ଛାତରୁ ପ୍ଲାଷ୍ଟର ଖସିବାରୁ ୩ ଛାତ୍ରୀଙ୍କ ମୁଣ୍ଡ ଫାଟିଛି ।
Date:- 05/09/2025Place:- ବାସୁଦେବପୁର: ସ୍କୁଲ୍ ଛାତରୁ ଖସିଲା ପ୍ଲାଷ୍ଟର ଖଣ୍ଡ । ଗୁରୁ ଦିବସରେ ଏଭଳି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲାର ବୋହୂମାଘେରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ପାଠପଢ଼ା ପରେ ପିଲା ଖାଇବାକୁ ଯିବା ସମୟରେ ଏ ଅଘଟଣ ଘଟିଛି । ଛାତରୁ ପ୍ଲାଷ୍ଟର ଖସିବାରୁ ୩ ଛାତ୍ରୀଙ୍କ ମୁଣ୍ଡ ଫାଟିଛି । ଆହତ ଛାତ୍ରୀଙ୍କୁ ଶିକ୍ଷକ ଓ ଅଭିଭାବକ ନେଇ ବାସୁଦେବପୁର ମେଡିକାଲ୍ରେ ଭର୍ତ୍ତି କରିଛନ୍ତି ।ଅଘଟଣ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ ମାଝୀ କହିଛନ୍ତି, ଏହା ଦୁଃଖଦ ଘଟଣା । ଏଥିପାଇଁ ପ୍ରଶାସନ ଦାୟୀ ରହିବ । ଆଜି ପିଲାଙ୍କର କିଛି ହୋଇଥିଲେ ମୋତେ ଗିରଫ କରାଯାଇଥାନ୍ତା । ବିଦ୍ୟାଳୟ କୋଠା ଅସୁରକ୍ଷିତ ହୋଇ ପଡ଼ିଥିବା ବେଳେ ପିଲାର ଦୁର୍ବଳ ହୋଇ ଯାଇଛି । ଛାତରୁ ପାଣି ଗଳୁଛି, ରଡ୍ ଦେଖା ଯାଉଛି । କୋଠାର ଅବସ୍ଥା ନେଇ ବିଇଓଙ୍କ ଠାରୁ ଡିଇଓ ସମସ୍ତଙ୍କୁ ପୂର୍ବରୁ ଅବଗତ କରାଇଥିବା କହିଛନ୍ତି ପ୍ରଧାନଶିକ୍ଷକ ।ପ୍ଲାଷ୍ଟର ଖସିବା ପରେ ଅଭିଭାବକଙ୍କ ଅସନ୍ତୋଷ ତେଜିଛି ।

ବାରମ୍ବାର ଅଭିଯୋଗ ପରେ ବି କୋଠା ମରାମତି ହେଉ ନାହିଁ । ଏଥିପାଇଁ ପ୍ରଶାସନକୁ ଲୋକେ ଦାୟୀ କରିଛନ୍ତି । ଆଜି ପ୍ଲାଷ୍ଟର ଖସିବା ପରେ ନୂଆ କୋଠା ନ ହେବା ପର୍ଯ୍ୟନ୍ତ ପିଲାଙ୍କୁ ଆଉ ପାଠ ପଢ଼ିବାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି ଅଭିଭାବକ । ତେବେ ଏନେଇ ବ୍ଲକ ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।ବୋହୂମାଘେରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାରୁ ନେଇ ପଞ୍ଚମ ଶ୍ରେଣୀ ରହିଛି । ଏଠାରେ ୩୧ ଜଣ ପିଲା ପାଠ ପଢ଼ୁଛନ୍ତି । ଶୁକ୍ରବାର ଘଟିଥିବା ଅଘଟଣରେ ୨ ଜଣ ଶିଶୁ ବାଟିକା ଛାତ୍ରୀଙ୍କ ସହ ଦ୍ଵିତୀୟ ଶ୍ରେଣୀର ଜଣେ ଛାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
