ସରକାରୀ ବାବୁଙ୍କ ଜମି କେଳେଙ୍କାରୀ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ବ ସହାୟକ ସୁବ୍ରତ କୁମାର ବେହେରା।ସରକାରୀ ବାବୁ ଜଣଙ୍କ ଫର୍ଜୀ କରି ଜମି କେଳେଙ୍କାରୀରେ ଲିପ୍ତ ରହିଥିବା ନେଇ ଗୁମର ଖୋଲିଛନ୍ତି ସୂଚନା ଅଧିକାରୀ କର୍ମୀ ବାବୁଲି ସାହୁ । ସରକାରୀ ଦସ୍ତାବିଜରେ ବଡ଼ ହେରେଫେର ହୋଇଥିବା ସେ ସାମ୍ନାକୁ ଆଣିଛନ୍ତି । ସୁବ୍ରତଙ୍କ ସ୍ତ୍ରୀ ସସ୍ମିତା ନାୟକ ନିଜ ନାଁରେ କିଣା ହୋଇଥିବା ଜାଗା କଙ୍କଡ଼ାହାଡ଼ ତହସିଲ ବାଟଗାଁ RI ଅନ୍ତର୍ଗତ ବାଘୁଆ ଗାଁ ମୌଜାର ଖାତା ନଂ 230/26, ପ୍ଲଟ ନଂ -438ରେ ଥିବା 1 ଏକର 20 ଡେସିବିଲ ଜାଗା ନିଜ ଶାଶୂ ସଂଯୁକ୍ତା ବେହେରାଙ୍କୁ ୫ ଲକ୍ଷ ଟଙ୍କା ବିନିମୟରେ ବିକ୍ରି କରିଥିବା ଦସ୍ତାବିଜରୁ ସ୍ପଷ୍ଟ ହୋଇଛି । ଯାହାକୁ ନେଇ ସୁବ୍ରତଙ୍କ ସ୍ତ୍ରୀ ସସ୍ମିତା ନାୟକ ବାଟଗାଁ RI ନିକଟରେ ଜମି ଅନୁମତି ପାଇଁ ଆବେଦନ କରିଥିଲେ। ସସ୍ମିତା ନିଜ ଜମିକୁ ଶାଶୂ ସଂଯୁକ୍ତାଙ୍କ ନାମରେ ହସ୍ତାନ୍ତର ପାଇଁ ସବୁ କିଛି ଦସ୍ତାବିଜ ଉପଜିଲ୍ଲାପାଳଙ୍କ ଜରିଆରେ ଆବେଦନ କରିଥିଲେ।ଯାହାକୁ ଆଧାର କରି ଜମିର ତଦନ୍ତ ପୂର୍ବରୁ ଅନୁମତି ଆଗୁଆ ମିଳିଥିଲା।ତେବେ ବାଟଗାଁ ରାଜସ୍ବ ନିରୀକ୍ଷକଙ୍କ ଲେଟର ନଂ -115 ଯାହା ତା -25/07/2024 ରିଖରେ କଙ୍କଡ଼ାହାଡ଼ ତହସିଲଦାରଙ୍କୁ ଅନୁମତି ପାଇଁ ଚିଠି ହୋଇଥିଲା। ଏହି ଲେଟରକୁ ପାଥେୟ କରି କଙ୍କଡ଼ାହାଡ଼ ତହସିଲଦାରଙ୍କ ଚିଠି ସଂଖ୍ୟା -1734, ତା -29/7/2024 ରିଖରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଜମିର ଅନୁମତି ପାଇଁ ଚିଠି ହୋଇଥିଲା। ହେଲେ ଚଞ୍ଚକତାର କଥା ହେଲା ଯେ ଜମିଟି ତା -18/7/2024 ରିଖରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦ୍ୱାରା ଅନୁମତି ମିଳି ସାରିଛି। ଅର୍ଥାତ ଜମି ଆବେଦନ ପୂର୍ବରୁ SC/ST ଜମିକୁ ଆଗୁଆ କାମାକ୍ଷାନଗର ତତତ୍କାଳୀନ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଅନୁମତି ଦେଇ ସାରିଛନ୍ତି। ଯାହାକୁ ନେଇ ଦୁର୍ନୀତିର ପେଡି ସାମ୍ନାକୁ ଆସିଥିଲା। କେବଳ ସେତିକି ନୁହେଁ ସରକାରୀ ବାବୁ ଜଣଙ୍କ ବାଘୁଆ ଗାଁ ମୌଜାରେ ନିଜ ମାଆଙ୍କ ନାମକୁ ହସ୍ତାନ୍ତର କରିଥିବା ଜମିଟିର ପରିମାଣ ବଢ଼ିବାରେ ଲାଗିଥିଲା। ୧ ଏକର ୨୦ ଡେସିବିଲ ପରିମିତ ଜାଗା ଥିବା ଜମିଟି ରାତାରାତି ୮ ଏକରରୁ ଉର୍ଦ୍ଧ୍ୱ ଜାଗା ହୋଇ ଯାଇଥିଲା। ଆଉ ତାହା ଥିଲା ଆବାଦ ଅନାବାଦୀ, ଜଙ୍ଗଲ ଜମି, ପତିତ ଏବଂ ରେଙ୍ଗାଳି ଜଳସେଚିତ ଜମି। ବାବୁ ଜଣଙ୍କ ସରକାରୀ ଜାଗାକୁ ନିଜ କବଜାକୁ ଆଣିଥିଲେ। ତେବେ ଜମି ଚତୁର୍ପାଶ୍ୱରେ ତାର ବାଡ଼ ଦେବା ସହ କିଛି ନଡ଼ିଆ ଗଛ ମଧ୍ୟ ରୋପଣ କରିଛନ୍ତି। ଏପରିକି ବାବୁ ଜଣଙ୍କ କେବଳ ଜାଗା ହାତେଇବାର ପ୍ରବୀଣ ତାହା ନୁହେଁ ବରଂ ସରକାରୀ ଦସ୍ତାବିଜକୁ ଚଞ୍ଚକତା କରିବରେ ସିଦ୍ଧ ହସ୍ତ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମେମୋ ନଂ -3373କୁ ଥରେ ଦେଖନ୍ତୁ ଗୋଟିଏ ନମ୍ବରରେ ଦୁଇଟି ଅନୁମତି ପାଇଁ ଏଣ୍ଟ୍ରି ହୋଇଛି। ଯାହାକୁ ତତ୍କାଳୀନ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ରିଜେକ୍ଟ କରିଥିଲେ ତାହା କିନ୍ତୁ ବାବୁଙ୍କ ଚଞ୍ଚକତାରେ ପୂର୍ବତନ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଅନୁମତି ପ୍ରଦାନ କରିଛନ୍ତି। ଅର୍ଥାତ ଟଙ୍କା ମିଳିଲେ ଅସମ୍ଭବକୁ ସମ୍ଭବ କରନ୍ତି ବାବୁ। ଯାହା ଆମେ କହୁନାହୁଁ ବରଂ ସୂଚନା ଅଧିକାରୀ କର୍ମୀ ସବୁ କିଛିର ପର୍ଦ୍ଦାଫାଶ କରିଛନ୍ତି। ଏ ନେଇ ସୂଚନା ଅଧିକାର କର୍ମୀ ବାବୁଲି ସାହୁ ଢେଙ୍କାନାଳ ଜିଲ୍ଲାପାଳ ଏବଂ କାମାକ୍ଷାନଗରର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଘଟଣାକୁ ନେଇ ଅଂଚଳରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିବା ବେଳେ ନିକଟରେ ତତ୍କାଳୀନ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି। ତେବେ ଏହି ଅଭିଯୋଗଟି ପାଇବା ପରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ବର୍ତ୍ତମାନର ଭାରପ୍ରାପ୍ତ ଉପଜିଲ୍ଲାପାଳ ବିବୋଧ ଗଡ଼ନାୟକ ପ୍ରତିକ୍ରିୟା ରଖିଛନ୍ତି।

Leave a Reply

Your email address will not be published. Required fields are marked *