ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ

ଭୁବନେଶ୍ୱର ୨୦ ଡିସେମ୍ବର, ୨୦୨୫ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ କରାଯିବ।ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।୧୯୫୨ ମସିହାରେ ଓଡ଼ିଶାରେ ନାରୀଶିକ୍ଷାର ବିକାଶ ପାଇଁ ଶୈଳବାଳା ଦାସ ନିଜ ପିତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବାସ ଭବନକୁ ମହିଳା ମହାବିଦ୍ୟାଳୟର ପରିଚାଳନା ପାଇଁ ଦାନ କରିଥିଲେ। ବର୍ତ୍ତମାନର ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ରହିଥିବା ଏକ ସ୍ଥାନ (ଯେଉଁଠାରେ ମଧୁବାବୁଙ୍କ ସମୟରେ ମଧୁବାବୁଙ୍କ ସିରସ୍ଥା ରହିଥିଲା ଏବଂ ମଧୁବାବୁଙ୍କ ସମ୍ମିଳନୀ କକ୍ଷ ଓ ଆବାସିକ କାର୍ଯ୍ୟାଳୟ ପରିଚାଳିତ ହେଉଥିଲା) — ଉକ୍ତ ସ୍ଥାନକୁ ମଧୁବାବୁ ସ୍ମାରକୀ ସଂଗ୍ରହାଳୟରେ ପରିଣତ କରିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଓଡ଼ିଶାରେ ନାରୀଶିକ୍ଷାର ବିକାଶ ଦିଗରେ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଶୈଳବାଳା ଦାସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଶିକ୍ଷାର ବିକାଶ ନିମନ୍ତେ ଓ ବିଶେଷ ଭାବରେ ଆମ ଛାତ୍ରୀମାନେ ଯେପରି ଗୁଣାତ୍ମକ ଶିକ୍ଷା ଲାଭ କରି ଏକ ସ୍ୱର୍ଣ୍ଣିମ ଭବିଷ୍ୟତର ନିର୍ମାଣ କରିପାରିବେ, ସେଥି ନିମନ୍ତେ ଶୈଳବାଳା ଦାସ ନିଜ ପିତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବାସ ଭବନ ଓ ନିଜ ବାସ ଭବନ ମଧୁମନ୍ଦିରକୁ ମହିଳା ମହାବିଦ୍ୟାଳୟର ପରିଚାଳନା ପାଇଁ ଦାନ କରିଥିଲେ। ମଧୁବାବଙ୍କ ଅବଦାନ ଓ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ନିମନ୍ତେ ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ ଯୁବପିଢ଼ିଙ୍କୁ ନିଶ୍ଚିତ ଭାବରେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରେରିତ କରିବ ବୋଲି ମୁଁ ଆଶା କରୁଛି।ଆଜିର ବୈଠକରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ କାଳୀ ପ୍ରସନ୍ନ ମହାପାତ୍ର, ବିଶିଷ୍ଟ ସାହିତ୍ୟିକ ତଥା ମହାମହିମ ରାଷ୍ଟ୍ରପତିଙ୍କ ଅତିରିକ୍ତ ପ୍ରେସ୍‌ ସଚିବ ଶ୍ରୀ ବିଜୟ କୁମାର ନାୟକ, ଶୈଳବାଳା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜୀବନ ବଲ୍ଲଭ ଜେନା ପ୍ରମୁଖ ଉପସ୍ଥିତ ଥିଲେ।ଅମ୍ଳାନ ଦାସଲୋକସମ୍ପର୍କ ଅଧିକାରୀ l

Leave a Reply

Your email address will not be published. Required fields are marked *