ବାଣୀପର୍ବ ଲୋକାର୍ପିତ ଓ ଲୋଗୋ ଉନ୍ମୋଚିତଜାନୁଆରୀରେ ଜାତୀୟ ସାହିତ୍ୟ ମହୋତ୍ସବ ଶାରଳା ପୀଠରେ

ଜଗତିଂହପୁର: ୦୨/୧୧ମା’ ଶାରଳାଙ୍କ ପବିତ୍ର ପୀଠରେ ବାଣୀକ୍ଷେତ୍ର ସାହିତ୍ୟ ମହୋତ୍ସବ ବାଣୀପର୍ବର ଲୋକାର୍ପଣ ଉତ୍ସବ ଅତ୍ୟନ୍ତ ଭକ୍ତି ଓ ଆନ୍ତରିକତା ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିକ୍ଷାବିତ୍ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ୱରେ ଆଠଟି ବ୍ଲକ ଓ ଦୁଇ ପୌରାଞ୍ଚଳରେ ଅବସ୍ଥିତ ସମସ୍ତ ସକ୍ରୀୟ ସାହିତ୍ୟ, ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଗୁଡିକର ମୁଖ୍ୟଙ୍କ ଉପସ୍ଥିତିରେ ଗୌରାଙ୍ଗ ହୋତଙ୍କ ପୌରହିତ୍ୟରେ ଜଗତସିଂହୁରର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ସମ୍ମାନିତ ଅତିଥି, ଶାରଳା ମନ୍ଦିରର ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା, ଅନ୍ତର୍ଯ୍ୟାମୀ ପଟ୍ଟନାୟକ, କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲି ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ ଏହି ସାହିତ୍ୟ ପର୍ବର ଲୋଗୋ ଉନ୍ମୋଚନ କରିଛନ୍ତି। ପ୍ରଭାତରୁ ଅନୁଷ୍ଠାନ ତରଫରୁ ସାରଳା ଦାସଙ୍କ ଜନ୍ମସ୍ଥଳୀ କାଳୀନାଗ ଠାରେ ଆଦିକବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସାରଳା ରୋଡ ସ୍ଥିତ ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ମା ଶାରଳାଙ୍କ ମନ୍ଦିରରେ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ପରିବେଶରେ ବାଣୀପର୍ବର ଲୋଗୋ ଅର୍ପଣ ସହିତ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ଏକ ଶହ ସତରଟି ଅନୁଷ୍ଠାନର ସଭାପତି ଓ ସମ୍ପାଦକ ଯୋଗଦେଇ ଜିଲ୍ଲାରେ ହେବାକୁ ଯାଉଥିବା ପ୍ରଥମ ଜାତୀୟ ପର୍ବକୁ ଅତ୍ୟନ୍ତ ଦିବ୍ୟ ଏବଂ ଭବ୍ୟ କରିବା ପାଇଁ ନିଜର ସମର୍ଥନ ଦେବା ସହିତ ଅନେକ ମୂଲ୍ୟବାନ ପ୍ରସ୍ତାବ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ସାଂସଦ ଡ଼ଃ ତରାଇ ଏହି ପ୍ରୟାସ ମାଧ୍ୟମରେ ସାରଳା ଦାସଙ୍କ କୃତ୍ତୀକୁ ବିଶ୍ଵ ଦରବାରରେ ସଫଳତାର ସହିତ ଉପସ୍ଥାପନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯିବ ବୋଲି ମତ ଦେଇଥିଲେ। ବିଧାୟକ ଶ୍ରୀ ଭୋଇ ଏହାକୁ ଏକ ଅଭିନବ ପ୍ରଚେଷ୍ଟା ବୋଲି କହିବା ସହିତ ଏହାର ସଫଳତା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି। ପ୍ରାରମ୍ଭରେ ଆବାହକ ଶ୍ରୀ ରାଉତ ବାଣୀପର୍ବର ଉଦେଶ୍ୟ ଓ ବ୍ୟାପକତା ବିଷୟରେ ଅବଗତ କରାଇଥିଲେ। ଏହା ଆଗାମୀ ତିନି ମାସ ମଧ୍ୟରେ ଜିଲ୍ଳାର ସମସ୍ତ ବ୍ଲକ ଓ ପୌରରିଷଦରେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ବାଣୀପର୍ବ ଆନୁକୂଲ୍ୟରେ ସାରଳା ଦାସଙ୍କ ଦ୍ଵାରା ସାହିତ୍ୟ ଆଲୋଚନା ଅନୁଷ୍ଠିତ ହେବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ଅନୁଷ୍ଠାନ ଦ୍ଵାରା ସାରଳା ଦାସଙ୍କ ସୃଷ୍ଟି ଉପରେ ଆଧାରିତ ସାହିତ୍ୟ ଆଲୋଚନା ଚକ୍ର ଅୟୋଜନ କରାଯିବ ବୋଲି ସୁଚନା ଦେଇଥିଲେ। ଏଥିସହିତ ଦେଶର ବିଭିନ୍ନ ମେଟ୍ରୋ ସିଟିରେ ଓ ଭାରତ ବାହାରେ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ଦ୍ଵାରା ସାରଳା ସାହିତ୍ୟ ଆଲୋଚନା ଚକ୍ର ଅୟୋଜନ କରାଯିବ ବୋଲି କହିଛନ୍ତି। ସାରଳା ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ତିନି ଦିନ ବ୍ୟାପି ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରଜ୍ୟମନ୍ତ୍ରୀ, ବିଶିଷ୍ଟ ସାହିତ୍ୟିକ, ଗବେଷକ, ଭାଷାବିତ୍ ତଥା ବିଶିଷ୍ଟ ବ୍ୟକ୍ତିଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। ସ୍ଵାଗତ ଭାଷଣ ଅଧ୍ୟାପକ ଭଗବାନ ଦାଶ ପ୍ରଦାନ କରିଥିଲେ ଓ ଧନ୍ୟବାଦ ସ୍ନେହମୟୀ ଆଚାର୍ଯ୍ୟ ପ୍ରଦାନ କରିଥିବା ବେଳେ, ସଭା କାର୍ଯ୍ୟକୁ ଡ଼ଃ ସୁରେନ୍ଦ୍ର ନାଥ ତ୍ରିପାଠୀ ଓ ଡ଼ଃ ସିଦ୍ଧେଶ୍ୱର ପଣ୍ଡା ପରିଚାଳନା କରିଥିଲେ। ଏହି ବ୍ୟବସ୍ଥାକୁ ସୁରେଶ କୁମାର ପ୍ରଧାନ, ନଗେନ୍ଦ୍ର ନାଥ ସ୍ୱାଇଁ, ଦେବୀ ପ୍ରସାଦ ତ୍ରିପାଠୀ, ବିବେକାନନ୍ଦ ହୋତା, ଅମର ଜ୍ୟୋତି ସାହୁ, ହେମନ୍ତ କୁମାର ନାୟକ, ସରୋଜିନୀ ମିଶ୍ର ତଥା ଅନ୍ୟ ସଦସ୍ୟ ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *