ଭାଗ୍ୟର ଭାଗଫଳ ରହେ ଅବିଭାଜ୍ୟ

      ଭାଗ୍ୟର ଭାଗଫଳ ରହେ ଅବିଭାଜ୍ୟ

  🖋️କବିରତ୍ନ ନୂତନ କୁମାର ବେହେରା

ଆଖି ଦେଖେ ପତା ମେଲି
ଜାଣି ପାରେନା… କେତେବେଳେ ଯାଏ ପଲକ ପଡ଼ି
କଥା କଟିଲେ ମଥା ଗଡ଼େ…ବଢ଼େ ଶତ୍ରୁତା
ଘଣ୍ଟା ଦେଖି ସମୟ ଗଣିଲା ବେଳକୁ
ଶାସ୍ତ୍ର ଜ୍ଞାନ ଠାରୁ ଅସ୍ତ୍ର ଶକ୍ତିର ପ୍ରୟୋଗ ହୁଏ ବେଶି
ଭୁଲ୍ ମାନିବା ଅପେକ୍ଷା ଭୁଲ୍ ଧରାଯାଏ ଅଧିକ
ଚୁକ୍ତି ଭାଙ୍ଗେ… ମୀମାଂସାର ରହେନା ସ୍ଥିତି
ହିଂସାର ରାକ୍ଷସ ଦେଖାଏ ଦୌରାତ୍ମ୍ୟ
ନୀତି ପାଲଟେ ଅନ୍ଧାର ରାତି
ସ୍ଵାର୍ଥର ପଞ୍ଜୁରୀରେ ପୋଷା ମାନେ ଜୀବନ ପକ୍ଷୀ
ଦେଖୁଥିଲେ ବି ଦୂରନ୍ତ ବିସ୍ତାରି ଥିବା ଆକାଶକୁ
ପାରେନା ଉଡ଼ି ଡେଣା କରେ ପଡ଼ ପଡ଼
ସମ୍ଭାବନାର କଢ଼ ସ୍ବପ୍ନ ଦେଖେ ସିନା ବହୁତ
ପାଖୁଡ଼ା ମେଲି ଫୁଟିବା ଆଗରୁ
କୀଟ ଦଂଶନ କରେ ତାକୁ
ଭୋକ ମାରିବାକୁ ଭଙ୍ଗାହୁଏ ଭାତହାଣ୍ଡି
କାହା ଜିଦ୍ ରୁ କେହି ଓହରି ଆସେ ନାହିଁ ସୀମାକୁ
କ୍ରମର କ୍ରମଶଃ ହୁଏ ଯେତେ ବ୍ୟତିକ୍ରମ
ନିୟମରେ ନିଷ୍ପତ୍ତି ହୋଇ ପାରେନା ନିର୍ଦ୍ଧାରଣ
ଜୀବନର ଅସ୍ତିତ୍ବ ଗଛର ଝୁଲନ୍ତା ଫଳ ପରି
ତଳେ ରହି କିଏ ଝଡ଼ାଏ ଟେକା ମାରି
କିଏ ବିଛାଏ ଲମ୍ଵା ଆଙ୍କୁଡ଼ାରେ ହାତ ଲମ୍ଵାଇ
ସମ୍ଭାବନାର ବିଡ଼ମ୍ଵନା ଲାଗେ ସବୁ
ଭାଗ୍ୟର ଭାଗଫଳ ସର୍ବଦା ରହେ ଅବିଭାଜ୍ୟ
ମିଳୁ ବା ନ ମିଳୁ ଟିକିଏ ଶାନ୍ତି ସନ୍ତୋଷ
ବାଟ ହୁଡ଼ି ବାଟୋଇ ଖୋଜେ ତାର ଠିକଣା
ଅଧା ବାଟ ଚାଲି ଖୋଜେ ଲକ୍ଷ୍ୟସ୍ଥଳ
ବିଭ୍ରାନ୍ତରେ ମସ୍ତିଷ୍କର ହୁଏ ବିଭ୍ରାଟ କରେ ପ୍ରଳାପ
ପାଏନା ପ୍ରେରଣା ହୁଏ ସମ୍ଭାବନାର ବିଡ଼ମ୍ଵନା
ସମୟ ଗଡ଼ିଯାଏ ଅପେକ୍ଷା ନ କରି
ସର୍ବଦା ଭାଗ୍ୟର ଭାଗଫଳ ରହେ ଅବିଭାଜ୍ୟ।

     କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *