ସରଳା ଦାସ ଙ୍କ ଜନ୍ମସ୍ଥାନ ବଡସାରୋଳ ଗ୍ରାମ କୁ ଐତିହ୍ୟଗ୍ରାମର ମାନ୍ୟତା ପ୍ରଦାନ

ଜଗତସିଂହପୁର ଜିଲ୍ଲାର, ଝଙ୍କଡ଼ ପ୍ରଗଣାର , ବଡସାରୋଳ ଗ୍ରାମର, କାଳୀନାଗ ନାମକ ଏକ କୃଷକପଲ୍ଲୀ ରେ ଆଜକୁ ପ୍ରାୟ ୬ ଶହ ବର୍ଷ ତଳେ ଆଦିକବି ଶୂଦ୍ରମୁନି ସାରଳା ଦାସ ଜନ୍ମ ଗ୍ରହଣ କରିଥିଲେ। ଉତ୍କଳ ଭାରତୀ ମା ସାରଳା ଙ୍କ କୃପା ଲାଭ କରି ସେ ସିଦ୍ଧେଶ୍ୱର ପରିଡା ରୁ ସାରଳାଙ୍କ ଦାସ,ସାରଳା ଦାସ ରେ ପରିଚିତ ହେବା ପରେ ନିଜର ଇଷ୍ଟ ଦେବୀଙ୍କ ପ୍ରାଚୀନ ପୀଠ, ବଡ ସାରୋଳ ଗ୍ରାମ ର, ବର୍ତ୍ତମାନ ର ଲଣ୍ଡା ଦେଉଳ ପାର୍ଶ୍ଵ ସ୍ଥିତ ନୀଳ କଳ୍ପବଟ ମୂଳରେ ବସି, ଓଡ଼ିଆ ଭାଷାରେ ସର୍ବପ୍ରଥମ ବୃହତ୍ତମ ମହାଭାରତ ରଚନା କରିଥିଲେ। ସେହି ବରଗଛ ଟି ୧୯୯୯ ମହାବାତ୍ୟା ରେ ଭାଙ୍ଗି ଯାଇଛି। ତାଙ୍କର ସାଧନାପୀଠରେ ମହାକବି ଙ୍କ ର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିବା ନିମନ୍ତେ, ମାଧ୍ୟ ସାରଳାପୀଠ ନବୀକରଣ କାର୍ଯ୍ୟ ର ମୂଳ ନକ୍ସା ରେ ରଖାଯାଇଥିଲା। ଅପର ପକ୍ଷରେ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ, ପ୍ରଫେସର ବଂଶୀଧର ମହାନ୍ତି, ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହି ଠାରୁ ଆରମ୍ଭ କରି ସୁରେନ୍ଦ୍ର ମହାନ୍ତି ପ୍ରମୁଖ ବହୁ ଗବେଷକ ସାରଳା ଦାସ ଙ୍କ ଜନ୍ମସ୍ଥାନ, ସାରୋଳ ଗ୍ରାମ ବୋଲି , ପ୍ରାମାଣିକ ତଥ୍ୟ ପ୍ରଦାନ କରିଥିଲେ ମଧ୍ୟ, ବିଗତ କିଛିବର୍ଷ ଧରି ସାରଳା ଦାସ ଙ୍କ ଜନ୍ମସ୍ଥାନ କୁ ନେଇ ବିବାଦ ବଢ଼ି ଚାଲିଛି। ଏକ ସାର୍ବଜନୀନ ସତ୍ୟ କୁ ଅସ୍ୟୁକାର କରି କେତେକ ବ୍ୟକ୍ତି ସଂସ୍କୃତି କୁ ବିକୃତି କରିବା ପାଇଁ ଉଦ୍ୟମ କରୁଛନ୍ତି। ତେଣୁ ସାରଳା ଦାସ ଙ୍କୁ ନେଇ ଆଉ ଅଧିକ ବିବାଦୀୟ ଭିତରକୁ ଟାଣି ନନେଇ, ସାରଳା ଦାସ ଙ୍କ ଜନ୍ମସ୍ଥାନ କାଳୀନାଗ, ସାଧନାପୀଠ, ମା ସାରଳା ଠାକୁରାଣୀ ଙ୍କ ପ୍ରାଚୀନ ପୀଠ ସ୍ଥଳି ବଡସାରୋଳ ର ଲଣ୍ଡା ଦେଉଳ ଓ ସମାଧିପୀଠ, ତେନ୍ତୁଳିପଦା ଗ୍ରାମର ମୁନି ଗୋସେଇଁ ମଠ ର ଉନ୍ନତିକରଣ, ମ୍ୟୁଜିୟମ ପ୍ରତିଷ୍ଠା ସହିତ ଡଃ ମହତାବ ଙ୍କ ପ୍ରେରଣା ରେ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ଓ ରାଜ୍ୟ ସରକାରଙ୍କ ସାହିତ୍ୟ ଏକାଡେମୀ, ସଂସ୍କୃତି ବିଭାଗ ତରଫରୁ ପ୍ରକାଶିତ, ସାରଳା ମହାଭାରତ ର ପୁନଃ ସଂସ୍କରଣ ପ୍ରକାଶନ ନିମନ୍ତେ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ, ସର୍ବୋପରି ଓଡିଆ ଅସ୍ମିତା କୁ ବଜାୟ ରଖିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଓଡିଶା ସରକାର ଯଥାର୍ଥ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ବଡସାରୋଳ ଗ୍ରାମର ଲଣ୍ଡା ଦେଉଳ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଦାବୀ କରାଯାଇଛି । ସାରଳା ମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ଙ୍କ ଆହ୍ଵାନକ୍ରମେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀରେ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ,କୈବଲ୍ୟ ପଣ୍ଡା, ସୁନିଲ ମନୋହର ପଣ୍ଡା, ପଣ୍ତିତ ସୁଧୀର ଚନ୍ଦ୍ର ଦାଶ , ପ୍ରଣବ ରାଉଳ, ପ୍ରୀତି ରଞ୍ଜନ ରଣା ଓ ଅମୃତମୟ ପଣ୍ଡା ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜିବି, ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହିତ ମାଆ ସାରଳା ଙ୍କର ବରିଷ୍ଠ ସେବାୟତ ମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।ଦେଖିବାକୁ ବାକି ରହିଲା ରାଜ୍ୟ ସରକାର କେବେ ଏହି ସମସ୍ତ ଗଣଦାବୀ କୁ ସମ୍ମାନ ଦେଇ ଏହାକୁ କାର୍ଯ୍ୟକାରୀ କରୁଛନ୍ତି l

Leave a Reply

Your email address will not be published. Required fields are marked *