ଅଧର ପଣାର ମାହାତ୍ମ୍ୟ

  ଅଧର ପଣାର ମାହାତ୍ମ୍ୟ

 କବିରତ୍ନ ନୂତନ କୁମାର ବେହେରା

ଲୀଳାମୟ ମହାପ୍ରଭୁ ପୁରୁଷୋତ୍ତମ
ଶ୍ରୀକ୍ଷେତ୍ର ବିହାରୀ ଦାରୁବ୍ରହ୍ମ
ମହିମା ତାଙ୍କର ଯେତିକି ତତ୍ତ୍ଵପୂର୍ଣ୍ଣ
ସେତିକି ରହସ୍ୟମୟ,
ଶୁଣିଲେ ଦେଖିଲେ ବୁଝିଲେ
ଲାଗେ ଭାରି ଆଶ୍ଚର୍ଯ୍ୟ ଅଲୌକିକ
ତଲ୍ଲୀନ ହୋଇଯାଏ ଭକ୍ତଙ୍କ ହୃଦୟ।
ବାହୁଡା ଯାତ୍ରା ପରେ
ବଡ଼ ଦେଉଳର ରତ୍ନ ସିଂହାସନକୁ
ପ୍ରଭୁ ବିଜେ କରିବା ପୂର୍ବରୁ
ଆଷାଢ଼ ମାସର ଶୁକ୍ଳ ଦ୍ଵାଦଶୀ ଦିନ
ପରମ୍ପରା ବିଧି ବିଧାନ ଅନୁଯାୟୀ
ଅନୁଷ୍ଠିତ ହୁଏ ଅଧରପଣା,
ତିନି ରଥେ ତିନି ତିନି କରି ନଅଟି
ତୁମ୍ଭାକାର ମାଟି ହାଣ୍ଡିରେ ଭୋଗ
ତିନି ଶ୍ରୀଜିଉଙ୍କ ଆଗରେ ରଖି
ଯତ୍ନରେ କରାଯାଏ ପ୍ରସ୍ତୁତ
ଏ ପରମ୍ପରା ବିଧି ଅଟେ ବହୁ ପୁରୁଣା।
ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ
ପାଣି ଆସିବା ପରେ ହୁଏ ଅଧରପଣା
ଏ ପଣା ତିଆରି କରନ୍ତି
ସୁପକାର ସୁଆର ସେବକ,
ମିଶା ଯାଏ ତହିଁ କ୍ଷୀର କଦଳୀ ଛେନା
ଗୋଲମରିଚ଼ ଜାଇଫଳ କର୍ପୂର
ସେ ପଣାକୁ ତିନିରଥର ପୋଖରିଆ ଉପରେ
ପୂଜାର୍ଚ୍ଚନା କରନ୍ତି ପଞ୍ଚ ଉପଚାରରେ
ପତ୍ରିବଡୁ ସୁଆରବଡୁ ଗରାବଡୁ ପାଳିଆ
ସେବକ ପୂଜାପଣ୍ଡା ପୂଜକ।
ପୂଜାର ସମାପ୍ତି ପରେ ରଥ ଉପରେ
ଭଙ୍ଗା ଯାଏ ଅଧରପଣା ହାଣ୍ଡି
ଏ ପଣା ସମର୍ପିତ ହୋଇ ଥାଏ
ରଥର ପାର୍ଶ୍ବରେ ଥିବା ଦେବାଦେବୀ
ଚଣ୍ଡି ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ,
ବିଶ୍ବାସ ଅଛି ଅଶରୀରୀମାନଙ୍କ
ଉଦ୍ଧାର ପାଇଁ ଭାଙ୍ଗେ ଅଧର ପଣାହାଣ୍ଡି
ଶ୍ରୀଜିଉମାନଙ୍କ ଅଧର ପର୍ଯ୍ୟନ୍ତ
ଉଚ୍ଚତା ହୋଇ ଥିବାରୁ ପଣା ମାଠିଆ
ଅଧରପଣା ହୋଇଛି ତା’ ନାମକରଣରେ।
ସେ ଅଧରପଣାରେ ଅଧର ମଧୁର
ମଧୁମୟ ଆଜି ଶିରୀକ୍ଷେତର
ଏ ପଣା ପାନ କରନ୍ତି ନାହିଁ କେହି
ସମସ୍ତଙ୍କୁ ହୁଏ ଜଣା,
ଅଧର ପଣାର ମାହାତ୍ମ୍ୟ
ବୁଝାଇ ଦିଏ ତାତ୍ତ୍ଵକ ଅର୍ଥରେ
ମାଟି ହାଣ୍ଡି ପରି ଏ ଶରୀରର ଘଟ
ଦିନେ ନା ଦିନେ ଯିବ ଭାଙ୍ଗି
ହଜି ଯିବ ଜୀବନର ଠିକଣା।
ମିଛ ଗର୍ବ ଅହଂକାରେ ମଣିଷ
କରେ ଯାହା ସବୁ ଓଳିକ କ୍ଷଣସ୍ଥାୟୀ
ସେ ପାର୍ଥିବ ଲାଳସାରେ ନହୋଇ ବାଇ,
ପରଂବ୍ରହ୍ମ ପ୍ରଭୁଙ୍କର ଜପିଲେ ନାମ
ମନରୁ ସନ୍ତାପ ଯାଏ ରହେ ରକ୍ଷା ପାଇ
ତାଙ୍କ ଚରଣେ ଯିଏ ଶରଣ ନିଏ
ମନୋବାଞ୍ଚା ଯାଏ ଅଚିରେ ପୂରଣ ହୋଇ।

 କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *