ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଲା ଅଖିଳ ଭାରତ ଛାତ୍ର ଯୁବ ସଙ୍ଗଠନ

ପୋଲସରା, ତା. ୦୭. ୦୯. ୨୫ ରିଖ ଓଡ଼ିଶା ରାଜ୍ୟ ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘର ଡାକରା କ୍ରମେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଦୀର୍ଘ ୨୦ଦିନରୁ ଅନୁଦାନ ଓ ସରକାରୀ ସହାୟତା ଦାବିନେଇ କଲେଜ ସମ୍ମୁଖରେ ଚାଲୁ ରଖିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆଣ୍ଡ ୟୁଥ୍ ଅର୍ଗନାଇଜେସନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସମର୍ଥନ ଜଣାଇଛନ୍ତି l ଆବାହକ ଲଡ଼ୁ ଶବର ଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଧାରଣା ସ୍ଥଳକୁ ଯାଇ ଆନ୍ଦୋଳନରତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ତାହା ସହିତ ତୁରନ୍ତ ଦାବି ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ପୋଲସରା ବ୍ଲକ୍ ଅଂଚଳରେ ଉଚ୍ଚ ଶିକ୍ଷାର ପ୍ରସାର ଦିଗରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯଥେଷ୍ଟ ଅବଦାନ ରହିଛି l ଏଠାରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଦୀର୍ଘ ୧୭ବର୍ଷରୁ ବିନା ପାରିଶ୍ରମିକରେ କାମ କରିଆସୁଛନ୍ତି l ଏହି ଦୀର୍ଘ ବର୍ଷ ମଧ୍ୟରେ ଶହ ଶହ ଛାତ୍ର ଛାତ୍ରୀ ଏଠାରୁ କୃତକାର୍ଯ୍ୟ ହୋଈ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି l ତା’ ସହ ଏହି ମହାବିଦ୍ୟାଳୟ ନିଜର ଗୌରବକୁ ମଧ୍ଯ ଅକ୍ଷୁର୍ଣ୍ଣ ରଖିଛି କିନ୍ତୁ ଦୁଃଖର କଥା ଏଠାରେ କର୍ମରତ କର୍ମଚାରୀଙ୍କ ଯଥେଷ୍ଟ ଅବଦାନ ସତ୍ତ୍ୱେ ସେମାନଙ୍କ ଆବଶ୍ୟକତା ବା ସମସ୍ୟା ପ୍ରତି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଦୃଷ୍ଟି ଦେଇନାହାନ୍ତି, ବାରମ୍ବାର ଗୁହାରି ସତ୍ତ୍ୱେ ସେମାନଙ୍କୁ ଅଣଦେଖା କରାଯାଇଛି l ଏଣୁ ଧର୍ଯ୍ୟର ସହ ଦୀର୍ଘ ୧୭ବର୍ଷରୁ ବିନା ପାରିଶ୍ରମିକରେ କାମ କରିବା ପରେ ବାଧ୍ୟ ହୋଇ ଆଜକୁ ୨୦ ଦିନ ଧରି କଲେଜ ସମ୍ମୁଖରେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଜାରୀ ରଖିଛନ୍ତି l

ବର୍ତ୍ତମାନର ପରିସ୍ଥିତିରେ ଶିକ୍ଷା ଓ ଶିକ୍ଷକ ସମାଜକୁ ଅଣଦେଖା କଲେ ଛାତ୍ର ଛାତ୍ରୀ ଗଭୀର ଭାବେ ପ୍ରଭାବିତ ହେବେ,ସେମାନଙ୍କ ଭବିଷ୍ୟତ ସଙ୍କଟରେ ପଡ଼ିଯିବ! ଏଣୁ ଧାରଣାରତ ସମସ୍ତ କର୍ମଚାରୀ ତଥା ୨୦୦୮ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀଙ୍କୁ ଗ୍ରାଣ୍ଟ ଇନ୍ ଏଡ୍ ବା ସରକାରି ଅନୁଦାନ ପ୍ରଦାନ କରାଯିବାକୁ ଦାବୀ ହୋଇଛି l ଯାହାଫଳରେ ସେମାନଙ୍କ ଆର୍ଥିକ ସ୍ୱତନ୍ତ୍ରତା ଆସିବା ସହ ଏହି ମହାବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ଅଧ୍ୟୟନ କ୍ଷେତ୍ରରେ ଉନ୍ନତି ଘଟିବ l ଛାତ୍ର ଯୁବ ସଙ୍ଗଠନର ୬ ଜଣିଆ ଟିମରେ ଆବାହକ ଲଡ଼ୁ ଶବର, ଉପଦେଷ୍ଟା ଆଇନଜୀବୀ ଅବନୀ ଗୟା, ଅନ୍ୟତମ ଉପଦେଷ୍ଟା ନିରାକାର ନାୟକ, ରଞ୍ଜନ ଶବର, ନିରଞ୍ଜନ ଶବର ତୁରନ୍ତ ଏହି ନ୍ୟାଯ୍ୟ ଦାବିକୁ ରାଜ୍ୟ ସରକାର ସମାଧାନ ନକଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଦୃଢ଼ ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *