ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଗ୍ରାମେ ଗ୍ରାମେ ଶ୍ରୀଜଗନ୍ନାଥ କଥା ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ
ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଗ୍ରାମେ ଗ୍ରାମେ ଶ୍ରୀଜଗନ୍ନାଥ କଥା ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ।
ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ମହାପ୍ରଭୁଙ୍କ ମହିମା ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ “ଗ୍ରାମେ ଗ୍ରାମେ ଶ୍ରୀଜଗନ୍ନାଥ କଥା” କାର୍ଯ୍ୟକ୍ରମ ଅନୁଷ୍ଠାନର ଉପ-ସଭାପତି ଡଃ ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଫକିର ପଡା ଗ୍ରାମର ଗ୍ରାମଦେବତୀଙ୍କ ପୀଠରେ ଗ୍ରାମବାସୀମାନଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ମହାପ୍ରଭୁଙ୍କ ନିକଟରେ ବୈଦିକ ମଙ୍ଗଳା ଚରଣ ପାଠ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ସଂପାଦକ ଡଃ ଶଶିକାନ୍ତ ରଥ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନା କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ନାଥ ଓ ସେ ମାନବୀୟ ଲୀଳା ପ୍ରଦର୍ଶନ କରି ଶ୍ରୀକ୍ଷେତ୍ରରେ ବିରାଜମାନ କରିଛନ୍ତି। ସେ ଓଡ଼ିଆ ଜାତିର ହୃଦୟର ଦେବତା,ପ୍ରତିଟି ଓଡ଼ିଆ ତାଙ୍କ ବିଷୟରେ ଜାଣିବା ଆବଶ୍ୟକ ବୋଲି ମତପୋଷଣ କରିଥିଲେ। ଶ୍ରୀଯୁକ୍ତ ସୁଧୀର କୁମାର ସାହାଣୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହାପ୍ରଭୁଙ୍କ ମହିମା ଶ୍ରବଣ କରାଇଥିଲେ। ଡଃ ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ କହିଲେ ମହାପ୍ରଭୁ ପରଂବ୍ରହ୍ମ, ପୁରୁଷୋତ୍ତମ ତାଙ୍କ ନାମ, ଧାମ, ଲୀଳା ଦିବ୍ୟ ଅଟେ। ମନୁଷ୍ୟକୁ ଉଚିତ୍ ମାର୍ଗରେ ନେବାପାଇଁ ମହାପ୍ରଭୁଙ୍କ ଲୀଳା, ମହିମାକୁ ଜାଣିବା ଆବଶ୍ୟକ ବୋଲି କହିଥିଲେ। ଶ୍ରୀଯୁକ୍ତ ସୁରେଶ କୁମାର ଚୌଧୁରୀ ସଭା ପରିଚାଳନା କରିଥିଲେ। ଶ୍ରୀଯୁକ୍ତ ସୁଧୀର କୁମାର ସାହାଣୀ, ଶ୍ରୀଯୁକ୍ତ ଧରଣୀଧର ରାଉତ, ଶ୍ରୀଯୁକ୍ତ ବ୍ରଜବନ୍ଧୁ ରାଉତ ଓ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ମହାପ୍ରଭୁଙ୍କ ଫଟୋଚିତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଗଲା। ଏଥିରେ ଗ୍ରାମର ଶତାଧିକ ଗ୍ରାମବାସୀମାନେ ଯୋଗଦାନ କରିଥିଲେ।
