ବାହାରିନ Siver Jubilee ଜାତୀୟ ଦିବସରେ ଓଡ଼ିଆ ସମାଜର ପ୍ରଶଂସା
ବାହାରିନ-()୧୫/୧୨- କିଙ୍ଗଡମ୍ ଅଫ ବାହାରିନର ଜାତୀୟ ଦିବସ ତଥା ରାଜ ଅଭିଷେକ ରୌପ୍ୟ ଜୟନ୍ତୀ ଅବସରରେ ଜାତୀୟ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ବାହାରିନ ଓଡ଼ିଆ ସମାଜର ପ୍ରତିନିଧିତ୍ୱକୁ ମିଳିଛି ଉଚ୍ଚ ପ୍ରଶଂସା। ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶ୍ବ ଓଡ଼ିଶା ଅନ୍ତର୍ଜାତିକ ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ ଏହି ଉତ୍ସବକୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରିତ ହେବା ଅବସରରେ ସେ ତାଙ୍କର ଖୁସି ବ୍ୟକ୍ତ କରିଛନ୍ତି।ଏହି ବିଶାଳ ପ୍ରଦର୍ଶନୀ ଓ ସଙ୍ଗୀତ କାର୍ଯ୍ୟକ୍ରମକୁ ୧୫ଟି ରାଷ୍ଟ୍ର ନିମନ୍ତ୍ରିତ ହୋଇଥିବା ବେଳେ ବାହାରିନ ଓଡ଼ିଆ ସମାଜ ଭାରତର ପ୍ରତିନିଧିତ୍ୱ କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଥିବା ଏକ ଗୌରବର ବିଷୟ ବୋଲି ଡ. ପ୍ରହରାଜ ପ୍ରକାଶ କରିଛନ୍ତି ।ଏହି ଆନ୍ତର୍ଜାତିକ ପ୍ରଦର୍ଶନୀରେ ଓଡ଼ିଶା ବିଭିନ୍ନ ଜିଲ୍ଲାର ଉତ୍ପାଦ ଯଥା- ମୟୂରଭଞ୍ଜର ସବାଇଘାସ ଉତ୍ପାଦ, ଗଞ୍ଜାମର ରେଶମ ଶାଢ଼ୀ, ଶିଙ୍ଗ କାମ, ଢେଙ୍କାନାଳର ଡୋକ୍ରା, ସମ୍ବଲପୁରର ଶାଢ଼ୀ, କୋରାପୁଟର କୋଟପାଡ଼, କଟକର ତାରକସୀ, ସୋନପୁର ପାଟବସ୍ତ୍ର ଆଦି ପ୍ରଦର୍ଶିତ ହେବା ସହିତ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନର ପରିଚୟ ଆଦି ପ୍ରଦର୍ଶିତ ହୋଇଥିଲା

।ଏହି କାର୍ଯ୍ୟକ୍ରମରେ କିଙ୍ଗଡମ୍ ଅଫ ବାହାରିନର ରାଜ ପ୍ରତିନିଧି ସମେତ ସାମାଜିକ ବିକାଶ ମନ୍ତ୍ରୀ ଓସାମା ବିନ ସାଲେ ଅଲ ଅଲାବି, ଭାରତ ରାଷ୍ଟ୍ରଦୂତ ବିନୋଦ କେ. ଜାକବ ଏବଂ ଯୁକ୍ତରାଜ୍ୟ, ଯୁକ୍ତରାଷ୍ଟ୍ର, ଜାପାନ, ନେପାଳ, ଫିଲିପାଇନସ, ଫ୍ରାନ୍ସ, ରୁଷିଆ, ଇଣ୍ଡୋନେସିଆ, ମାଲେସିଆ ଆଦି ରାଷ୍ଟ୍ରର ରାଷ୍ଟ୍ରଦୂତ ମାନେ ଉପସ୍ଥିତ ଥିଲେ ।ଡ. ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ୱରେ ବାହାରିନ ଓଡ଼ିଆ ସମାଜର କାର୍ଯ୍ୟକୁ ଭାରତ ରାଷ୍ଟ୍ରଦୂତ ଶ୍ରୀ ଜାକବ ଉଚ୍ଚ ପ୍ରଶଂସା କରିଥିଲେ। ବାହାରିନରେ ଆୟୋଜିତ ବିଭିନ୍ନ ଆନ୍ତର୍ଜାତିକ ପ୍ରଦର୍ଶନୀରେ ଓଡ଼ିଆ ସମାଜର ଉଚ୍ଚ କୋଟିର ଉପସ୍ଥାପନା ଓଡ଼ିଶାକୁ ଆଗଧାଡିରେ ରଖିବା ସହିତ ଏକ ଉଚ୍ଚ ମର୍ଯ୍ୟାଦା ଦେଇଛି ବୋଲି ରାଷ୍ଟ୍ରଦୂତ ପ୍ରକାଶ କରିଥିଲେ। ଭାରତ ସରକାରଙ୍କ ଏକ ଜିଲା ଏକ ଉତ୍ପାଦ କାର୍ଯ୍ୟକ୍ରମରେ ଓଡ଼ିଆ ସମାଜର ପ୍ରତିନିଧିତ୍ୱ ଓଡ଼ିଶା ପାଇଁ ଏକ ଗୌରବର ବିଷୟ।ପ୍ରବାସୀ ଭାରତୀୟ ଦିବସ ପାଳନ ଅବ୍ୟବହିତ ପୂର୍ବରୁ ବିଦେଶ ମାଟିରେ ଓଡ଼ିଶାର ଏଭଳି ପ୍ରଶଂସା ଓଡ଼ିଆ ଜାତିର ଗୌରବ ବୋଲି ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ପ୍ରହରାଜ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଦୀର୍ଘ ୨୬ ବର୍ଷ ଧରି ଓଡ଼ିଆ ସମାଜ ଓଡ଼ିଶାର କଳା, ସଂସ୍କୃତି, ବାଣିଜ୍ୟ, ପର୍ଯ୍ୟଟନ ଆଦିର ପ୍ରଚାର ପ୍ରସାରରେ ଓଡ଼ିଆ ସମାଜ କାର୍ଯ୍ୟ କରି ଆସୁଛି, ଏହା ଦ୍ୱାରା ଓଡ଼ିଶା ବିଶ୍ବ ମାନଚିତ୍ରରେ ଏକ ବ୍ରାଣ୍ଡ ଭାବରେ ପ୍ରତିଷ୍ଠା ଲାଭ କରିପାରିଛି ବୋଲି ସେ କହିଛନ୍ତି।
ରିପୋର୍ଟ -ନୃସିଂହ ଚରଣ ବାରିକ
