ବେଦୀରୁ ଉଠି ପଳାଇଲା କନ୍ୟା, ବେଦୀରେ ବର ଅଚେତ

ବାଲେଶ୍ଵର,୧୯/୦୫– ବାହାଘର ବେଦୀରୁ ଉଠି ପଳାଇଲା କନ୍ୟା । ବାହା ହେବାକୁ ଆସି ହଟହଟା ହେଲା ବର । ଶିଶୁପାଳ ହୋଇ ଫେରିଗଲା ବର । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାହାଘର ସମୟର ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାହାଘର ସମୟରେ କନ୍ୟା ହାତରୁ ଶଙ୍ଖା ଖୋଲି ଦେବାରୁ ପରିବାର ଲୋକେ ଯୁବତୀକୁ ମାଡ଼ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଜଳେଶ୍ଵର ଥାନା ଅନ୍ତର୍ଗତ ଦେବକୁମାର ଗ୍ରାମର ଜନୈକ ଯୁବକଙ୍କ ବାହାଘର ବାଲିଆପାଳ ଥାନା ରେମୁ ଗ୍ରାମରେ ଜନୈକା ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା। ମାତ୍ର ପୂର୍ବରୁ ଯୁବତୀ ଜଣକ ଅନ୍ୟ ଜଣେ ଯୁବକକୁ ଭଲ ପାଇଥିବାରୁ ସେ ବାହା ହେବା ପାଇଁ ରାଜି ହୋଇ ନଥିଲେ। ମାତ୍ର ଯୁବତୀଙ୍କ ପରିବାର ଲୋକେ ଜୋର ଜବରଦସ୍ତ କରି ଯୁବତୀଙ୍କୁ ବିବାହ କରିବା ପାଇଁ କହିଥିଲେ । ତେବେ ଗତ ୧୩ ତାରିଖରେ ବର ଜଣକ ବରଯାତ୍ରୀ ନେଇ ଯୁବତୀଙ୍କ ଘରେ ପହଞ୍ଚିବା ପରେ ଉଭୟ ବର କନ୍ୟା ବେଦୀରେ ବସି ହାତଗଣ୍ଠି ପଡିବା ପରେ ପରେ ବର କନ୍ୟାକୁ ସିନ୍ଦୁର ପିନ୍ଧାଇବା ସମୟରେ ଯୁବତୀ ଜଣକ ବେଦୀରୁ ଉଠି ପଡିବା ସହ ହାତରୁ ଶଙ୍ଖା ଖୋଲି ଦେଇ ବର ଉପରକୁ ଫୋପାଡି ଦେଇଥିଲେ । ସେ ପୂର୍ବରୁ ଅନ୍ୟ ଜଣକୁ ବାହା ହୋଇଛନ୍ତି ,ତେଣୁ ପୁଣିଥରେ ବାହା ହେବେନି ବୋଲି ସିଧା ସିଧା ମନା କରିଦେଇଥିଲେ । ଏହା ଦେଖି ବର ଜଣକ ବେଦୀରେ ବେହୋସ ହୋଇଯାଇଥିଲେ। ତେବେ ଯୁବତୀଙ୍କ ପରିବାର ଲୋକେ ଯୁବତୀଙ୍କୁ ସେଠାରେ ମାଡ ମାରୁଥିବାର ଦୃଶ୍ୟ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ- ବିଷ୍ଣୁପଦ ପତି, ବାଲେଶ୍ଵର

Leave a Reply

Your email address will not be published. Required fields are marked *