ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ

ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ

୪ ର୍ଥ ଅଧିବେଶନରେ କମର୍ସିଆଲ୍ କୋର୍ଟ୍ସ ଆଇନ୍ ଅନୁସାରେ ବାଣିଜ୍ୟିକ ମାମଲାରେ ମଧ୍ୟସ୍ଥତା ସଂପର୍କିତ ଆଲୋଚନା

ଭୁବନେଶ୍ୱର – ୨୮.୦୯ .୨୦୨୫

 ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀର ଦ୍ୱିତୀୟ ଦିନର  ଚତୁର୍ଥ ଅଧିବେଶନରେ କମର୍ସିଆଲ୍ କୋର୍ଟ୍ସ ଆଇନ୍  ଅନ୍ତର୍ଗତ ବାଣିଜ୍ୟିକ ବିବାଦରେ ମଧ୍ୟସ୍ଥତା ଉପରେ ଆଲୋଚନା କରାଯାଇଥିଲା ।
ଏହି ଅଧିବେଶନରେ  ସୁପ୍ରିମ୍ କୋର୍ଟର ବିଚାରପତି  ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ  ଜେ. କେ ମାହେଶ୍ୱରୀ ଅଧ୍ୟକ୍ଷତା କରିଥିବା ବେଳେ  ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ମୁଖ୍ୟ  ବିଚାରପତି  ମାନ୍ୟବର ନ୍ୟାୟମୂର୍ତ୍ତି  ଶ୍ରୀ ଦେବେନ୍ଦ୍ର କୁମାର ଉପାଧ୍ୟାୟ , ଜମ୍ମୁ ଏବଂ କାଶ୍ମିର ତଥା  ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ଅରୁଣ ପଲ୍ଲୀ  ସହ-ଅଧ୍ୟକ୍ଷତା କରିଥିଲେ । ଏଥିରେ ବିଶିଷ୍ଟ ପ୍ୟାନେଲିଷ୍ଟ ଭାବେ ମହାମାନ୍ୟ ନ୍ୟାୟମୂର୍ତ୍ତି ଶ୍ରୀ ତର୍ଲୋକ                ସିଂ ଚୌହାନ,  ମୁଖ୍ୟ ବିଚାରପତି, ଝାରଖଣ୍ଡ ହାଇକୋର୍ଟ, ମହାମାନ୍ୟ ନ୍ୟାୟମୂର୍ତ୍ତି ଶ୍ରୀ ପି. ସାମ କୋଶୀ, ନ୍ୟାୟାଧୀଶ, ତେଲେଙ୍ଗାନା ହାଇକୋର୍ଟ, ମହାମାନ୍ୟ ନ୍ୟାୟମୂର୍ତ୍ତି ଶ୍ରୀ ଗିରୀଶ କୁଲକର୍ଣ୍ଣି , ନ୍ୟାୟାଧୀଶ, ବମ୍ବେ ହାଇକୋର୍ଟ, ଶ୍ରୀମତୀ ଅର୍ଚ୍ଚନା ପାଠକ ଡାଭେ , ଅତିରିକ୍ତ ସଲିସିଟର୍ ଜେନେରାଲ୍, ସୁପ୍ରିମ୍ କୋର୍ଟ ଏବଂ ଶ୍ରୀ କେ . ଗୋପାଳକ୍ରିଷ୍ଣ କୁରୁପ, ଆଡଭୋକେଟ୍ ଜେନେରାଲ୍, କେରଳ ଯୋଗଦେଇ ଉପରୋକ୍ତ ବିଷୟରେ  ନିଜ ନିଜର  ଗୁରୁତ୍ୱପୂର୍ଣ୍ଣ  ମତାମତ ପ୍ରଦାନ କରିଥିଲେ ।
ଅଧିବେଶନରେ  ମୁଖ୍ୟ ଆଲୋଚ୍ୟ  ବିଷୟ- କମର୍ସିଆଲ୍ କୋର୍ଟ୍ସ ଆଇନ୍, ଅନୁସାରେ  ବିବାଦ ଉପୁଜିବା ପୂର୍ବରୁ ମଧ୍ୟସ୍ଥତା ମାଧ୍ୟମରେ ବିବାଦର ସମାଧାନ କରାଯିବା  ସଂପର୍କରେ ଆଲୋକପାତ କରାଯାଇଥିଲା ।  ମଧ୍ୟସ୍ଥତା-ଆର୍ବିଟ୍ରେସନ ଏବଂ ଆର୍ବିଟ୍ରେସନ –ମଧ୍ୟସ୍ଥତା- ଆର୍ବିଟ୍ରେସନ ପ୍ରଣାଳୀ  ଅବଲମ୍ବନ କରାଯାଇ   ବିବାଦର ସମାଧାନ,  ପ୍ରଚଳିତ ହେଉଥିବା  ଶ୍ରେଷ୍ଠ ଅଭ୍ୟାସ (ବେଷ୍ଟ ପ୍ରାକ୍ଟିସେସ୍) ଅନୁଧ୍ୟାନ, ଗୋପନୀୟତା ରକ୍ଷାର  ଆହ୍ୱାନକୁ ଗୁରୁତ୍ୱ ଦେଇ  ଅନଲାଇନ୍ ମାଧ୍ୟମରେ  ଅଧିକରୁ ଅଧିକ ବିବାଦ ସମାଧାନର ସମ୍ଭାବନା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।  
ମଧ୍ୟସ୍ଥତା ସଂପର୍କରେ ରହିଥିବା ବୈଶ୍ୱିକ   ଦୃଷ୍ଟିକୋଣ ସଂପର୍କରେ ଉପସ୍ଥାପନ କରାଯାଇ   ସିଙ୍ଗାପୁର ସମ୍ମିଳନୀ, ଇରୋପୀୟ  ସଂଘ  ଏବଂ ୟୁଏସ୍ ମଡେଲରୁ  ଶିକ୍ଷା ଲାଭ କରି ତୁଳନାତ୍ମକ ମଧ୍ୟସ୍ଥତା ଅଭ୍ୟାସ, ଆନ୍ତର୍ଜାତିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ମଧ୍ୟସ୍ଥତା ବଳରେ  ଭାରତକୁ  ଏକ ନିବେଶ ହବ୍ ଭାବେ ସ୍ଥାପିତ କରିବାର ସୁଯୋଗ, ସାରା ବିଶ୍ୱରେ ତୃଣମୂଳସ୍ତରରେ ପ୍ରଚଳିତ ଧାରାକୁ ନେଇ  କମ୍ୟୁନିଟି(ଗୋଷ୍ଠୀଭିତ୍ତିକ) ମଧ୍ୟସ୍ଥତା ମଡେଲ ଆପଣାଇବା ଆଦି ସଂପର୍କରେ ଏହି ଅଧିବେଶନରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । 

ଅଲୋକ କୁମାର ମହାନ୍ତି
ଲୋକ ସଂପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *