ନେଙ୍ଗାନାଲ ଗ୍ରାମର ମଙ୍ଗଳ କାମନାରେ ସମ୍ପନ୍ନ ହେଲା ବିହନ ବୁଣା”l
କୋଷାଗୁମୁଡ଼l, ୧୦/୦୫/୨୦୨୬:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଣ୍ଡା ବ୍ଲକ ପଣ୍ଡୁଗୁଡା ପଞ୍ଚାୟତର ନେଙ୍ଗାନାଲ ଗ୍ରାମରେ ଏବେ ଆଧ୍ୟାତ୍ମିକତାର ମହାକୁମ୍ଭ। ଦୀର୍ଘ ୧୮ ବର୍ଷ ପରେ ଗ୍ରାମରେ ପାଳିତ ହେଉଛି ଐତିହାସିକ ‘ବାଲି ଯାତ୍ରା’। ୨୦୦୭ ମସିହା ପରେ ଚଳିତ ବର୍ଷ ଏହି ପାରମ୍ପରିକ ଯାତ୍ରାକୁ ନେଇ କେବଳ ନେଙ୍ଗାନାଲ ନୁହେଁ, ବରଂ ସାରା ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ଗତ ଜାନୁୟାରୀ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ୩ ମାସିଆ ଯାତ୍ରାରେ ଆଜି ‘ବିହନ ବୁଣା’ କାର୍ଯ୍ୟକ୍ରମ ଅତ୍ୟନ୍ତ ନିଷ୍ଠାର ସହ ସମ୍ପନ୍ନ ହୋଇଯାଇଛି। ପରମ୍ପରା ଅନୁଯାୟୀ, ଗ୍ରାମବାସୀ ଏକତ୍ରିତ ହୋଇ ବିହନ ବୁଣିଥିଲେ। ଏହି ଅବସରରେ କେବଳ ଗ୍ରାମର ନୁହେଁ, ବରଂ ଆଖପାଖ ଅଞ୍ଚଳର ପୂଜାରୀ ଓ ଶିରାମାନଙ୍କୁ ମଧ୍ୟ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯାଇଥିଲା। ସମସ୍ତଙ୍କ ଉପସ୍ଥିତିରେ ଗୁରୁମାଇନି ଫୁଲସିଂ ଗଉଡ଼ ଓ ଦଇମତୀ ଗଉଡ଼ ପୂଜାର୍ଚ୍ଚନା କରିଥିଲେ।

ଶିରା ବୁଦ୍ରୁ, ବୈଦନାଥ ଓ ରାମଙ୍କ ନେତୃତ୍ୱରେ ବାଜା-ମହୁରୀର ତାଳେ ତାଳେ ଦେବାଦେବୀଙ୍କ ନୃତ୍ୟ କରି ଦେବୀଙ୍କୁ ଆବାହନ କରିଥିଲେ।ବିହନ ବୁଣା କାର୍ଯ୍ୟକ୍ରମର ଠିକ୍ ୯ ଦିନ ପରେ ଅର୍ଥାତ୍ ଆସନ୍ତା ମେ ୨୨ ତାରିଖ ଶୁକ୍ରବାର ଦିନ ବାଲି ବିସର୍ଜନ ବା ‘ବାଲି ଜିବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଯାତ୍ରା କମିଟିରେ ନରସିଂ ,ଦୟାନିଧି, ଜଗନ୍ନାଥ, ମଙ୍ଗରୁ, ଜୟଦେବ, ରାମେଶ୍ୱର, ଧନୁର୍ଜୟ, ପ୍ରସାଦ ପୁତୀମ, ରାମଧର ଓ ପଦ୍ମନାଥ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଆଜି ରାତିରେ ଏକ ଭବ୍ୟ ‘ଦେଶିଆ ନାଟକ’ର ଆୟୋଜନ କରାଯାଇଛି। ୨୦୦୭ ମସିହା ପରେ ପୁଣିଥରେ ଏହି ଉତ୍ସବ ଦେଖିବାକୁ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ମେଳାର ପରିବେଶ ସୃଷ୍ଟି ହୋଇଛି।ଏହି ଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଗ୍ରାମର କଲ୍ୟାଣ, ଭଲ ଚାଷ, ରୋଗମୁକ୍ତ ଉତ୍ତମ ସ୍ୱାସ୍ଥ୍ୟ ଏବଂ ପଶୁ ମାନଙ୍କ ନିରୋଗ କାମନା ପାଇଁ କରାଯାଉଥିବା ଏକ ଅତି ପୁରାତନ ବିଶ୍ୱାସ। ବୋଲି ଗ୍ରାମବାସୀ ସୂଚନା ଦେଇଥିଲେ l
