ଗୋହତ୍ୟା ନିଷିଦ୍ଧ ପାଇଁ ସମ୍ବିଧାନରେ ନିୟମ ପ୍ରଣୟନ ହେଉ

*ଗୋହତ୍ୟା ନିଷିଦ୍ଧ ପାଇଁ ସମ୍ବିଧାନରେ ନିୟମ ପ୍ରଣୟନ ହେଉ।*ଆଜିର ସଂଧ୍ୟା ସୁରଭି ସତସଙ୍ଗରେ ଗୋ ନବରାତ୍ର ମହୋତ୍ସବର ସଭାପତି ସ୍ବାମୀ ସମର୍ପଣାନନ୍ଦ ଗିରିନିଜ ଆଶିର୍ବଚନରେ କହିଥିଲେ ଯେ ଭାରତର ମୁସଲମାନ ଶାସକମାନେ ଗୋହତ୍ୟା ନିଷିଦ୍ଧ କରିଥିଲେ। କିନ୍ତୁ ଏହା ଆମର ଦୁର୍ଭାଗ୍ୟ ଯେ ସ୍ଵାଧୀନ ଭାରତର ଆମ ଶାସକମାନେ ସମ୍ବିଧାନ ପ୍ରଣୟନ ସମୟରେ ଗୋହତ୍ୟା ନିଷିଦ୍ଧ ପାଇଁ ନିୟମ ପ୍ରଣୟନକୁ ବିରୋଧ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ।ବୃନ୍ଦାବନରୁ ଆସିଥିବା ପୂଜ୍ୟ ଦୟାନିଧି

ଦାସ ମହାରାଜ, ଗୋମାତାଙ୍କୁ ଆନନ୍ଦ ପ୍ରଦାନ କରୁଥିବାରୁ, ଦେବରାଜ ଇନ୍ଦ୍ର ଭଗବାନ୍ କୃଷ୍ଣଙ୍କର ନାମ ଗୋବିନ୍ଦ ରଖିଥିଲେ ବୋଲି ସୂଚନା ଦେଇଥିଲେ। ପୁରୀ ନିଗମାନନ୍ଦ ସାରସ୍ଵତ ଆଶ୍ରମର ପୂଜ୍ୟ ସ୍ବାମୀ ଶଙ୍କରାନନ୍ଦ ସରସ୍ଵତୀ ମହାରାଜ କହିଥିଲେ, ଯେଉଁ ଭାରତବର୍ଷରେ ଗୋମାତାଙ୍କ ପ୍ରତି ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିଲା, ସେହି ଭାରତବର୍ଷରେ ଗୋମାତାଙ୍କର ସୁରକ୍ଷା ପାଇଁ ଆମକୁ ଲୋକମାନଙ୍କୁ ସଚେତନ କରିବା ପାଇଁ ବଡ଼ ବଡ଼ ସଭା ଓ ସଂଗଠନ କରିବାପାଇଁ ପଡୁଛି। ଏହା ଆମ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟର କଥା।ଭୁବନେଶ୍ୱର ନିଗମ କଳ୍ପତରୁ ଆଶ୍ରମର ପୂଜ୍ୟ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ମହାରାଜ ଗୋମାତାଙ୍କ କଲ୍ୟାଣରେ ବିଶ୍ଵର କଲ୍ୟାଣ ନିହିତ ଅଛି ବୋଲି ମତପ୍ରକାଶ କରିଥିଲେ।ସୁରଭି ସତସଙ୍ଗ ପ୍ରାରମ୍ଭରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୁରୁ ଶ୍ରୀ ଏ. ମହେଶ୍ୱର ରାଓ ଓ ତାଙ୍କ ଶିଷ୍ୟମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ସତସଙ୍ଗ ପରେ ପରେ ପୂଜ୍ୟ ବାବା ଦୀନବନ୍ଧୁ ଦାସ ମହାରାଜ ଦ୍ୱିତୀୟ ଦିନର ଭାଗବତ କଥା ଆରମ୍ଭ କରିଥିଲେ।ଆଜିର ସୁରଭି ସତସଙ୍ଗ ଏବଂ ଭାଗବତ କଥାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୩୦୦୦ରୁ ଉର୍ଦ୍ଧ୍ବ ଗୋଭକ୍ତ ଯୋଗଦେଇଥିଲେ।ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବର ତୃତୀୟ ଦିବସରେ ଭାରତୀୟ ଗୋବିଜ୍ଞାନ ପ୍ରଶିକ୍ଷଣର ଶୁଭ ଉଦ୍ଘାଟନ ପୂଜ୍ୟ ବାବାଜୀ ଦୀନବନ୍ଧୁ ଦାସଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ବିଶେଷଜ୍ଞ ଶ୍ରୀ ଏକାଦଶୀ ନନ୍ଦୀ ଦେଶୀ ବିହନର ସଂରକ୍ଷଣ ଓ କୃଷିରେ ଗୋବର, ଗୋମୂତ୍ର ଓ ଜୀବାମୃତ ପ୍ରୟୋଗ ଉପରେ ଗୁରୁତ୍ଵ ଆରୋପ କରିଥିଲେ। ପ୍ରଶିକ୍ଷାର୍ଥୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ରାସାୟନିକ ସାର ପ୍ରୟୋଗର ଭୟାବହ କୁପରିଣାମ ବିଷୟରେ ସଚେତନ କରାଇଥିଲେ।

Leave a Reply

Your email address will not be published. Required fields are marked *