କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ “ଶରତ ବିକାଶ ମଞ୍ଚ”ର ସ୍ମାରକ/ଦାବି ପତ୍ର

ଉଦଳା- ୧୫/୦୭/୨୦୨୫ : ମୟୂରଭଞ୍ଜ ଜିଲ୍ଲାର ସବୁଠାରୁ ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଶରତଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି “ଶରତ ବିକାଶ ମଞ୍ଚ”ର ସକ୍ରିୟ ସଦସ୍ୟମାନଙ୍କ ଦ୍ଵାରା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କପ୍ତିପଦା ଉପଖଣ୍ଡ, ଉଦଳା ଉପ-ଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କୁ ଦାବିପତ୍ର ପ୍ରଦାନ କରା ଯାଇଛି। ଦାବିପତ୍ରରେ ଦର୍ଶାଯାଇଛି ଯେ – ୨୦୧୯ ମସିହାରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ନୂଆଦିଲ୍ଲୀ ତାଙ୍କ ଚିଠି ସଂଖ୍ୟା – ୧୮୦୧୫/୧୫/୨୦୧୭ ବଳେ ଶରତ ଅଞ୍ଚଳର ଦେୱାନବାହାଳୀ ଗ୍ରାମରେ ଏକ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ(E.M.R.S) ସ୍ଥାପନ କରିବା ନିମନ୍ତେ ଚିଠି କରିଥିଲେ । କପ୍ତିପଦା ବ୍ଲକ ନିମନ୍ତେ ସମୁଦାୟ ଦୁଇ ଗୋଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ(EMRS) ସ୍ଥାପନ ନିମନ୍ତେ ଚିଠି ଜାରି ହୋଇ ଥିଲା ଏବଂ ସେଥିରୁ ଗୋଟିଏ କପ୍ତିପଦାରେ ସ୍ଥାପନ ହୋଇଅଛି । ତେବେ ଶରତ(ଦେୱାନବାହାଳୀ) ନିମନ୍ତେ ଅନୁମୋଦିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ତତ୍କାଳୀନ କେନ୍ଦ୍ରୀୟ ଆଦିବାସୀ ବ୍ୟାପାର ବିଭାଗ ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଉଦ୍ଦେଶ୍ୟମୂଳକ ଭାବେ ଉକ୍ତ ବିଦ୍ୟାଳୟକୁ ଗୋପବନ୍ଧୁନଗ-୨ ବ୍ଲକକୁ ସ୍ଥାନାନ୍ତର କରି ନେଲେ ଏବଂ ତାହା ବର୍ତମାନ ସେଠାରେ ନିର୍ମାଣ ଚାଲିଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ , ନିର୍ଦ୍ଦିଷ୍ଟ ଭାବେ ଶରତ(ଦେୱାନବାହାଳୀ) ନିମନ୍ତେ ଅନୁମୋଦିତ ହୋଇଥିବା ପ୍ରକଳ୍ପକୁ କେଉଁ ଉଦ୍ଦେଶ୍ୟରେ ତତ୍କାଳୀନ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ମନ୍ତ୍ରୀ ବିଶେଶ୍ୱର ଟୁଡୁ ସ୍ଥାନାନ୍ତର କରି ନେଲେ ତାହା ନେଇ ଶରତ ଅଞ୍ଚଳବାସୀଙ୍କ ମନ ଭିତରେ ଆଲୋଡନ ସୃଷ୍ଟି କରିଛି। ଚୀର ଅବହେଳିତ ଶରତ ଅଞ୍ଚଳର ଆଦିବାସୀଙ୍କ ସାମାଜିକ ଏବଂ ଶିକ୍ଷାଗତ ଜୀବନରେ ଉନ୍ନତି ଆଣିବା ନିମନ୍ତେ ଏକ ସିବିଏସଇ ପାଟେନ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନିମନ୍ତେ ଆଜି ଦାବିପତ୍ର ପ୍ରଦାନ କରା ଯାଇଛି। “ଶରତ ବିକାଶ ମଞ୍ଚ”ର ସଦସ୍ୟମାନେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ ଯାଇଥିବା ବେଳେ ସେଠାରେ ଉଦଳା ବିଧାୟକ ଭାସ୍କର ମଢେଇ ମଧ୍ୟ ଉପସ୍ଥିତ ଥିଲେ ତେଣୁ ସେମାନେ ତାଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଉଦଳା ବାର ଆସୋସିଏସନର ଆଇନଜୀବୀ କମଳାକାନ୍ତ ମହାନ୍ତି, “ଶରତ ବିକାଶ ମଞ୍ଚ” ସଭାପତି ଗାମାଏ ରୀମିଲ ସିଂ ଗୋଇପାଇ, ଯୁଗ୍ମ ସମ୍ପାଦକ ଜାମାଦାର ବାଲମୁଚୁ, ସମାଜସେବୀ ବାଗୁନ ବାନାରା , ଆରୁଲ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଶରତ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରାଗଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିକାଶ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *