ଶ୍ରାବଣ ସୋମବାର

             ଶ୍ରାବଣ ସୋମବାର
         ( ରାଗ — ଶଙ୍କରାଭରଣ )

   🖊️କବିରତ୍ନ ନୂତନ କୁମାର ବେହେରା

ଦେବ ଦେବ ମହାଦେବ ଭବାନୀଶଙ୍କର
ଭକତ ବତ୍ସଳ ପ୍ରଭୁ ଭୋଳା ମହେଶ୍ଵର,
ତାଙ୍କ ପାଦେ ରଖି ଧ୍ୟାନ
ଧନ୍ୟ ହେଉ ଜୀବନ କରି ବ୍ରତ ପାଳନ।୧।

ସୁଦୟା କରି ଦିଅନ୍ତି ଯେବେ ବରଦାନ
ଭବ ସାଗରରୁ ଦୂର ହୁଏ ବାଧା ବିଘ୍ନ,
ସେ ଆଶୁତୋଷ ପିନାକୀ
ମନବାଞ୍ଛା ପୂର୍ଣ୍ଣ କରନ୍ତି ନ ରଖି ବାକି।୨।

ଆସିଲେ ଧାରା ଶ୍ରାବଣ ମାସ ସୋମବାର
କାଉଡ଼ିଆ ଜଳ ନେଇ ଆସଇ ମନ୍ଦିର,
ଜଳାଭିଷେକର ଲାଗି
ପବିତ୍ର ମନେ ପ୍ରାଣେ ହୋଇ ସେ ଅନୁରାଗୀ।୩।

ଦୂର ନଦୀରୁ ଜଳ ଭରି ମାଟି କୁମ୍ଭରେ
କାନ୍ଧେଇ ଭାର ଚାଲି ଆସେ ଖାଲି ପାଦରେ,
ବୋଲବମ୍ ଜପି ଜପି
ଏକ ଧ୍ୟାନେ ଗାଏ ମନ୍ତ୍ର ଥକେନା କଦାପି।୪।

ପୂଜା ଅର୍ଚ୍ଚନା କରି ସେ ଶୁଭ ମନାସଇ
ଶିବ ଶିରେ ଢ଼ାଳି ଜଳ ସନ୍ତୁଷ୍ଟ ହୁଅଇ,
ଚରଣେ ଶରଣ ନେଇ
ଜୀବନର ସଂକଳ୍ପକୁ ପୂରଣ କରଇ।୫।

ବାବା ଭୋଳାନାଥ ପଶୁପତି ମହାଯୋଗୀ
ଶ୍ମଶାନ ବାସୀ ଡମ୍ଵୁରଧାରୀ ମହାତ୍ୟାଗୀ,
ତାଙ୍କ କରୁଣା ଅଶେଷ
ଭକତର ଭକତିରେ ଦିଅନ୍ତି ଆଶିଷ।୬।

ଦୁଷ୍ଟ ସଂହାରି ସନ୍ଥ ପାଳନ୍ତି ଧରାଧାମେ
ଦୁଃଖୀଜନ ତରି ଯାଏ ଭବୁ ତାଙ୍କ ନାମେ,
ଦେବ ମଧ୍ୟେ ମହାଦେବ
ସେ ରଖନ୍ତି ନାହିଁ କେବେ କାହାରି ଅଭାବ।୭।

ସେ ତ୍ରିକାଳଦର୍ଶୀ ହରିହର ଶୂଳପାଣି
ବରଦାନ କରିଥାନ୍ତି ଭକ୍ତ ମନ ଜାଣି,
ପ୍ରଣମି ତାଙ୍କ ଚରଣ
ଶ୍ରଦ୍ଧାଳୁ ଭକତ କରେ ତା’ ବ୍ରତ ପାଳନ।୮।

    କୋହି,ବାରିପଦା,ମୟୂରଭଞ୍ଜ,
 ଦୂରଭାଷା -- ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *