ମହାନଦୀ ପବ୍ଲିକ ସ୍କୁଲର ଦ୍ବିତୀୟ ବାର୍ଷିକ ଉତ୍ସବରେ ସମ୍ବାଦିକଙ୍କୁ ସମ୍ବର୍ଦ୍ଧିତ।
ଗଣିଆ -ନୟାଗଡ଼ ଜିଲ୍ଲା ଗଣିଆରେ ଥିବା ଏକ ଘରୋଇ ଇଂରାଜୀ ମିଡିୟମ ମହାନଦୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗ ଦେଇ ଶିଶୁ ହିଁ ଆଗାମୀ କାଲିର ଭବିଷ୍ୟତ ବୋଲି ବର୍ଣ୍ଣନା କରିଛନ୍ତି ନୟାଗଡ ଜିଲ୍ଲାର ଡେପୁଟି କଲେକ୍ଟର ତାପତୀ ରାଜ । ଗଣିଆସ୍ଥିତ ମଙ୍ଗଳମ୍ ସଭା ଗୃହରେ ଆୟୋଜିତ ବିଦ୍ୟାଳୟର ଦ୍ବିତୀୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୨୦୨୦ ବ୍ୟାଚ ଟପ୍ ଟେନ ତାଲିକାରେ ଥିବା ଓଏଏସ ଅଧିକାରୀ ତାପତୀ ରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ଅଶୋକ କୁମାର ମଲ୍ଲ, ମୁଖ୍ୟ ବକ୍ତା ଭାବେ ଗାଳ୍ପିକ, ସ୍ତମ୍ଭକାର ତଥା ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର, ବିଦ୍ୟାଳୟର ଚେୟାରମ୍ୟାନ ଡ଼ ମଳୟ କୁମାର ପଣ୍ଡା, ସମ୍ପାଦକ ପଙ୍କଜ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ତାଙ୍କ କବିତାର ଯାଦୁରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ବାନ୍ଧି ରଖିଥିଲେ । ଗୋଟିଏ ଛୋଟିଆ ଅନୁଷ୍ଠାନ ହୋଇଥିଲେ ମଧ୍ୟ ଏଭଳି ଆୟୋଜନ ଦେଖି ଅତିଥି ମାନେ ଖୁସିବ୍ୟକ୍ତ କରିଥିଲେ । ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ ବୋଲି ବର୍ଣ୍ଣନା କରିବା ସହିତ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଅଭିଭାବକ ମାନେ ପିଲା ମାନଙ୍କ ପ୍ରତି ଯତ୍ନବାନ ହେଲେ ସେମାନେ ଆଗକୁ ବଢିବା ସହିତ ସଫଳତା ପାଇପାରିବେ ବୋଲି ସେ ପରାମର୍ଶ ଦେଇଥିଲେ । ୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟାଳୟ ୫ ବର୍ଷରେ ପଦାର୍ପଣ କରୁଥିବାରୁ ନୂତନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନାମଲେଖା ମାତ୍ର ଏଗାର ଶହ ଟଙ୍କା ରଖାଯାଇଥିବା ଚେୟ୍ୟାରମ୍ୟାନ ଘୋଷଣା କରିଥିଲେ । ବିଗତ ଚାରି ବର୍ଷର ଶ୍ରେଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟର ପ୍ଳେ ଗ୍ରୁପ ଠାରୁ ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ବିଭାଗର ଜଣେ ଛାତ୍ର ଜଣେ ଛାତ୍ରୀଙ୍କୁ ଶ୍ରେଷ୍ଠ ପୁରସ୍କାର ବଣ୍ଟନ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ଞାନୀ ପ୍ରକାଶ ସେନାପତି, ବିଜୟଲକ୍ଷ୍ମୀ ରାଉତ, ସରୋଜ କୁମାର ଦାଶ ଏବଂ ବିଦ୍ୟାଳୟର ଶ୍ରେଷ୍ଠ ସହଯୋଗୀ ଭାବେ ସୁବ୍ରତ ପ୍ରଧାନ, ପରିଚାଳନା କମିଟିର କୋଷାଧ୍ୟକ୍ଷ ଅଟଳ ବିହାରି ବାଜୁ,ଉପ ସଭାପତି ଗୋଲେଖ ବିହାରୀ ସାହୁ, ପୂର୍ବତନ ଅଧ୍ୟକ୍ଷ ମହେନ୍ଦ୍ର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସବୁବେଳେ କିଛି ନୂତନ ଷ୍ଟାଇଲରେ ଉତ୍ସବ ପାଳନ କରିବାକୁ ଚେଷ୍ଟା କରୁଥିବା ବିଦ୍ୟାଳୟର ସମ୍ପାଦକ ଚଳିତବର୍ଷ ସ୍ବତନ୍ତ୍ର ଭାବେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କେବଳ ହ୍ୟୁମାନଙ୍କ ଗୀତରେ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ଯାହାକି ଉପସ୍ଥିତ ଅତିଥି, ଅଭିଭାବକ ତଥା ବୁଦ୍ଧିଜୀବିମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ମ୍ୟାନେଜର ଅଶୋକ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଂପୂର୍ଣ୍ଣ ସହଯୋଗ କରିଥିଲେ ।ସର୍ବଶେଷରେ ଅୟନ ଫାଉଣ୍ଡେସନ ର ମୁଖ୍ୟ ଟ୍ରଷ୍ଟି ଗଣିଆର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ଙ୍କର ସହଯୋଗ ହେତୁ ଧନ୍ୟବାଦ୍ ଦେବା ସହ ତାଙ୍କୁ ଭୂୟଶି ପ୍ରଶଂସା କରିଥିଲେ।
