ଚନ୍ଦ୍ରଭାଗା ମାଘ ମେଳା ନିମନ୍ତେ ସମନ୍ବୟ ବୈଠକ ଅନୁଷ୍ଠିତ

ଜାନୁୟାରୀ ୨୫ ଭୋରୁ ସପ୍ତମୀ ବୁଡ କୋଣାର୍କ,୧୭/୧୨ : ଆସନ୍ତା ଜାନୁଆରୀ ୨୪ ଓ୨୫ ତାରିଖରେ ଅନୁଷ୍ଠିତ ହେବ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘ ସପ୍ତମୀ ମେଳା । ଏହାକୁ ସରସ ସୁନ୍ଦର, ସୁରକ୍ଷିତ ଓ ସୁଦୂର ପ୍ରଚାର ପ୍ରସାର ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି। ଏହି ଅବସରରେ ବୁଧବାର ଅପରାହ୍ନରେ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ସଭାପତିତ୍ବରେ ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ ପଟେଲ ପ୍ରମୁଖ ଯୋଗ ଦେଇ କିଭଳି ଭାବରେ ଚନ୍ଦ୍ରଭାଗା ମେଳା ତଥା ବୁଡ଼ ସୁଚାରୁ ରୂପେ ଓ ସୁରକ୍ଷିତ ଭାବେ ଶ୍ରଦ୍ଧାଳୁଙ୍କ ନିମନ୍ତେ ବ୍ୟବସ୍ତା କରାଯିବ ତାହାର ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ବିଚାର ବିମର୍ଶ କରାଯାଇଥିଲା । ଏବଂ ପ୍ରତ୍ୟେକ ବିଭାଗର ଅଧିକାରୀ ମାନଙ୍କୁ ତୁରନ୍ତ ଆବଶ୍ୟକ କାର୍ଯ୍ୟ ଯଥା ଶୀଘ୍ର ସାରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହି ବୈଠକରେ ସେବାୟତ ମାନଙ୍କ ଦ୍ଵାରା ଠାକୁରଙ୍କ ନୀତି ନିର୍ଦ୍ଧାରଣ, ଏନଏସି ପକ୍ଷରୁ ସଫେଇ ଓ ଆଲୋକ ବ୍ୟବସ୍ଥା ଓ ସେସୁ ପକ୍ଷରୁ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ତା, ୱାଟକୋ ପକ୍ଷରୁ ବ୍ୟାପକ ପାନୀୟ ଜଳ ଯୋଗାଣ, ସ୍ଵାସ୍ଥ୍ୟ ସେବା, ଆର୍ ଦବଲ୍ୟୁଏସଏସ ପକ୍ଷରୁ ପରିମଳ ଓ ଅସ୍ଥାୟୀ ପାଇଖାନ ସ୍ଥାପନ, ପୋଲିସ୍ ପକ୍ଷରୁ ଆଇନ ଶୃଙ୍ଖଳା ଓ ପୋଲିସ ମୁତୟନ, ଗମନା ଗମନ ଓ ପରିବହନ, ଟ୍ରାଫିକ ସମସ୍ୟା, ବେଳାଭୂମିରେ ଲାଇଫ ଗାର୍ଡ ମୁତୟନ, ୩ ଆରାଧ୍ୟ ଠାକୁରଙ୍କ ରୋଷଣୀ ଯାତ୍ରା, ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ସୂଚନା କେନ୍ଦ୍ର, ସ୍ୱେଚ୍ଛାସେବୀ ମୁତୟନ, ମେଳା

ପଡ଼ିଆରେ ସିସିଟିଭି ଖଞ୍ଜାଯିବା, ଅଗ୍ନିଶମ ନିରାପତ୍ତା, ଆମ୍ବୁଲାନ୍ସ ସେବା , ତୀର୍ଥ ପୁଷ୍କରିଣୀ ଖନନ ଓ ପରିଚ୍ଛନ୍ନ, ଜାଳେଣି କାଠ ଯୋଗାଣ , ଦୁଇ ଦିନ ମଦ ଦୋକାନ ବନ୍ଦ ଓ ୩ ପଟୁ ଆସୁଥିବା ଗାଡି ମାନଙ୍କ ପାକିଂ ବ୍ୟବସ୍ତା ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ଗଠନ କରାଯାଇ କେଉଁ ଅଧିକାରୀ ମାନଙ୍କୁ କିଭଳି ଦାୟିତ୍ଵ ଦିଆଯିବ ତାହା ଆଗାମୀ ବୈଠକରେ ସ୍ଥିର ହେବ ବୋଲି ଆଲୋଚନା ହୋଇଥିଲା। ଏହି ବୈଠକରେ ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଗୋପ ବିଡ଼ିଓ ଛବି ରାଣୀ ସାହୁ, କୋଣାର୍କ ଥାନା ଅଧୁକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅକ୍ଷୟ ଶତପଥୀ , ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୂର୍ତ ବିଭାଗ ଯନ୍ତ୍ରୀ ଦିଲୀପ ବିଶ୍ଵାଳ, ୱାଟକୋ ଜିଲ୍ଲା ଅଧିକାରୀ ବିକ୍ରମ ରାଉତ, ଏସଡିଓ ପ୍ରଫୁଲ୍ଲ କୁମାର ବେହେରା, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଜେନା, ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲ, ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ, ମୋଟର ଯାନ ନିରିକ୍ଷୀକ ଅମିତ୍ କୁମାର ରାଣା ଙ୍କ ସମେତ ସେସୁର ସହାୟକ ଯନ୍ତ୍ରୀ, ଜିଲ୍ଲା ଅଗ୍ନିଶମ ଅଧୁକାରୀ ଓ ସମସ୍ତ ବିଭାଗର ଅଧିକାରୀ , କର୍ମଚାରୀଙ୍କ ସହ ସ୍ଥାନୀୟ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *