ଦୂର୍ନୀତି : ଆମ ପ୍ରଗତିର ଅନ୍ତରାୟ

ଦୂର୍ନୀତି : ଆମ ପ୍ରଗତିର ଅନ୍ତରାୟ
ଡ. ପ୍ରେମାନନ୍ଦ ବେହେରା

ଭାରତରେ ବିଭିନ୍ନ ସମସ୍ୟା ମଧ୍ୟରେ ବର୍ତ୍ତମାନ ଏକ ବଡ଼ ସମସ୍ୟା ହେଉଛି ଦୁର୍ନୀତି ଓ ଭ୍ରଷ୍ଟାଚାର । ସ୍ବାଧୀନତାର ସ୍ବାଦ ଚାଖିଲା ପରେ ପରେ ଏହି ସମସ୍ୟାର ସମାଧାନ ପାଇଁ ଭାରତ ତଥା ବିଭିନ୍ନ ରାଜ୍ୟ ସରକାର ଚିନ୍ତିତ ହୋଇପଡ଼ିଛନ୍ତି । ସାଧାରଣ ଜନତା ଏପରିକି ଖଟିଖିଆ ମଣିଷ, ଦିନ ମଜୁରିଆ ମଧ୍ୟ ଏହାର କାୟାରୁ ନିସ୍ତାର ପାଇ ପାରୁନାହାନ୍ତି । ଜନସାଧାରଣଙ୍କ ବିକାଶ ପାଇଁ ସରକାରଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ସତ, କିନ୍ତୁ ଏହାଦ୍ବାରା ପ୍ରକୃତରେ କିଏ ଲାଭବାନ ହେଉଛି – ବର୍ତ୍ତମାନ ହେଉଛି ଏହା ବିଶ୍ଳେଷଣ କବିବାର ସମୟ ।

ବର୍ତ୍ତମାନ ଦୁର୍ନୀତି ଓ ଭ୍ରଷ୍ଟାଚାର କରୋନା ଭାଇରସ ପରି କାୟା ବିସ୍ତାର କରିସାରିଛି । କରୋନାକୁ ତ ସାରା ବିଶ୍ଵର ଲୋକେ ମିଳିମିଶି ନିୟନ୍ତ୍ରଣରେ ରଖିପାରିଲେ । ଦୁର୍ନୀତି ଓ ଭ୍ରଷ୍ଟାଚାର ସମୂଳେ ଉତ୍ପାଟନ କରିବାର ଉପାୟ କଣ ? ଏହା ଆମ ମହାନ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ କଳୁଷିତ କରିବାରେ ଲାଗିଛି । ପ୍ରତିଦିନ ଖବର କାଗଜ ପୃଷ୍ଠା ମଣ୍ଡନ କରେ ଦୁର୍ନୀତିଗ୍ରସ୍ତ ଉଚ୍ଚପଦସ୍ଥ ଅଧିକାରୀ, କର୍ମଚାରୀ, ଡାକ୍ତର, ଇଞ୍ଜିନିୟର, କିରାଣୀ, ଶିକ୍ଷକ ଇତ୍ୟାଦିଙ୍କ କଳା କାରନାମାର ଖବର । ଆୟ ବହିର୍ଭୁତ ସମ୍ପତ୍ତି ଠୋଳ ମାମଲାରେ ଛନ୍ଦି ହୋଇଥିବା ନୀଳବର୍ଣ୍ଣ ଶୃଗାଳଙ୍କ ସମ୍ବାଦ । ଏମାନେ ସମାଜର କଳଙ୍କ । ପୃଥିବୀ ପାଇଁ ଏମାନେ ବୋଝ ।

ବିନା ଉତ୍କୋଚରେ ବର୍ତ୍ତମାନ କୌଣସି କାର୍ଯ୍ୟ ସମ୍ଭବ ହେଉନାହିଁ । ଇନକ୍ରିମେଣ୍ଟ,, ପି.ଏଫ୍ ରୁ ଟଙ୍କା ଉଠାଣ, ଟ୍ରାନ୍ସଫର ଆଦି କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟରେ ଦି ପଇସା ହାତଗୁଞ୍ଜା ନ ଦେଲେ ଫାଇଲଟିଏ ଉପରକୁ ଉଠିବା ସମ୍ଭବପର ହେଉନାହିଁ । ଋଣ ଉଠାଣ ପାଇଁ, ବିଦ୍ୟୁତ ସଂଯୋଗ ପାଇଁ ବା ଅନ୍ୟାନ୍ୟ ସରକାରୀ ଲାଭ ପାଇବା ପାଇଁ ଚାଷୀ ଲାଞ୍ଚ ନ ଦେଲେ ତାର କାର୍ଯ୍ୟ ସମ୍ଭବ ହୋଇପାରୁନି । ଘରଟିଏ ନ ଥିବା ଗରିବ ଲୋକ ଆବାସ ଯୋଜନା ପାଇଁ ଉତ୍କୋଚ ନ ଦେଲେ ଘର ତିଆରି ପାଇଁ ସହାୟତା ପାଇପାରୁନି। ଏ ସବୁ ପାଇଁ ଦାୟୀ କିଏ ? ମୋ ମତରେ ଆମ୍ଭେମାନେ ନିଜେ ଦାୟୀ । ବାସ୍ତବରେ ଆମ ସମାଜରେ ସଚେତନତାର ଅଭାବ ରହିଛି ।

