କାପୁରୁଷ ସିନା ଭାଗ୍ୟକୁ ନିନ୍ଦେ
ଶୀର୍ଷକ _କାପୁରୁଷ ସିନା ଭାଗ୍ୟକୁ ନିନ୍ଦେ
ରୀତାରାଣୀ ଦାଶ
ବାଲେଶ୍ୱର
ଜଳନ୍ତା ଇଛାର ଗଳା ଦାବି ଦେଇ
କହିଲେ ଭାଗ୍ୟର ଦୋଷ
ଅଫେରନ୍ତା ପଥ ଅନ୍ତହୀନ ସେ ତ
ବିତର୍କେ ନୁହଇଁ ଶେଷ |
କଣ ହୋଇଥାନ୍ତା କଣ ହୋଇପାରେ
କଣ ହୋଇ ପାରିଥାନ୍ତା
ଅଯଥା ଚିନ୍ତାରେ ମ୍ରିୟମାଣ ହୁଏ
ଗୋଡ ହାତ ତାର ବନ୍ଧା |
ପ୍ରତିଟି କ୍ଷଣରେ ଭାଗ୍ୟ ରେଖା କହେ
ନିଶାର୍ଦ୍ଧରେ ଗୁପ୍ତ କଥା
ଭିନ୍ନ ଆଲୋକରେ ପ୍ରତିଶ୍ରୁତି ଦେଇ
ଲୋଭ ଦେଖାଏ ସର୍ବଦା |
ସମ୍ଭାବନା ଏକ ସ୍ୱପ୍ନର ବାହକ
ବୁଣେ କୁହୁକର ଜାଲ
ଭାଗ୍ୟକୁ ଆଦରି କାପୁରୁଷ ସିନା
ହେଉଥାଏ କଲବଲ |
ଅଭିଶାପ ସାଜେ ଇଛାର ମୃତ୍ୟୁରେ
ପାଗଳ ପରାୟ ହୋଇ
ଅବିରତ ଖୋଜେ ଅପ୍ରାପ୍ୟ ବସ୍ତୁକୁ
ମତିଭ୍ରମ ପ୍ରାୟ ସେହି |
ବିଧାତା ସୃଷ୍ଟିରେ ଭରି ଦେଇଛନ୍ତି
ନଭ ବାୟୁ ଜଳ ସ୍ଥଳ
ପଶୁ ପକ୍ଷୀ ଆଉ ଅସରନ୍ତି ଦ୍ରବ୍ୟ
ଖାଦ୍ୟ ପଦାର୍ଥ ସକଳ |
ମାନବ ଦେହରେ ବୁଦ୍ଧି ବଳ ସାଥେ
ଖଞ୍ଜିଛନ୍ତି ଯେ ବିବେକ
ଉପଯୋଗ କଲେ ସତ ଉପାୟରେ
ପ୍ରାପ୍ତି ଯେ ସୁଖ ଅନେକ |
ଆଶା ଭରସାରେନୈରାଶ୍ୟ ତ୍ୟାଗରେ
କର୍ମ କୁଢ଼ ନ ହୋଇଲେ
ସକଳ ସମ୍ପଦ ପ୍ରାପ୍ତି ତ ହୋଇବ
ତୃପ୍ତି ପ୍ରାପ୍ତି ଜୀବନରେ |
ମୁଣ୍ଡେ ହାତ ଦେଇ ବୁଦ୍ଧିକୁ ହରାଇ
ପଞ୍ଚାକ୍ଷର ଜପ କଲେ
କାପୁରୁଷ ହୋଇ ରହିବ ଜଗତେ
ଧିକ୍କାର ଶୁଣିବ ଭଲେ |
