ନୂଆ ଆଶା ନୂଆ ବିଶ୍ଵାସ
ନୂଆ ଆଶା ନୂଆ ବିଶ୍ଵାସ
🔹କବିରତ୍ନ ନୂତନ କୁମାର ବେହେରା
ଜୀବନର ଅସ୍ତିତ୍ଵ ଥିବା ଯାଏଁ ଏ ଧରାଧାମେ
ନିତି ନିତି ମନେ ଜନ୍ମେ ନୂଆ ନୂଆ ଆଶା
ସେ ସବୁ ପୂରଣ ପାଇଁ ମଣିଷ କରେ ଉଦ୍ୟମ
ମନରେ ରଖି ନିଜର ଦୃଢ଼ ଆତ୍ମବିଶ୍ଵାସ
ଅବ୍ୟାହତ ରଖି ତାର ଆଗ୍ରହ ଉତ୍ସାହ
ହୃଦୟରେ ସେ ସଞ୍ଚି ରଖିଥାଏ ଇଚ୍ଛାଶକ୍ତି
ଅନୁକୂଳ ପ୍ରତିକୂଳର ବାଧାବିଘ୍ନ ଯେତେ ସହି
କିଛି କିଛି ଆଶା ସଫଳ କରିବା ବେଳକୁ
ବିଫଳ ହେଲେ …ଅନେକ ରହିଯାଏ ଅଧୁରା
ଭବିଷ୍ୟତ ବର୍ତ୍ତମାନ ହୋଇ ଆସୁ ଆସୁ କ୍ରମରେ
ତାର ଅଭୁଲା ସ୍ମୃତି ସବୁ ଛାଡ଼ି ହୁଏ ଅତୀତ
ସମୟର ସ୍ରୋତ ବୋହିନିଏ ଶୂନ୍ୟତାର ଗର୍ଭକୁ
ତଥାପି ସେ ହରାଏ ନାହିଁ ନିଜର ନିଜତ୍ବ
ଆଜିର ଦିନ ବଦଳି ଯାଇ ହୁଏ ପୁଣି ମନୋରମ
ଦୁର୍ଦ୍ଦିନର ଦୁର୍ଦ୍ଦଶାରେ ମଧ୍ୟ ଆଣେ ଆତ୍ମପ୍ରତ୍ୟୟ
ପଙ୍କରୁ ପଦ୍ମ ରୂପେ ଫୁଟିବାକୁ କରୁଥାଏ ପ୍ରୟାସ
ସୃଷ୍ଟିର ଆବାହନ କାଳରୁ କେତେ ଯେ ଦିନ
ଯାଇଛି ବିତି…ସବୁ ହିସାବ ରଖିନାହିଁ ଇତିହାସ
ଆସେ ନୂଆବର୍ଷ ଏମିତି… ହୁଏ ପୁଣି ପୁରାତନ
କ୍ରମବିକାଶ ଧାରାରେ ହୋଇଥାଏ ବାର୍ତ୍ତାବହ
ଆସିଛି ଏବେ ନୂଆବର୍ଷ ନେଇ ସେଇ ଇସ୍ତାହାର
ନୀରବରେ କହିଦିଏ ଚେତନାକୁ କରି ଜାଗ୍ରତ
ପୂର୍ବର କଥା ମନର ବ୍ୟାଥା ଯେତେ ଗାଥା
ଭୁଲି ଯାଅ ଯଦି ହୋଇଥାଏ ତିକ୍ତ ବିଷାଦଭରା
ନୂଆ ବର୍ଷ ପରି ହସ …ନେଇ ନୂଆ ରୂପରଙ୍ଗ
ମନ ହୃଦୟରେ ଆଣ ନୂଆ ଆଶା ନୂଆ ବିଶ୍ଵାସ
ବିଶ୍ଵାସକୁ ଅନ୍ଧବିଶ୍ୱାସରୁ ଉଦ୍ଧାର କରି ରଖ
ଶଙ୍କା ସନ୍ଦେହର ଘନ କୁହୁଡ଼ିରୁ ଦୂରେଇ ରୁହ
ନୂଆ ନୂଆ ଯୋଜନା ନେଇ କରିଚାଲ ଅଭିଯାନ
ସଫଳତା ହାତ ଠାରି ଦିଏ ସବୁଜ ସଂକେତ
ପରିପୂର୍ଣ୍ଣ କରିବାକୁ ନୂଆ ଆଶା ଆକାଂକ୍ଷା
ସଂକଳ୍ପର ବିକଳ୍ପ ନ ଚିନ୍ତି ହୃଦେ ରଖ ଭରସା
ଜୀବନ ସଜାଡ଼ି ଦେବ ନୂଆ ଆଶା ନୂଆ ବିଶ୍ଵାସ ।
🔹🔹🔹
