ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟାନ୍ୱୟନ ନିମନ୍ତେ ୧ମ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ତା-୨୪ /୧୨/୨୦୨୫ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା(ପିଏମଡିଡିକେଓ୍ୱାଇ)ର କାର୍ଯ୍ୟାନ୍ୱୟନ ସଂପର୍କରେ ୧ମ ରାଜ୍ୟସ୍ତରୀୟ ବୈଠକ ଗତକାଲି ମଙ୍ଗଳବାର ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଭାରତ ସରକାର ୧୧ ଅକ୍ଟୋବର ୨୦୨୫ ରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କରିଛନ୍ତି । ଏହି ପଦକ୍ଷେପ ଅନୁଯାୟୀ ଦେଶରେ କମ୍ ଉତ୍ପାଦନ ହେଉଥିବା , ମଧ୍ୟମ ଧରଣର ଫସଲ ବ୍ୟାପକତା ଥିବା ଏବଂ ଚାଷୀଙ୍କର ଋଣ ଯୋଗ୍ୟତା ସୂଚକାଙ୍କ ସାଧାରଣ ମାନକଠାରୁ କମ୍ ଥିବା ଦେଶର ୧୦୦ ଟି ଜିଲ୍ଲା ସ୍ଥାନ ପାଇଛନ୍ତି । ଓଡ଼ିଶାରେ ମାଲକାନଗିରି, ନୂଆପଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଭାରତ ସରକାରଙ୍କ ସଂପର୍କିତ କାର୍ଯ୍ୟକାରୀ ହେଉଥିବା ୯ ଟି ବିଭିନ୍ନ ବିଭାଗର ୩୬ ଟି ଯୋଜନା ଓଡ଼ିଶାରେ ସଂଯୋଜିତ (କନଭର୍ଜେନ୍ସ ) ମୋଡରେ କାର୍ଯ୍ୟକାରୀ ହେବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧୮ ଟି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ୮ ଟି, ସମବାୟ ବିଭାଗର ୩ଟି, ଜଳ ସଂପଦ ବିଭାଗ, ଶିଳ୍ପ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଏମଏସଏମଇ ବିଭାଗ ଏବଂ ଓୟୁଏଟି ପ୍ରତ୍ୟେକରୁ ୧ ଟି ଲେଖାଏଁ ଏହିପରି ମୋଟ ୩୬ ଟି ଯୋଜନା ସଂଯୋଜିତ ହୋଇ ସଂପୃକ୍ତ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟକାରୀ ହେବ । ବିଶେଷ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗୱାରୀ କେଉଁ ଯୋଜନାଗୁଡ଼ିକ ସଂଯୋଜିତ ହୋଇ ପିଏମଡିଡିକେଓ୍ୱାଇରେ କାର୍ଯ୍ୟକାରୀ ହେବ, ସେ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ , ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ସହିତ ସମନ୍ୱୟ ରଖି ଏହି ପଦକ୍ଷେପର କାର୍ଯ୍ୟକାରିତା ନେଇ ପ୍ରମୁଖ ଭୂମିକା ନିର୍ବାହ କରିବ । ଏହି କାର୍ଯ୍ୟକ୍ରମକୁ ନୀତି ଆୟୋଗ ନିୟମିତ ସମୀକ୍ଷା କରୁଛନ୍ତି । ଏହି ଯୋଜନାର ପଦକ୍ଷେପରେ ପ୍ରମୁଖ ଲକ୍ଷ୍ୟ ହେଉଛି କୃଷକମାନଙ୍କୁ ଫସଲ ବିବିଧିକରଣ, ସ୍ଥାୟୀ କୃଷି ଅଭ୍ୟାସ ଆପଣାଇବା ପାଇଁ ପରାମର୍ଶ, ପଞ୍ଚାୟତ ଓ ବ୍ଲକ ସ୍ତରରେ ଅମଳ ପରବର୍ତ୍ତୀ ଫସଲ ସଂରକ୍ଷଣ ବ୍ୟବସ୍ଥା ବୃଦ୍ଧି କରିବା, ସେସବୁ ଅଂଚଳରେ ଜଳସେଚନ ସୁବିଧା ବୃଦ୍ଧି କରିବା, କୃଷକମାନଙ୍କୁ ଦୀର୍ଘ ମିଆଦୀ ଏବଂ ସ୍ୱଳ୍ପ ମିଆଦୀ ଋଣ ଯୋଗାଇ ଦେଇ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରିବା l ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଆହୂତ ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନାଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାରେ ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ କମିଟି ଗଠନ ହୋଇସାରିଥିବା ବେଳେ ସଂପୃକ୍ତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ନାବାର୍ଡ କର୍ତ୍ତୃପକ୍ଷ ପ୍ରମୁଖ ସଦସ୍ୟ ରହିଛନ୍ତି । ସେହିପରି ଜିଲ୍ଲାସ୍ତରୀୟ କମିଟିରେ ଜିଲ୍ଲାପାଳମାନେ ଜିଲ୍ଲା କମିଟିର ଅଧ୍ୟକ୍ଷ ଏବଂ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସମେତ କୃଷକ ପ୍ରତିନିଧି ଓ ଅନ୍ୟ ସଦସ୍ୟମାନେରହିଛନ୍ତି । ରାଜ୍ୟ କମିଟି ଜିଲ୍ଲାମାନଙ୍କୁ ଏହି ଯୋଜନାର କାର୍ଯ୍ୟକାରିତା ନେଇ ନିୟମିତ ତଦାରଖ କରିବେ । ଜିଲ୍ଲାସ୍ତରରେ ଯୋଜନା ଓ କାର୍ଯ୍ୟକାରିତା ତଦାରଖ ହେବ । ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଅବସ୍ଥାପିତ ଅଭିଜ୍ଞ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଓଡ଼ିଶାର ବିଭିନ୍ନ ଜିଲ୍ଲାପାଇଁ କେନ୍ଦ୍ରୀୟ ନୋଡାଲ ଅଧକାରୀ ଦାୟିତ୍ୱ ଦିଆଯାଇଛି, ସେମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ ଏବଂ ନୀତି ଆୟୋଗ ସହିତ ସମନ୍ୱୟ ରଖି ଜିଲ୍ଲା ଆକ୍ସନ ପ୍ଲାନ ଅନୁସାରେ ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଗ୍ରଗତି ସମୀକ୍ଷା କରିବା ସହିତ ଯୋଜନାର ବାସ୍ତବ ସ୍ଥିତି ଓ ଆର୍ଥିକ ବ୍ୟବସ୍ଥା ସଂପର୍କିତ ସମୀକ୍ଷା କରିବେ । ଏଥିପାଇଁ ରାଜ୍ୟ ସ୍ତରରେ ସଂପୃକ୍ତ ବିଭାଗରୁ ଏବଂ ଜିଲ୍ଲା ସ୍ତରରେ ନୋଡାଲ ଅଧିକାରୀ ପଦନାମିତ କରିବାକୁ ଅନୁରୋଧ କରାଯାଇଛି ।

ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ କହିଛନ୍ତି ଯେ, ଏହା ଦ୍ୱାରା ଜନଜାତି ବହୁଳ ଅଂଚଳ, ଆଂକାକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକର କାର୍ଯ୍ୟକ୍ରମ ଗୁଡ଼ିକ ବିକାଶ ତ୍ୱରାନ୍ୱିତ ହେବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସହିତ ବିଭାଗ ସହ ଜଡ଼ିତ ଅନ୍ୟ ବିଭିନ୍ନ ବିଭାଗର କାର୍ଯ୍ୟ ସଂଯୋଜିତ ହୋଇ ସଂପୃକ୍ତ ଜିଲ୍ଲାର ବିକାଶ ତ୍ୱରାନ୍ୱିତ ଦେବ । କୃଷି ବିଭାଗର ନିର୍ଦ୍ଦେଶକ ଶ୍ରୀ ସକ୍ସେନା ଯୋଜନା ଅଧିନରେ ସଂଯୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନା କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ବିଭାଗ ତଥା ଜିଲ୍ଲାମାନଙ୍କୁ ସଂପୃକ୍ତ ଜିଲ୍ଲାର ବିକାଶ କାର୍ଯ୍ୟ ପରିସର ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଛି । ଭାରତ ସରକାରଙ୍କ ସଂପୃକ୍ତ ସଚିବ, ନୀତି ଆୟୋଗ ଏବଂ ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂପୃକ୍ତ ପଦାଧିକାରୀଙ୍କ ସହଯୋଗରେ ଏହି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
