡୁଥିବା 08555/08556 ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ ଅଟ୍ରିରେ ପୂର୍ବାହ୍ନ 10ଘ.36ମି.ରେ ପହଞ୍ଚି ପୂର୍ବାହ୍ନ 10ଘ.37ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଦଶପଲ୍ଲା ଠାରୁ ଏହି ଟ୍ରେନ ଅଟ୍ରି ଠାରେ ସନ୍ଧ୍ୟା 5ଘ.55ମି.ରେ ପହଞ୍ଚି ସନ୍ଧ୍ୟା 5ଘ.56ମି.ରେ ଭଦ୍ରକ ଅଭିମୁଖେ ଯାତ୍ରା କରିବ |ଭୁବନେଶ୍ୱରରୁ ଛାଡୁଥିବା 08429/08430 ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ ମେମୁ ଅଟ୍ରିରେ ପୂର୍ବାହ୍ନ 10ଘ.51ମି.ରେ ପହଞ୍ଚି ପୂର୍ବାହ୍ନ 10ଘ.52ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଏହି ଟ୍ରେନ ଅଟ୍ରି ଠାରେ ସନ୍ଧ୍ୟା 5ଘ.14ମି.ରେ ପହଞ୍ଚି ସନ୍ଧ୍ୟା 5ଘ.15ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ |ପୁରୀରୁ ଛାଡୁଥିବା 08423/08424 ପୁରୀ-ଦଶପଲ୍ଲା-ପୁରୀ ମେମୁ ଅଟ୍ରି ଠାରେ ସନ୍ଧ୍ୟା 7 ଘ.40 ମି.ରେ ପହଞ୍ଚି ସନ୍ଧ୍ୟା 7 ଘ.41 ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ଏହି ଟ୍ରେନ ଅଟ୍ରି ଠାରେ ସକାଳ 7 ଘ.52 ମି.ରେ ପହଞ୍ଚି ସକାଳ 7 ଘ.53 ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ |

Leave a Reply

Your email address will not be published. Required fields are marked *