ପରିବେଶ ସୁରକ୍ଷା ବାର୍ତ୍ତାରେ ଚତୁର୍ଥ ରାଜ୍ୟ ସ୍ତରୀୟ ଟୂବୁଲି ମେମାରିଆଲ କ୍ରିକେଟ କପ
ପରିବେଶ ସୁରକ୍ଷା ବାର୍ତ୍ତାରେ ଚତୁର୍ଥ ରାଜ୍ୟ ସ୍ତରୀୟ ଟୂବୁଲି ମେମାରିଆଲ କ୍ରିକେଟ କପ।ନିମାପଡା ଅଲ୍ ଓଡ଼ିଶା ନିମାପଡ଼ା ବାରବାଟୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପରିବେଶ ସୁରକ୍ଷା ବାର୍ତ୍ତା ନେଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି।ରାଜ୍ୟସ୍ତରୀୟ କ୍ରିକେଟରେ ସୁନାମ ଅର୍ଜନ କରିଥିବା ନିମାପଡ଼ା କ୍ରିକେଟର କିମ୍ବଦନ୍ତୀ ପୁରୁଷ ତଥା ସୁନାମଧନ୍ୟ କ୍ରିକେଟ ଖେଳାଳି ସ୍ବର୍ଗତଃ ଶିବ ଶେଖର ମହାନ୍ତି (ଟୂବୁଲି)ଙ୍କ ସ୍ମୃତିରେ ଉତ୍ସର୍ଗୀକୃତ ଟୂବୁଲି ମେମୋରିଆଲ ଅଲ୍ ଓଡିଶା ବାରବାଟୀ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ସଂସ୍କରଣ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ବାରବାଟୀ ପଡିଆ ମିନି ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହୋଇ ୮ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟି ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି । ଏସ.ପି. ଫାଉଣ୍ଡେସନ ପ୍ରାୟୋଜିତ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୮ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି। ନକଆଉଟ ଭିତ୍ତିକ ୩୦ଓଭର ବିଶିଷ୍ଟ ସମସ୍ତ ମ୍ୟାଚ ରଙ୍ଗୀନ ଡ୍ରେସ୍ ଏବଂ ଧଳା ବଲରେ ଖେଳାଯିବ। ଉଦଘାଟନୀ ମ୍ୟାଚ ଡିସେମ୍ବର ୧ରେ ଭୁବନେଶ୍ୱରର କିଶୋର ସ୍ପୋର୍ଟିଂ ଏବଂ ନିମାପଡ଼ା କ୍ରିକେଟ ଏକାଡେମୀ ମଧ୍ୟରେ ଖେଳାଯିବାକୁ ଥିବାବେଳେ ୨ତାରିଖରେ ଖୋର୍ଦ୍ଧା କେଡିସିଏ ବନାମ ନିମପୁର ସ୍ପୋର୍ଟିଂ କଟକ, ୩ରେ ପୁରୀ ମହାବୀର ସ୍ପୋର୍ଟିଂ ବନାମ ଜେସିଏ ଭୁବନେଶ୍ୱର, ୪ରେ ଭୁବନେଶ୍ୱର ଏମସିସି ବନାମ କଟକ ଜୁଭେନାଇଲ ମଧ୍ୟରେ ଖେଳାଯିବ। ଲିଗ୍ ମ୍ୟାଚର ୪ ବିଜେତା ଟିମ୍ ଡିସେମ୍ବର ୫ ଓ ୬ରେ କ୍ରମାନ୍ୱୟରେ ୨ଟି ସେମି ଫାଇନାଲ ଖେଳିବେ। ଦୁଇ ସେମିଫାଇନାଲ ବିଜେତାଙ୍କ ମଧ୍ୟରେ ୮ତାରିଖରେ ଗ୍ରାଣ୍ଡ ଫାଇନାଲ ଖେଳାଯିବ। ବିଜେତା ଦଳକୁ ସୋମନାଥ ଏଣ୍ଟରପ୍ରାଇଜର୍ସ ପ୍ରଦତ୍ତ ଟ୍ରଫି ସହିତ ୫୦,୦୦୧ ଅର୍ଥରାଶି ଏବଂ ଉପବିଜେତା ଦଳକୁ ଏସ.ପି.ଫାଉଣ୍ଡେସନ ପ୍ରଦତ୍ତ ଟ୍ରଫି ସହିତ ୩୦,୦୦୧ ଅର୍ଥରାଶି ପୁରସ୍କାର ଦିଆଯିବ। ଏଥିସହ କମିଟି ସଭ୍ୟ ସ୍ବର୍ଗତଃ ତାପସ ଦାସଙ୍କ ସ୍ମୃତିରେ ଚଳିତ ବର୍ଷ ପ୍ରଥମକରି ବେଷ୍ଟ ଅଲ୍ ରାଉଣ୍ଡର ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ସଭ୍ୟ ଅୟସ୍କାନ୍ତ ମିଶ୍ର ଜଣାଇଛନ୍ତି। ନିମାପଡ଼ାରେ କ୍ରିକେଟ ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାସହ ରାଜ୍ୟ ତଥା ଜାତୀୟ ସ୍ତରରେ ଖେଳାଳିଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ନିମନ୍ତେ ଆମର ବଳିଷ୍ଠ ପ୍ରୟାସ ତଥା ଏହି ଟୁର୍ଣ୍ଣାମେଣ୍ଟର ମୂଳ ଲକ୍ଷ୍ୟ ବୋଲି ବରିଷ୍ଠ ସଭ୍ୟ ହିମାଂଶୁ ଶେଖର ମହାନ୍ତି କହିଛନ୍ତି। କମିଟି ସଭ୍ୟ ପ୍ରିୟରଞ୍ଜନ ଦାସ, ଉମାଶେଖର ମହାନ୍ତି, ଅମୀୟ କାନୁନଗୋ, ସୌମ୍ୟଶେଖର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
