ଉଜୁଡା କ୍ଷେତ ବୁଲିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ନିମାପଡା ,ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ନିମାପଡା ବ୍ଲକ ର ବିଭିନ୍ନ ପଂଚାୟତରେ ଥିବା ଚାଷୀଙ୍କ ଧାନ କ୍ଷେତ ଏବେ ଉଜୁଡି ଯାଇଛି।ଅମଳ ବେଳକୁ ହେକ୍ଟର ହେକ୍ଟର ଚାଷ ଜମିରେ ଧାନ ନଷ୍ଟ ହୋଇ ଯାଇଛି।ଧାର କରଜ କରି ଚାଷୀ ଧାନ ଚାଷ କରିଥିବା ବେଳେ ଏବେ ଧାନ ସବୁ ନଷ୍ଟ ହୋଇଯାଇଛି।ଚାଷୀ ମୁଣ୍ଡରେ ଚଡ଼କ ପଡିଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ନିମାପଡା ବ୍ଲକର ତେରୁଣ୍ଡିଆ, ଧନୁଆ, ରଟିଲୋ, ତଳଅଣ୍ଡିଆ, ଅଲନ୍ଦା, ସାଇଁଶ ପଂଚାୟତ ଗସ୍ତ କରି ଚାଷୀ ମାନଙ୍କର ଉଜୁଡି ଯାଇଥିବା ଫସଲ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।ଚାଷୀ ମାନେ ମଧ୍ୟ ଉପ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧାନ ଫସଲ ନଷ୍ଟ ହୋଇଯାଇଥିବା ସମ୍ପର୍କରେ ଅବଗତ କରାଇଛନ୍ତି। ଫସଲ ନଷ୍ଟ ହୋଇଯାଇଥିବା ପ୍ରତେକ ଚାଷୀଙ୍କୁ ସରକାର ସହାୟତା ପ୍ରଦାନ କରିବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି।

ଉପମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ତହସିଲଦାର,କୃଷି ଅଧିକାରୀ,ଉଦ୍ୟାନ ଅଧିକାରୀ ମାନେ ପଂଚାୟତ ବୁଲି କ୍ଷୟକ୍ଷତିର ଆକଳନ କରିଛନ୍ତି।ଫସଲ କ୍ଷୟକ୍ଷତି ହୋଇଥିବା ଦେଖିବା ପରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସମସ୍ତ ଚାଷୀଙ୍କୁ ସହଯୋଗ ଯୋଗାଇ ଦିଆଯିବ।ଯେଉଁ ଚାଷୀ ମାନଙ୍କର ଫସଲ ନଷ୍ଟ ହୋଇ ଯାଇଛି ସମସ୍ତଙ୍କୁ ସହାୟତା ଦେବା ପାଇଁ ସରକାର ସଂକଳ୍ପବଦ୍ଧ।ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପଞ୍ଜିକରଣ କରାଯାଇଥିବା ସମସ୍ତ ଚାଷୀ ମାନେ ଯେପରି ବୀମା ରାଶି ପାଇବେ ସେଥିପାଇଁ ପ୍ରାଧାନ୍ୟ ଦିଆଯାଇଛି। ଚାଷୀଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Leave a Reply

Your email address will not be published. Required fields are marked *