ନିଶାମୁକ୍ତ ଭଷାଣୀ, ପ୍ରାଣଘାତୀ ଡିଜେ ମୁକ୍ତ ରୋଷଣୀ ଦାବି କଲା ବରିଷ୍ଠ ନାଗରିକ ମଞ୍ଚ
ଖୋର୍ଦ୍ଧା,୩୧ା୮: ପାର୍ବଣ ଋତୁରେ ଦେବା ଦେବୀଙ୍କ ବିସର୍ଜନ ଏବଂ ବିବାହ ଉତ୍ସବର ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ଆନନ୍ଦମୟ କରିବାକୁ ସଙ୍ଗୀତ, ନୃତ୍ୟ, ରୋଷଣୀ ଆମ ସାମାଜିକ ଜୀବନର ଅଂଶ ବିଶେଷ । କିନ୍ତୁ ବର୍ତମାନ ଏଥିରେ ଦେଖାଦେଇଥିବା ସ୍ଖଳନ ଉଦବେଗଜନକ ସ୍ଥିତିରେ ପହଁଚିଲାଣି । ଏହାର ପ୍ରତିକାର ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବାକୁ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ନିବେଦନ କରାଯାଇଅଛି । ନିଶାମୁକ୍ତ ଭଷାଣୀ ଓ ପ୍ରାଣଘାତୀ ଡିଜେ ମୁକ୍ତ ରୋଷଣୀ ଦାବି କରିଛି ମଂଚ । ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ମଂଚ ର ସଭାଗୃହରେ ଅନୁଷ୍ଠିତ ବୈଠକରେ ଦେବପ୍ରସାଦ ମଜୁମଦାର ପୌରହିତ କରିଥିଲେ । ସହସମ୍ପାଦକ ସନ୍ତୋଷ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ । କେଦାରନାଥ ରାୟ, ଦୁର୍ଗାପ୍ରସାଦ ମିଶ୍ର, ମନୋରଞ୍ଜନ ଜେନା, ଅଖିଳ କୁମାର ପ୍ରଧାନ, ଡାକ୍ତର ବାସୁଦେବ ପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଆମର ଆନନ୍ଦ ଅନ୍ୟମାନଙ୍କ ଦୁଃଖର କାରଣ ହେବା ଉଚିତ ନୁହେଁ । ଏବେ ମଧ୍ୟ ଓଡ଼ିଶାର ପାରମ୍ପାରିକ ବାଦ୍ୟର ତାଳେ ତାଳେ ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ଶୋଭାଯାତ୍ରା ଅନୁଷ୍ଠିତ ହେଉଅଛି । ପ୍ରାଣଘାତୀ ଶବ୍ଦ ସୃଷ୍ଟିକାରୀ ଡିଜେ ଗାଡି ଯାଉଥିବା ରାସ୍ତାର ଉଭୟ ପାର୍ଶ୍ୱରେ ଅବସ୍ଥିତ ଗୃହରେ ବୟସ୍କ ବ୍ୟକ୍ତି, ଅସୁସ୍ଥ ରୋଗୀ, ଗର୍ଭବତୀ ମହିଳା, ଶିଶୁମାନଙ୍କ ଯନ୍ତ୍ରଣାଦାୟକ ଅବସ୍ଥାକୁ ବିଚାର କରିବା ଉଚିତ ବୋଲି ସଭାରେ ମତ ପ୍ରକାଶ କରାଯାଇ ଅଛି । ନିଶା ମୁକ୍ତ ଭଷାଣୀ ସହିତ ଡିଜେ ମୁକ୍ତ ରୋଷଣୀ କୁ ବିଚାର କରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପୂଜା କମିଟିର କର୍ମକର୍ତା ଏବଂ ବିବାହ ଶୋଭାଯାତ୍ରାରେ ବରଯାତ୍ରୀ ଦଳଙ୍କୁ ବରିଷ୍ଠ ନାଗରିକ ମଂଚ ନିବେଦନ କରିଅଛି । ମଂଚ ପକ୍ଷରୁ ଆୟୋଜିତ ବୈଠକରେ ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଂଘ ର ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ସାମ୍ବାଦିକ ରଞ୍ଜିତ କେ.ଏନ୍. ସାମନ୍ତରାୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଂଚର ଦେଢଶହ ରୁ ଉଦ୍ଧ୍ୱର୍ ସଦସ୍ୟ/ସଦସ୍ୟା ସାମିଲ ଥିଲେ । ଶେଷରେ ମଂଚର ସମ୍ପାଦକ ରାମଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ ।
