ରେଳ ବିଭାଗର ପାତରଅନ୍ତର ନୀତି ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନ

ସ୍ଥାୟୀ ନିଯୁକ୍ତି ଦାବି ନେଇ ରେଳ ବିଭାଗର ଜଣେ ଠିକା କର୍ମଚାରୀ ସୋମବାର ନିଜର ଦିବ୍ୟାଙ୍ଗ ପୁଅଙ୍କୁ ଧରି ଆମରଣ ଅନଶନ ଆରମ୍ଭ କରିଛନ୍ତି। ଭଦ୍ରକ ରେଳ ଷ୍ଟେସନ ସମ୍ମୁଖରେ ସେ ଅପରାହ୍ନ ୩ ଟାରୁ ଏହି ଅନଶନ ଆରମ୍ଭ କରିଛନ୍ତି। ରେଳ ବିଭାଗର ଅପରେସନ ରୁମରେ ଠିକା କର୍ମଚାରୀ ଥିବା ସୁକାନ୍ତ ପଣ୍ଡା ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ବାପା ସୂର୍ଯ୍ୟମଣି ପଣ୍ଡା ଅପରେସନ ରୁମର ପିଅନ ଭାବେ ସ୍ଥାୟୀ ନିଯୁକ୍ତି ପାଇଥିଲେ ।୧୯୮୮ ମସିହାରେ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ସ୍ବାସ୍ଥ୍ୟ ଜନିତ ଗଭୀର ସମସ୍ୟା ଦେଖାଦେବାରୁ ସେ ଆଉ ଡିଉଟି କରିବା ସମ୍ଭବ ନ ଥିଲା । ମେଡିକାଲ ପ୍ରମାଣ ପତ୍ର ସହ ସେ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ପରେ ତାଙ୍କ ପଦବୀରେ ପରିବାର ଅନ୍ୟ କେହି ଥଇଥାନ ହେବା ନେଇ ନିୟମ ରହିଥିଲା। ସେହି ଅନୁସାରେ ସୁକାନ୍ତ ପ୍ରଥମେ ଠିକାରେ ନିଯୁକ୍ତି ପାଇଥିଲେ । ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ସେ କିଠା କର୍ମଚାରୀ ଭାବେ ୧୨ ହଜାର ଟଙ୍କାରେ କାମ କରୁଛନ୍ତି। ତାଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ସେ ସମୟରୁ ଆଜି ପର୍ଯ୍ୟନ୍ତ ରେଳ ବିଭାଗର ବିଭିନ୍ନ ଉଚ୍ଚ ଅଧିକାରୀ ଆଦେଶପତ୍ର ପ୍ରଦାନ କରିଥିଲେ ବି ତାଙ୍କୁ ନିଯୁକ୍ତି ମିଳି ପାରିନି। ଅନେକ ବାର କୋଲକାତା ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ସ୍ଥାୟୀ ନିଯୁକ୍ତି ନିମନ୍ତେ ଆଦେଶ ପତ୍ର ଧରି ଆସିଛନ୍ତି । ଯାହାକୁ ସେ ପ୍ରମାଣ ଭାବେ ପାଇ ଛନ୍ତି । ଶେଷଥର ପାଇଁ ଭୁବନେଶ୍ବର ପୂର୍ବତଟ ରେଲୱେ ମୁଖ୍ୟ କାର୍ଯ୍ୟାଳୟ ଡିଆରଏମ ମଧ୍ୟ ଆଦେଶ ପ୍ରଦାନ କରିଛନ୍ତି। ଗତବର୍ଷ ଏହି ଆଦେଶପତ୍ର ଧରି ଭଦ୍ରକ ରେଳ ଷ୍ଟେସନ କର୍ତ୍ତୃପକ୍ଷ ନିକଟକୁ ସୁକାନ୍ତ ଆସିଥିଲେ। ବିଭାଗର ବଡ଼ ବଡ଼ ଅଧିକାରୀଙ୍କ ଚିଠି ଓ ଆଦେଶ ଭିତରେ ପେଶି ହୋଇ ଶେଷରେ ସୁକାନ୍ତ ଅନଶନ ପନ୍ଥା ଆପଣାଇ ଥିବା କହିଛନ୍ତି। ଘଟଣା ବାବଦରେ ଷ୍ଟେସନ ମାଷ୍ଟର ସୁବାସ ସାହୁ କହିଛନ୍ତି, ଠିକା କର୍ମଚାରୀଙ୍କୁ ସ୍ଥାୟୀ ଦେବା ନେଇ ମୋ ପାଖରେ କ୍ଷମତା ନାହିଁ। ଏବେ ଏଭଳି ନିୟମ ନାହିଁ । ଯାହା ଉଚ୍ଚ କର୍ତ୍ତୃପକ୍ଷ ଆଦେଶ ଓ ନିୟମ ଅନୁଯାୟୀ ସବୁକିଛି ହେଉଛି।

Leave a Reply

Your email address will not be published. Required fields are marked *