ଖ୍ରୀଷ୍ଟମାସ ନୂଆବର୍ଷ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡ଼ରେ
ଉଠା ଦୋକାନ ଉପରେ ବୁଲିଲା ବୁଲଡୋଜର।ମାଟିରେ ମିଶିଲା ପୁରୀ ବଡ଼ଶଙ୍ଖ ଉଭୟ ପାର୍ଶ୍ୱରେ ଥିବା ଉଠା ଦୋକାନ। ଖ୍ରୀଷ୍ଟମାସ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୌରପାଳିକା ଏବଂ ପୋଲିସ। ବଡଶଙ୍ଖ ନିକଟରେ ଥିବା ଅନେକ ଦୋକାନ ରାସ୍ତା ଅବରୋଧ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଏହାକୁ ଆଧାର କରି ଆଜି ଅନେକ ଦୋକାନ ଉପରେ ବୁଲିଛି ବୁଲଡୋଜର। ରାସ୍ତା ଉପରେ ବେଆଇନ୍ ଭାବେ ଦୋକାନ କରି ବ୍ୟବସାୟ କରୁଥିବା ଦୋକାନୀ ମାନଙ୍କ ଯୋଗୁ ଯାତାୟତରେ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ସହ ସହରବାସୀ ଓ ପର୍ଯ୍ୟଟକ ମାନେ ହଇରାଣ ହରକତ ହେଉଥିଲେ। ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେଉଥିଲା।

ଏଣୁ ଟ୍ରାଫିକ ସମସ୍ୟା ଦୂର କରିବା ସହ ଯାତାୟତରେ ଯେଭଳି କୌଣସି ବାଧା ସୃଷ୍ଟି ନ ହେବ ସେଥିପାଇଁ ଉଛେଦ କରାଯାଇଛି ବୋଲି କହିଛନ୍ତି ପୌର ଅଧିକାରୀ ଏବଂ ସିଟି ଡିଏସପି। କେବଳ ବଡ଼ଶଙ୍ଖ ଅଞ୍ଚଳ ନୁହେଁ ପୁରୀ ସହରର କୌଣସି ସ୍ଥାନରେ ମଧ୍ୟ ରାସ୍ତା ଅବରୋଧ କରି ଦୋକାନ ପକାଇପାରିବେ ନାହିଁ l ଯଦି ଆଇନକୁ ଅବମାନନା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଏହିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ଏହାର ପ୍ରତିବାଦରେ ଟାୟାର ଜାଳି ନିଆଁ ଲଗାଇ ପ୍ରତିବାଦ କରିଛନ୍ତି ଉଠାଦୋକାନୀ।
