ବେଆଇନ ବାଲି ଚାଲାଣ:

ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଋଷିକୁଲ୍ୟା ନଦୀ ,ଘୋଡାହଡ ପ୍ରବାହିତ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁନଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି। ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରୁଛି। କେତେକ ସ୍ଥାନରେ ବାଲିଖାଦାନ ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ସ୍ଥାନରେ ବେଆଇନ ଭାବେ ବାଲି ଉଠାଯାଉଛି।ତହସିଲ କାର୍ଯ୍ୟାଳୟ ଓ ମାଇନ୍ସ ବିଭାଗ ପକ୍ଷରୁ ଦିଆଯାଉଥିବା ଟ୍ରାନଜିଟ ପାସର ଦୁରୂପଯୋଗ କରି ବିଭିନ୍ନ ସ୍ଥାନକୁ ମଧ୍ୟ ବାଲି ଚାଲାଣ କରାଯାଉଥିବା ଅଞ୍ଚଳବାସୀ ଙ୍କ ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ଅଭିଯୋଗ କରିଛନ୍ତି। ହିଞ୍ଜିଳି ଓ ଶେରଗଡ ତହସିଲ ଅଞ୍ଚଳର ଗୁଡିସର , ବ୍ରାହ୍ମଣଛାଇ ,ଶିକିରି, ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଭଗବତୀ ପିଠ ନିକଟ ଘୋଡାହାଡ ନଦୀ ପରଠାରୁ ବାଲି ଉତ୍ତୋଳନ କରିବା ସକାଶେ ରାଜସ୍ବ ଜମା ଦିଆଯାଇ ଲିଜ ନିଆଯାଇଛିଓ ଅନ୍ୟ ଅଞ୍ଚଳ ଗୁଡିକରେ ବେଆଇନ ଭାବେ ଵାଲି ଉତ୍ତୋଳନ ରାତାରାତି କରାଯାଉଛି। ଲିଜ ଖାଦାନ ଓ ଚୋରା ବାଲି ଚଢା ଦରରେ ବିକ୍ରି ହେଉଥିବାରୁ ଆବାସ ଗୃହ ଯୋଜନାରେ ହିତାଧିକାରୀମାନଙ୍କ ସହ ସାଧାରଣ ଲୋକମାନେ ଆର୍ଥିକ ସମସ୍ୟାରେ ପଡୁଛନ୍ତି।

ଅନ୍ୟପକ୍ଷେ ଲିଜ ଖାଦାନରୁ ବେଆଇନ ଭାବେ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଇ ଡମ୍ଫରରେ ଚୋରା ଚାଲାଣ ହେଉଥିଲେ ମଧ୍ୟ ଏହାକୁ ରୋକିବାରେ ରାଜସ୍ବ ବିଭାଗ ଫେଲ୍‌ ମାରିଛି। ଏହାର ସୁଯୋଗ ନେଇ କେତେକ ଅସାଧୁ ବେପାରୀ ବେଆଇନ ଭାବେ ଚୋରାରେ ବାଲି ଉତ୍ତୋଳନ କରି କମ୍‌ ଦାମରେ ବିକ୍ରି କରୁଛନ୍ତି। ଖରିଡା,ଶିକିରି,ନନ୍ଦିକ ଓ ଦିଗାପଡାଶାସନ,ପୁଟିଆପଦର ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଥିବାରୁ ନଦୀକୂଳ କ୍ଷୟ ଘଟି ଗ୍ରାମ ପ୍ରତି ବିପଦ ସୃଷ୍ଟି କରିଛି। ରାତି ଅଧରେ ମେଶିିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯିବାରୁ ସେହି ସ୍ଥାନରେ ନଦୀଶଯ୍ୟା ଗଭୀର ହୋଇଛି। ତଳମୁଣ୍ଡରେ ଥିବା ନଦୀ ବାଙ୍କରେ ବର୍ତ୍ତମାନ ବାଲି ଜମା ହୋଇ ରହିଥିବାରୁ ବନ୍ୟା ଆସିଲେ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରାଯାଉଛି।ଋଷିକୂଲ୍ୟା ଘାଟରୁ ବାଲି ଉତ୍ତୋଳନ ହେଉଥିବାରୁ ଘାଟ ନିକଟସ୍ଥ ଗ୍ରାମ ଗୁଡିକ ନଦୀ ଗର୍ଭରେ ଲୀନ ହେବାକୁ ବସିଥିବା ସ୍ଥାନୀୟ ଲୋକଙ୍କ ସହ କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ଅଭିଯୋଗ କରିଛନ୍ତି। ବେଆଇନ ବାଲି ଚାଲାଣ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି। ପୋଲିସ ଓ ମାଇନ୍ସ ବିଭାଗ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଚୋରା ବାଲି ବେପାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରିଷ୍ଠ କଂଗ୍ରେସ ନେତା ରଜନୀକାନ୍ତ ପାଢି ଦାବି କରିଛନ୍ତି। ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *