ଚାଲିଛି ବେଧଡକ ବାଲି ଚୋରା ଚାଲାଣ
କୋଣାର୍କ,୧୯.୦7- କୋଣାର୍କ ଥାନା ଅନ୍ତର୍ଗତ କାକଟପୁର ତହସିଲ ଅଧିନସ୍ଥ ଚିତ୍ରେଶ୍ବରି ଆରଆଇ ସର୍କଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ବେଧଡକ ବାଲି ଚୋରା ଚାଲାଣ ଚାଲିଥିବା ବେଳେ ଜିଲ୍ଲା ଖଣିଜ ଅଧିକାରୀ ପରିଦର୍ଶନରେ ଆସୁ ନାହାଁନ୍ତି କି ସ୍ଥାନୀୟ ପୋଲିସ ପ୍ରଶାସନ କୌଣସି ସହଯୋଗ କି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ଯାହା ଫଳରେ ହାତ ବାନ୍ଧି ବସିଛି ତହସିଲ ପ୍ରଶାସନ। ସୁଚନା ଅନୁଯାୟୀ ଚିତ୍ରେଶ୍ବରି ଆରଆଇ ସର୍କଲ ଅନ୍ତର୍ଗତ ବାଲିଦୋକାନ ଗୋଧନପଡା ଗ୍ରାମ ଛକରେ ଥିବା ସରକାରୀ ଅନାବାଦୀ ଜମି ଦର୍ଶନୀବନ୍ତରୁ ଶନିବାର ଦିନ ପୂର୍ବାହ୍ନରେ ଟ୍ରାକ୍ଟର ସାହାର୍ଯ୍ୟରେ ବାଲି ଚୋରା ଚାଲାଣ ହେଉଥିବାବେଳେ ଚିତ୍ରେଶ୍ୱରି ଆରଆଇ ସୁଭଜିତ ସାହୁ ଘଟଣା ସ୍ଥଳରେ ପହଞ୍ଚି ଅଟକାଇବାରୁ ତାଙ୍କୁ ଓ ତାଙ୍କ କର୍ମଚାରୀଙ୍କୁ ଟ୍ରାକ୍ଟର ମାଲିକ ଓ ତାଙ୍କ ଭାଇ ସେଠାରେ ପହଞ୍ଚି ଦୁର୍ବ୍ୟବହାର କରି ଗାଡ଼ି ନେଇ ଫେରାର ହୋଇଯାଇଥିଲେ । କୋଣାର୍କ ପୋଲିସକୁ ତହସିଲଦାର ଫୋନ୍ କରି ଜଣାଇଥିଲେ ମଧ୍ୟ ସେମାନେ ଘଟଣା ସ୍ଥଳରେ ପହଞ୍ଚି ନଥିଲେ। ଯାହା ଦ୍ଵାରା ଆରଆଇ ଓ କର୍ମଚାରୀ ମାନେ ସେଠାରୁ ହାତ ବାନ୍ଧି ଫେରିଥିଲେ। ଏଥି ସହିତ ଚିତ୍ରେଶ୍ବରି ଆରଆଇ ସର୍କଲ ଅନ୍ତର୍ଗତ ଚିତ୍ରେଶ୍ବରି, ଗୁହାଳପୁର, ନୂଆଗାଁ, ଖନ୍ଦୋଳ, ଜମରା, କୁରୁଜଙ୍ଗ ଓ କୁଞ୍ଜ ଆଦି ମୌଜାର ସରକାରୀ ଅନାବାଦି ଓ ଗୋଚର ଜମିରୁ ନିୟମିତ ବାଲି ଚୋରା ଚାଲାଣ ହେଉଥିବା ମଧ୍ଯ ଦେଖିବାକୁ ମିଳୁଛି।

ବାଲି ମାଫିଆ ମାନେ ମେସିନ ଓ ଟ୍ରାକ୍ଟର ଲଗାଇ ରାତିରେ ଶହ ଶହ ଟ୍ରିପ ବାଲି ଚୋରି କରି ନେଉଛନ୍ତି। ଖଣିଜ ବିଭାଗ ଦାୟିତ୍ଵ ଥିବାରୁ ବାଲି ମାଫିଆଙ୍କ ସମ୍ପର୍କରେ ଥିବା ଜିଲ୍ଲା ଖଣିଜ ଅଧିକାରୀ ପୁରୀରେ ରହୁଛନ୍ତି। ତେଣୁ ମାଫିଆ ମାନଙ୍କୁ ଦିନ ଓ ରାତିରେ ବାଲି ଚୋରା ଚାଲାଣ ପାଇଁ କୌଣସି ଅସୁବିଧା ହେଉନାହିଁ। ପୋଲିସ ପ୍ରଶାସନକୁ ହାତରେ ରଖି ନମ୍ବର୍ ବିହୀନ ଟ୍ରାକ୍ଟର ରେ ନିର୍ଦ୍ଧୁମ ବୋହୁଛନ୍ତି। ଏଥି ସହିତ ପରିବହନ ବିଭାଗ ମଧ୍ଯ କୌଣସି ଚାଲାଣ କାଟୁ ନାହାଁନ୍ତି। ତହସିଲ ପ୍ରଶାସନ ମଧ୍ଯ ସବୁ ଜାଣି ଦେଖି ଚୁପ୍ ରହି ହାତ ବାନ୍ଧି ବସିଛି। ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ସେସ୍ ରାଜ୍ଵସ ହାନି ହେଉଛି। ଏଣୁ ପୁରୀ ଜିଲ୍ଲାପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୱସ ବିଭାଗ ଓ ରାଜ୍ଵସ ମନ୍ତ୍ରୀ ସୁରେଶ୍ ପୂଜାରୀ ଏଥିପ୍ରତି ଗୁରୁତ୍ବ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।
