ଝଙ୍କଡ ଶାରଳା ମନ୍ଦିରରେ ଉଜୁଡ଼ି ଯାଉଛି ସଂସ୍କୃତି ବୁଡି ଯାଉଚି ପରମ୍ପରା
ତିର୍ତ୍ତୋଲ:ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିର ରେ କାଳକ୍ରମେ ଏହାର ମହାନ ଐତିହ୍ୟ ସଂସ୍କୃତି ବିଲୁପ୍ତ ହେବାକୁ ବସିଲାଣି। ବାର ମାସରେ ତେର ପର୍ବ ପାଳିତ ହୋଇ ଆସୁଥିବା ବେଳେ ମାଆଙ୍କ ପୀଠ ଶ୍ରଦ୍ଧାଳୁ ଭକ୍ତ ଓ ଯାତ୍ରୀ ମାନଙ୍କ ସମାବେଶରେ ଚଳଚଞ୍ଚଳ ଓ ଉତ୍ସବ ମୁଖରିତ ହୋଇ ଉଠୁଥିଲା । ପବିତ୍ର କାର୍ତ୍ତିକ ମାସ ର ଆରମ୍ଭରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏଠାରେ ମହାମନ୍ତ୍ର ନାମଯଜ୍ଞ ଅନୁଷ୍ଠିତ ହେଉଥିଲା, ଯାହାକି ମାଆଙ୍କ ପୀଠ ସ୍ଥଳି ରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହେଉଥିଲା। ବିଗତ ତିନି ଦଶନ୍ଧି ଧରି ଏହି ମାସିକିଆ ନାମଯଜ୍ଞ ଦିନିକିଆ ରେ ପରିଣତ ହୋଇଛି। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ନିମନ୍ତ୍ରିତ ସାଧୁ ସନ୍ଥ ବୈଷ୍ଣବ ମାନଙ୍କ ଉଦ୍ଦେଶ୍ୟରେ ମହୋତ୍ସବ ପାଳନ ସହିତ ବହୁ ସଂଖ୍ୟକ ଭକ୍ତଙ୍କ ପାଇଁ ମନ୍ଦିର ବେଢାରେ ସମୁହ ପ୍ରାସାଦ ସେବନ କରାଯାଇଥାଏ। ମାତ୍ର ତାହା ବର୍ତ୍ତମାନ ଆଉ କରାଯାଉନାହିଁ। ଠିକ ସେହିପରି, ସ୍ନାନପୂର୍ଣ୍ଣମୀ, ବାହୁଡା଼ ଯାତ୍ରା , ଭାଗବତ ବଢ଼ା , ନୂଆଖିଆ ଆଦି ଯାନିଯାତ୍ରା ପର୍ବପର୍ବାଣୀ ପାଳନ ଉପଲକ୍ଷେ ସମସ୍ତ ସେବାୟତ ଙ୍କ ନିମନ୍ତେ ପ୍ରାସାଦ ସେବନ ର ବ୍ୟବସ୍ଥା କୁ ଦୀର୍ଘ ବର୍ଷ ବର୍ଷ ଧରି, ପ୍ରଶାସନ ପକ୍ଷରୁ କୌଣସି କାରଣ ନଥାଇ ବନ୍ଦ କରି ଦିଆଯାଇ ଥିବାରୁ, ସେବାୟତ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଗତ କିଛିଦିନ ପୂର୍ବରୁ ଶାରଦୀୟ ପାର୍ବଣ ପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ ଚାଲିଥିବା ବେଳେ ସେବାୟତ ମାନେ ଏହି ପରମ୍ପରା କୁ ବଜାୟ ରଖିବାକୁ ଅଡି ବସିଥିଲେ। । ଶାକ୍ତ ଓ ବୈଷ୍ଣବ ଧର୍ମ ର ସମନ୍ୱିତ ଏହି ମାଆ ସାରଳା ଠାକୁରାଣୀ ଙ୍କୁ ତୁଳସୀ ଓ ବେଲ ପତ୍ରରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ, ଶାକ୍ତ ମତ ଅନୁଯାଇ, ପ୍ରତିଦିନ ମଧ୍ୟାହ୍ନ ଧୂପ ରେ କ୍ଷୀରି ରେ ଏଣ୍ଡୁରୀ ପିଠା ପଡୁଥିଲା। ମାତ୍ର ସେ ପରମ୍ପରା ଆଉ ଦେଖିବାକୁ ମିଳୁନାହିଁ। ଅପରପକ୍ଷେ ପ୍ରତିବର୍ଷ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୁଦ୍ରମୁନି ସାରଳା ଦାସଙ୍କ ସାଧନାପୀଠ ଓ ଉତ୍କଳ ଭାରତୀ ମା’ଶାରଳାଙ୍କ ଏହି ପୁଣ୍ୟ ପୀଠରେ ସବୁବେଳେ ଯାତ୍ରା, ପାଲା, ଦାସକାଠିଆ, କାଠିଲଉଡ଼ି ନାଚ, ଘୋଡା ନାଚ ଓ ଭଜନ ସମାରୋହ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ !ମାତ୍ର ଏଥିନିମନ୍ତେ ପୂର୍ବରୁ ଥିବା ନାଟ୍ୟମଞ୍ଚ ଗୁଡିକ ପୀଠର ନବୀକରଣ କାର୍ଯ୍ୟ ନିମନ୍ତେ ଭାଙ୍ଗି ଦିଆ ଯାଇଥିବାରୁ ସାରା ରାଜ୍ୟର ବହୁ କଳାକାର ମାନେ ନିଜନିଜର ଅନୁଷ୍ଠାନ ର କଳା ପରିବେଷଣ କରିନପାରି, ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହେଉଛନ୍ତି !ଅନ୍ୟ ବିଷୟରେ କହିବାକୁ ଗଲେ,ଦିନକୁ ଦିନ ମନ୍ଦିରରେ ଯାତ୍ରୀ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବା ସହିତ ବିଭିନ୍ନ ସୂତ୍ରରୁ ଆୟ ର ପରିମାଣ ମଧ୍ଯ ଆଶାତିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟାନ୍ୟ ଦେବଦେବୀ ଙ୍କ ପୀଠରେ ବର୍ଷର ବିଭିନ୍ନ ପର୍ବପର୍ବାଣୀ ପାଳନ ଅବସରରେ, ସମୁହ ପ୍ରାସାଦ ସେବନ ର ବ୍ୟବସ୍ଥା କରାଯାଉଥିବା ବେଳେ ଓଡ଼ିଶାର ଏତେ ପ୍ରସିଦ୍ଧି ଲାଭ କରିଥିବା ଝଙ୍କଡ଼ ସାରଳା ମନ୍ଦିରରେ, ଶ୍ରଦ୍ଧାଳୁ ଭକ୍ତ ଓ ଯାତ୍ରୀ ମାନଙ୍କ ପାଇଁ ସେମିତି କିଛି ବିଧିବ୍ୟବସ୍ଥା ନଥିବାରୁ, ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁ ଯାତ୍ରୀ ମାନଙ୍କ ଦାନ ଦକ୍ଷିଣା ରେ ମାଆଙ୍କ ନିତିକାନ୍ତି ଓ ପରିଚାଳନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ମାତ୍ର ସେମାନଙ୍କ ପାଇଁ ଏଠାରେ ବିନାମୂଲ୍ୟ ରେ କୌଣସି ଭୋଗ ବା ପ୍ରାସାଦ ସେବନର ବ୍ୟବସ୍ଥା ନଥିବାରୁ, ଏହାଠାରୁ ଲଜ୍ଜ୍ୟାକର କଥା ଆଉ କିଛି ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଘୋର ଉଦବେଗ ପ୍ରକାଶ କରିଛନ୍ତି। ତେବେ ଏସବୁ ଅଭାବ ଅସୁବିଧା ଓ ସମସ୍ୟା ର ସମାଧାନ କ୍ଷେତ୍ରରେ ଯଥେଷ୍ଟ ଗୁରୁତ୍ବ ପ୍ରଦାନ କରି, ଜିଲ୍ଲାପ୍ରଶାସନ ଓ ଦେବୋତ୍ତର ବିଭାଗ ତରଫରୁ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।
