ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ପୁରୀ ପୁଲିସ ଜଣେ ମହିଳା ସମେତ ଦୁଇଜଣଙ୍କୁ ଗିରଫ କରିଛି।
ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ପୁରୀ ପୁଲିସ ଜଣେ ମହିଳା ସମେତ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବାଲେଶ୍ବର ଜଳେଶ୍ବରସ୍ଥିତ ରାଜପୁରର ମହମ୍ମଦ ସାଜଦ ଓରଫ ରାଜା (୩୦) ଏବଂ ପୁରୀ ସଦରସ୍ଥିତ ନୀଳଚକ୍ରନଗରର ସୁକାନ୍ତି ପଣ୍ଡା (୬୦)। ସେମାନଙ୍କଠାରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବ ବୋଲି ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।ପୁଲିସର ସୂଚନା ମୁତାବକ, ରାଜା ବାଲେଶ୍ବରରୁ ବ୍ରାଉନସୁଗାର ଆଣି ସୁକାନ୍ତିଙ୍କୁ ଯୋଗାଉଥିଲା। ସୁକାନ୍ତି ଏହାକୁ ଖୁଚୁରାରେ ବିକ୍ରି କରୁଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା। ଏସପିଙ୍କ ସୂଚନା ମୁତାବକ, ନିଶା କାରବାରରେ ମହିଳା, ବୃଦ୍ଧ ଓ ଶିଶୁମାନଙ୍କୁ ଜାଣିଶୁଣି ନିୟୋଜିତ କରାଯାଉଛି। କୋହଳ ଦଣ୍ଡ ବିଧାନ ଦୃଷ୍ଟିରୁ ବ୍ରାଉନସୁଗାର ବ୍ୟବସାୟୀମାନେ ସେମାନଙ୍କୁ ଢାଲ କରୁଛନ୍ତି। ଅପରେସନ ଚକ୍ର କ୍ରମରେ ସହରକୁ ନିଶା ଓ ଅସମାଜିକଙ୍କ କବଳରୁ ମୁକ୍ତି ଦେବାକୁ ଚଢ଼ଉ ଜାରି ରହିଥିବା ବେଳେ ଏହି ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି।

ରାଜା ବାଲେଶ୍ବରରୁ ଆସି ଏଠାରେ ଉକ୍ତ ମହିଳାଙ୍କୁ ବ୍ରାଉନସୁଗାର ଯୋଗାଉଥିବା ଜଣାପଡ଼ିଛି। ମହିଳା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ପୁରୀ ସଦର ଥାନାରେ ପୂର୍ବରୁ ୨୦୨୦ ଓ ୨୦୨୪ରେ ଦୁଇଟି ମାମଲା ରହିଛି।ଅଭିଯୁକ୍ତ ରାଜା ବାବଦରେ ପୁଲିସ୍ ତଦନ୍ତ ଜାରି ରଖିଛି। ସେ ଆଉ କେଉଁଠାକୁ ବ୍ରାଉନସୁଗାର ଯୋଗାଣ କରିଛି ଏବଂ କେଉଁଠାରୁ ଏହାକୁ ଆଣି ଓଡ଼ିଶାରେ ବେପାର କରୁଛି ସେନେଇ ପଚରାଉଚରା ଜାରି ରହିଛି ବୋଲି ଏସପି ଶ୍ରୀ ସିଂହ କହିଛନ୍ତି। ଉଭୟଙ୍କଠାରୁ ବ୍ରାଉନସୁଗାର ସହ ୫୨୦୦ ଟଙ୍କା ନଗଦ ଟଙ୍କା, ୨ଟି ମୋବାଇଲ ଫୋନ ଏବଂ ଗୋଟିଏ ହ୍ୟୁଣ୍ଡାଇ ଭନ୍ନା (ଓଡି-୦୧-ଏଆର-୫୧୪୪) ଜବତ ହୋଇଛି। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
