ସରକାର ଙ୍କ ଗୋଦାମ ଘରେ ୟୁରିଆ ସାର ନାହଁ, ମାତ୍ର ଖୋଲା ବଜାରରେ ଧାର୍ଯ୍ୟ ଦର ଠାରୁ ଅଧିକା ରେ ବିକ୍ରି।

ରଘୁନାଥପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ୟୁରିଆ ସାରର ଉତ୍କଟ ଅଭାବ ଲାଗିରହିଥିବା ବେଳେ ଚାଷୀ ମାନଙ୍କ ଭାଳେଣି ପଡ଼ିଯାଇଛି। ଚାଷୀଙ୍କୁ ବିଭିନ୍ନ ପ୍ରକାର ସାର ମାର୍କଫେଡ୍ ଗୋଦାମ ଗୃହରୁ ବିଭିନ୍ନ ପ୍ରାଥମିକ ସମବାୟ ସମିତି ଦ୍ବାରା ଯୋଗାଇ ଦିଆଯାଉ ଥିବା ବେଳେ ଚଳିତ ବର୍ଷ ପର୍ଯ୍ୟାପ୍ତ ପରିମାଣର ସାର ଚାଷୀ ମାନଙ୍କୁ ଯୋଗାଇ ଦିଆଯିବା ରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରାଥମିକ ସମବାୟ ସମିତି କାର୍ଯ୍ୟାଳୟରେ ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି। କିନ୍ତୁ ବିଭିନ୍ନ ଗାଁ ଦୋକାନ ମାନଙ୍କରେ ୟୁରିଆ ସାର ସବୁ ବେନିୟମ ଭାବେ ଗଛିତ ରଖି ଚଢ଼ା ଦରରେ ପର୍ଯ୍ୟାପ୍ତ ପରିମାଣର ବିକ୍ରୟ କରୁଥିବା ବେଳେ କୃଷି ବିଭାଗ ନୀରବ ରହିବା ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏପରିକି ରଘୁନାଥପୁର ବ୍ଲକ ନିକଟରେ ଥିବା ମାର୍କଫେଡ୍ ଗୋଦାମ ଗୃହ ଆଗରେ ଗୋଟିଏ ବୋର୍ଡ ନାହିଁକି ସେ ଗୃହ କେଉଁ କାର୍ଯ୍ୟରେ ଲାଗେ ଲୋକଙ୍କୁ ବି ଜଣାନାହିଁ। କେବଳ ଅନାବନା ଘାସ ଓ ମଦବୋତଲ ଗେଟ ଉପରେ ଥାଇ ତାଲା ଝୁଲୁଛି। ଏହି ଘର ଚାବିଟି ରଘୁନାଥପୁର ଅଂଚଳର ଜଣେ ବ୍ୟକ୍ତି ବିଶେଷଙ୍କୁ ସମର୍ପି ଦିଆଯାଇଛି। ରଘୁନାଥପୁର ବ୍ଲକ ଅଞ୍ଚଳରେ ୟୁରିଆ ସାରର କୃତ୍ରିମ ଅଭାବ ନା ଏଥିରେ ଆଉ କାହାର ହାତ ଅଛି ବୋଲି ବ୍ଲକ କୃଷି ଅଧିକାରୀଣୀ ଆକାଂକ୍ଷା ପାଣିଗ୍ରାହୀଙ୍କୁ ପଚାରିବା ରେ ସେ କହିଥିଲେ ଯେ ମାର୍କଫେଡ୍ ଦ୍ଵାରା ସମସ୍ତ ପ୍ରାଥମିକ ସମବାୟ ସମିତି ମାନଙ୍କୁ ଯୋଗାଇ ଦିଆଯାଉଛି ବୋଲି ତେବେ ଚାଷୀ କାହିଁକି ବିଲରେ ସାର ପକାଇ ନପାରି ହନ୍ତସନ୍ତ ହେଉଛନ୍ତି ବୋଲି ପଚାରିବାରେ ସେ ଥମି ଯାଇ ବୁଝି କହିବେ ବୋଲି କହିଥିଲେ। ଏ ସରକାରୀ ଓ ବେସରକାରୀ ସାର ବିକ୍ରେତା ଏବଂ ମିଛ ଚଢ଼ାଉ କରୁଥିବା କୃଷି ବିଭାଗର ଅଧିକାରୀ ମାନଙ୍କ ମଧ୍ୟରେ ବଡ଼ ଧରଣର ହିସାବ, ନିକାଶ ଥିବାରୁ ଚାଷୀ ମହରଗରୁ ଯାଇ କାନ୍ତାରେ ପଡୁଛି ବୋଲି ବାହାରୁ ଶୁଣିବାକୁ ମିଳୁଛି। ବର୍ତ୍ତମାନ ଚାଷୀଙ୍କୁ ଚାଷ କାର୍ଯ୍ୟରେ ଲଗାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦିଆନଗଲେ ଚାଷୀ ସବୁ ଏକଜୁଟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *