ବର୍ଷକୁ ଥରେ ଦକ୍ଷିଣ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ ପାଇଁ ବୀରଗୋବିନ୍ଦପୁର ରେ ଭକ୍ତ ସମାବେଶ

ସାକ୍ଷୀଗୋପାଳ,ସ୍ଥାନୀୟ ଵୀରଗୋଵିନ୍ଦପୁର ଗ୍ରାମରେ ମା’ ଦକ୍ଷିଣକାଳୀ ପୂଜାପାଇଁ ଶୁକ୍ରବାର ଚଳଚଞ୍ଚଳ ହୋଇଥିଲା। ବର୍ଷକୁ ଥରେ କାଳୀପୂଜା ଅବସରରେ ଦେବୀଙ୍କ ମୃଣୟୀମୂର୍ତୀ ଦର୍ଶନ ସୁଯୋଗ ମିଳିଥାଏ।ଗୁରୁବାର ବିଳମ୍ବିତ ରାତିରେ ଦେବୀ ଙ୍କ ମୃଣ୍ମୟୀ ମୂର୍ତ୍ତି ପ୍ରତିଷ୍ଠାହୋମ, ପ୍ରାଣପ୍ରତିଷ୍ଠା, ଜୀବନ୍ୟାସ, ମହାଭୈରବୀ ବେଶ, ଜପ, ବାମାଙ୍ଗୀପୂଜା, ଉପଚାର, ଆଳତି, ନୈଵେଦ୍ୟ , ଆଳତି ଅନୁଷ୍ଠିତ ହୋଇଥିଲା। ମା’ଙ୍କର ଅତିପ୍ରିୟ ମହାପ୍ରସାଦ ଲାଗି, ପୋଡ଼ାବଳି ଅର୍ପଣ କରାଯାଇଥିଲା। ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା। ଶୃଙ୍ଖଳିତ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ପୁରୀ ଅତିରିକ୍ତ ଏସ୍ ପି ବିଷ୍ଣୁ ପ୍ରସାଦ ପତି, ପିପିଲି ଏସ ଡି ପିଓ ବିରଞ୍ଚି ନାରାୟଣ ପତ୍ତି ,ସତ୍ୟବାଦୀର ଆଇ ଆଇ ସି ଉମେଶ କୁମାର ସାହୁ ଙ୍କ ସମେତ ସ୍ଥାନୀୟ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ବିଡ଼ିଓ ଲିପ୍ସା ରାୟ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ରହି ଥିଲେ। ଭିଡ଼ ନିୟନ୍ତ୍ରଣ ନିମନ୍ତେ ୩ ଜଣ ଡ଼ିଏସପି, ୮ ଜଣ ଇନ୍ସପେକ୍ଟର , ୩ ପ୍ଲାଟୁନ ପୋଲିସି ଫୋର୍ସ , ୪୫ ଜଣ କନେଷ୍ଟବଳ ଓ ୮୬ ଜଣ ଗୃହରକ୍ଷୀ ମୁତୟନ କରାଯାଇଥିଲା। ଭକ୍ତଙ୍କ ଦର୍ଶନ  ସହିତ ପାର୍କିଙ୍ଗ ଆଶୁଚିକିତ୍ସା , ପାନୀୟ ଜଳ, ପରିମଳ, ବିଦ୍ୟୁତ ସେବା ଦିଗରେ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ନିମନ୍ତେ ଏକ ଟିମି ସହ ଅଧିକାରୀ ମନୋଜ ପାତ୍ର ଉପସ୍ଥିତ ରହିଥିଲେ । ମୁଖ୍ୟପୂଜକ ଅଗାଧୁ ଦୀକ୍ଷିତ, ଦେବୀ ପ୍ରସାଦ ଦିକ୍ଷୀତ, ପ୍ରଫୁଲ୍ଲ ଦୀକ୍ଷିତ, କାଶିନାଥ ମିଶ୍ର ପ୍ରମୁଖ ପୂଜାନୀତି କରିଥିଲେ। ଗ୍ରାମ କୋଠ କମିଟି ସଦସ୍ୟମାନେ ଯାତ୍ରା ପରିଚାଳନା କରିଥିଲେ। ବିଳମ୍ବିତ ରାତିରେ ବୀରଗୋବିନ୍ଦପୁରରେ ମା’ଦକ୍ଷିଣକାଳୀଙ୍କ ବିସର୍ଜନ ଶୋଭାଯାତ୍ରା ଚନ୍ଦନ ପୁର ଭାର୍ଗବୀ ନଦୀରେ ଭସାଣି ହୋଇଥିଲା।

Leave a Reply

Your email address will not be published. Required fields are marked *