ଲୋକଦେଖାଣିଆ ଭାବରେ ପ୍ରତିବର୍ଷ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଦୁର୍ନୀତି ନ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କ ଶପଥ ପାଠ ଏକ ପ୍ରହସନରେ ପରିଣତ ହୋଇସାରିଛି । ଭିଜିଲାନ୍ସ ବିଭାଗ ତାର କାର୍ଯ୍ୟରେ ତତ୍ପର । କିନ୍ତୁ ଆମେମାନେ ଯଦି ସେମାନଙ୍କୁ ସାହାଯ୍ୟ କରିବାନି ତେବେ ସମାଜରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢି ଚାଲିଥିବ । ଜନତାର ସାହାଯ୍ୟ ବିନା ସବୁ ମୂଲ୍ୟହୀନ ହୋଇପଡିବ । ଲାଞ୍ଚ ଦେବା ଓ ନେବା ଅପରାଧ । ଏ ବିଷୟରେ ସମସ୍ତେ ଅବଗତ । କେତେଜଣ ଏହାକୁ ଅନୁସରଣ କରୁଛନ୍ତି । ପ୍ରାୟ ସବୁ ଅଫିସରେ ଚତୁର୍ଥ କର୍ମଚାରୀଙ୍କଠୁଁ ଆରମ୍ଭ କରି ବଡ଼ ବଡ଼ ଅଫିସର ଦୁର୍ନୀତିଗ୍ରସ୍ତ । ତଥାପି ହାତ ଗଣତି କେତେଜଣ ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଅଛନ୍ତି । ସେମାନେ ପ୍ରକୃତରେ ଭାରତମାତାର ଯୋଗ୍ୟ ସନ୍ତାନ ।

ବର୍ତ୍ତମାନ ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରାଯାଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ୨୦୨୨ ମସିହାର ଶେଷ ୯ ମାସ ମଧ୍ୟରେ ରାଜ୍ୟର ୪୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଓ ୪୦ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ। ସେମାନଙ୍କ ଭିତରୁ ୨୬ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସମେତ ୧୫୨ ଜଣଙ୍କୁ ଗିରଫ କରାଯାଇଥିଲା।

ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର ହେଉଛି ଯେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ପର୍ଦ୍ଦାଫାଶ କରିବା ସଂଗେ ସଂଗେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିବାରେ ଓଡ଼ିଶାର ଭିଜିଲାନ୍ସ ବିଭାଗ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷକ ଭିତରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସର୍ବାଧିକ ପରିମାଣର ଟଙ୍କା ଓ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିବାରେ ରେକର୍ଡ ସୃଷ୍ଟି କରିପାରିଛି। ଜାତୀୟ କ୍ରାଇମ୍‌‌ ରେକର୍ଡ ବ୍ୟୁରୋ ଦ୍ୱାରା ଏହି ତଥ୍ୟ ପ୍ରଦାନ କରାଯାଇଛି। ସରକାର ଦୁର୍ନୀତି ବିରୋଧରେ ଯେଉଁ ଦୃଢ଼ ପଦକ୍ଷେପ ନେଉଛନ୍ତି, ତାହାକୁ ସଫଳ କରିବା ପାଇଁ ସବୁ ସ୍ତରରୁ ସହଯୋଗର ହାତ ବଢ଼଼ାଯିବା ଆବଶ୍ୟକ । ଦୁର୍ନୀତି ଯେତେଦିନ କାୟା ବିସ୍ତାର କରିଥିବ ସେତେଦିନ ପର୍ଯ୍ୟନ୍ତ ଆମ ତଥା ଆମ ମାତୃଭମିତ ଉନ୍ନତି ଅସମ୍ଭବ । ଦୁର୍ନୀତି ହେଉଛି ଆମ ପ୍ରଗତିର ପ୍ରଧାନ ଅନ୍ତରାୟ । ତେଣୁ ହେ ବିଜ୍ଞ ଦେଶବାସୀ ! ଆସନ୍ତୁ ସମସ୍ତେ ମିଶି ଦୁର୍ନୀତିର ମୂଳୋତ୍ପାଟନ କରି ଆମ ସମାଜରୁ କଳଙ୍କିତ ଅଧ୍ୟାୟର ପରିସମାପ୍ତି କରିବା । ଏକ ବିକଶିତ ରାଷ୍ଟ୍ର ଗଠନରେ ସହାୟକ ହେବା ।

ମୁଖ୍ୟ ଉପଦେଷ୍ଟା
ମାନସିଂହ ସାହିତ୍ୟ ସଂସଦ
ନନ୍ଦଳା, ପୁରୀ

ପ୍ରଧାନଶିକ୍ଷକ
ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ
ବୁରୋମୁଣ୍ଡା, ବରଗଡ଼
ମୋ. ୯୪୩୮୨୯୨୩୧୩

Leave a Reply

Your email address will not be published. Required fields are marked *