ବିଦ୍ୟୁତଖୁଣ୍ଟକୁ ପିଟିଲା ଟ୍ରାଭେରା; ୭ ଗୁରୁତରଆହତଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା
କୋଣାର୍କ:- କୋଣାର୍କ – ପୁରୀ ବେଳାମାର୍ଗ ରାସ୍ତାର ଇକୋ ରିଟ୍ରିଟ ନିକଟରେ ଏକ ସଡକ ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବା ବେଳେ ଆହତ ମାନଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।ପ୍ରାପ୍ତ ସୂଚନାରୁ ଜଣାପଡେକି ସୋମବାର ପୂର୍ବାହ୍ନରେ ପୁରୀରୁ କିଛି ପର୍ଯ୍ୟଟକ ମାନଙ୍କୁ ନେଇ ଏକ ଟ୍ରାଭେରା ଗାଡ଼ି ନଂ ଓଆର – ୧୩- ଜି – ୧୬୭୭ କୋଣାର୍କ ଆସୁଥିବା ବେଳେ ବେଳାମାର୍ଗ ରାସ୍ତାର ଇକୋ ରିଟ୍ରିଟ ନିକଟରେ ଚକ ଫାଟି ଯିବାରୁ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵରେ ଥିବା ୧୧କେଭି ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଗାଡି ଭିତରେ ଥିବା ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ଅଞ୍ଚଳର ୬ପର୍ଯ୍ୟଟକ ଆହତ ହୋଇଥିବା ବେଳେ କାର ଡ଼୍ରାଇଭର ଚାପି ହୋଇ ରହିଯାଇଥିଲେ। ରାସ୍ତାରେ ଯାଉଥିବା କିଛି ପର୍ଯ୍ୟଟକ ଦୁର୍ଘଟଣାଗ୍ରସ୍ତ ଗାଡ଼ି ମଧ୍ୟରୁ ଡ଼୍ରାଇଭରକୁ ଉଦ୍ଧାର କରିବା ପାଇଁ ଯାଇ ଗାଡ଼ି ଡୋର ଖୋଲୁଥିବା ବେଳେ ବିଦ୍ୟୁତଖୁଣ୍ଟ ସଂସ୍ପର୍ଶ ଆସି ଜଣେ ଯୁବକ ଅଚେତ ହୋଇ ପଡ଼ିଥିଲେ। ଅଚେତ ଯୁବକ ଜଣଙ୍କୁ ଘଟଣାସ୍ଥଳରୁ ଅଗ୍ନିଶମ ବାହିନୀ ଉଦ୍ଧାର କରି କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ ଯୁବକ ଜଣଙ୍କ ହେଲେ ଜଗତିଂହପୁର ଜିଲ୍ଲା ନାଉଗାଁ ଅଞ୍ଚଳର ରଞ୍ଜିତ ପଢ଼ିଆରୀ(୨୭)। ମୃତ ରଞ୍ଜିତ ସାଙ୍ଗ ମାନଙ୍କ ସହ କୋଣାର୍କ ବୁଲିବାକୁ ଆସିଥିବା ବେଳେ ବେଳାମାର୍ଗ ରାସ୍ତାରେ ଗାଡି ଦୁର୍ଘଟଣା ଦେଖି ଆହତ ମାନଙ୍କୁ ଉଦ୍ଧାର କରିବା ପାଇଁ ଯାଇ ନିଜେ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ। କୋଣାର୍କ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ୧୦୯/୨୦୨୫ ରେ ମାମଲା ରୁଜ୍ଜୁ କରିଛି। ଶବ ବ୍ୟବଚ୍ଛେଦ ନିମନ୍ତେ ପୁରୀ ଜିଲ୍ଲା ମେଡ଼ିକାଲକୁ ପଠା ଯାଇଛି। ଅପରପକ୍ଷରେ ପର୍ଯ୍ୟଟକ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ଗୋପ ମେଡ଼ିକାଲ ପରେ ପରେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଥାଇ ପାରେକି ବେଳାମାର୍ଗ ରେ ଥିବା ବିଦ୍ୟୁତ ଖୁଣ୍ଟରେ କିପରି କରେଣ୍ଟ ଆସିଲା ତାହା ତଦନ୍ତ ସାପେକ୍ଷ ଅଟେ। କାରଣ ବିଦ୍ୟୁତ୍ ଖୁଣ୍ଟରେ ଯଦି କରେଣ୍ଟ ରୁହେ ତେବେ ବିଭିନ୍ନ ସମୟରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏହାକୁ ସ୍ପର୍ଶ କରି ଦୁର୍ଘଟଣାର ଶିକାର ହେବାର ଆଶଙ୍କା ସୃଷ୍ଟି ହୋଇଛି।
