କାର୍ଯ୍ୟକ୍ଷମ ନହୋଇ ଭୁତକୋଠି ପାଲଟିଛି ପଶୁ ସହାୟକ କେନ୍ଦ୍ର

ଗଣିଆ – ଗ୍ରାମାଞ୍ଚଳରେ ଗୃହପାଳିତ ଜୀବ ଜନ୍ତୁ ମାନଙ୍କର ହିତ ସାଧନ ପାଇଁ ପଶୁ ସହାୟକ କେନ୍ଦ୍ର ନିର୍ମାଣ କରାଯାଉଛି । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ତେବେ ସରକାରଙ୍କର ଏହି ଯୋଜନା ପ୍ରକୃତରେ କେତେ କାର୍ଯ୍ୟକାରୀ ହେଉଛି ସେ କଥା କେହି ଚିନ୍ତା କରୁନାହାନ୍ତି । ଫଳରେ “ସରକାର କା ମାଲ୍ ଦରିଆମେ ଡାଲ୍” ନ୍ୟାୟରେ ପଡ଼ିରହିଛି ଯୋଜନା । ନୟାଗଡ଼ ଜିଲ୍ଲା ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତରେ ନିର୍ମାଣ କରାଯାଇଛି ପଶୁ ସହାୟକ କେନ୍ଦ୍ର । ତେବେ ନିର୍ମାଣ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ କେନ୍ଦ୍ରଟି ଅଦରକାରୀ ତଥା ଅବ୍ୟବହୃତ ହୋଇ ପଡ଼ିରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତିି । ପଶୁ ସହାୟକ କେନ୍ଦ୍ର ସହିତ କ୍ୱାର୍ଟର ମଧ୍ୟ ନିର୍ମାଣ କରାଯାଇଛି । କିନ୍ତୁ ବିଭାଗୀୟ ଅଧିକାରୀ ଏହି ପଶୁ ସହାୟକ କେନ୍ଦ୍ରକୁ ଆଡ ଆଖିରେ ଚାହୁଁ ନାହାନ୍ତି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଉକ୍ତ କେନ୍ଦ୍ର ଏବେ ଭୂତକୋଠି ପାଲଟିଛି ।

ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇ ସରିସୃପ ମାନଙ୍କର ଆଶ୍ରୟ ସ୍ଥଳୀରେ ପରିଣତ ହୋଇଛି । ଆଉ ଗୋଟିଏ କଥା ଗ୍ରାମ ଠାରୁ ପ୍ରାୟ ୨ କିଲୋମିଟର ଦୂର ଜଙ୍ଗଲ ଭିତରେ ଅପାନ୍ତର ସ୍ଥାନରେ ଏହା ନିର୍ମାଣ କରାଯାଇଛି ଯେଉଁଠିକି ସ୍ଥାୟୀ ରାସ୍ତା କି ପାଦଚଲା ରାସ୍ତା ମଧ୍ୟ ନାହିଁ । ଯାହା ଫଳରେ ଏହା କୈାଣସି କାମରେ ଆସୁନାହିଁ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କେନ୍ଦ୍ରଟି ଆରମ୍ଭରୁ ବ୍ୟବହାର ହୋଇନଥିଲେ ମଧ୍ୟ ପ୍ରତିବର୍ଷ ଏହାର ମରାମତି ଏବଂ ଉନ୍ନତିକରଣ ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *