ଧର୍ମ ହିଁ ଜୀବନର ଶ୍ରେଷ୍ଠ ପରିଭାଷା” – ପୂଜ୍ୟ ଶଙ୍କରାଚାର୍ଯ୍ୟ
ଧର୍ମ ହିଁ ଜୀବନର ଶ୍ରେଷ୍ଠ ପରିଭାଷା” – ପୂଜ୍ୟ ଶଙ୍କରାଚାର୍ଯ୍ୟ ,ପୁରୀଠାରେ ତୃତୀୟ ଶ୍ରୀ ଜଗନ୍ନାଥ ବିଶ୍ବ ଆଧ୍ୟାତ୍ମିକ ସମାବେଶ ବିଶ୍ୱ ଆଧ୍ୟାତ୍ମିକ ସଂଗଠନ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଓ୍ୱାଇଡ୍ ତରଫରୁ ତ୍ରିବିସୀୟ ତୃତୀୟ ଶ୍ରୀଜଗନ୍ନାଥ ବିଶ୍ବ ଆଧ୍ୟାତ୍ମିକ ସମାବେଶ ତା.୦୨.୦୧.୨୦୨୬ଦିନ ଶ୍ରୀ ଜଗନ୍ନାଥ ଧାମ, ପୁରୀଠାରେ ଗୋବଦ୍ଧନ ପୀଠାଧୀଶ ପୂଜ୍ୟ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଦ୍ବାରା ଉଦ୍ଘାଟିତ ହୋଇଛି । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଦ୍ବାରା ଚତୁର୍ଦ୍ଧାମୂର୍ତୀଙ୍କ ପୂଜାର୍ଚ୍ଚନା ପରେ ଡ. ଗୁରୁ ପ୍ରସାଦ ମହାପାତ୍ରଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମରେ ବିଶିଷ୍ଟ ସଙ୍ଗୀତଜ୍ଞ ଶ୍ରୀ ଶ୍ରୀଚରଣ ମହାନ୍ତି ଭଜନ ପରିବେଷଣ କରିଥିଲେ ଏବଂ ବିଶିଷ୍ଟ ନୃତ୍ୟଶିଳ୍ପୀ ବି ଏମ୍ ବୈଶାଳୀ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନର ଟ୍ରଷ୍ଟି ଡ. ହର ପ୍ରସନ୍ନ ଦାସ, ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଶ୍ରୀ ମନୋଜ କୁମାର ପାତ୍ର ଅନୁଷ୍ଠାନର ଉଦ୍ଦେଶ୍ୟ, କାର୍ଯ୍ୟକ୍ରମର ସୂଚନା ଇତ୍ୟାଦି ବିଷୟରେ ସୂଚନା ଦେବା ସହ ଡ. ଭଗବାନ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହା ସହିତ ସଂଗଠନର ମ୍ୟାନେଜି’ ଟ୍ରଷ୍ଟି ଶ୍ରୀ ରମେଶ ଚନ୍ଦ୍ର ବିଶ୍ଵାଳ, ଶ୍ରୀ ସୁକାନ୍ତ କୁମାର ସାହୁ ଓ ଶ୍ରୀମତୀ ସ୍ବାତୀ ତ୍ରୀପାଠୀ ଅଧିବେଶନର ସୁପରିଚାଳନାରେ ସହଯୋଗ କରିଥିଲେ ।ପୂଜ୍ୟ ଶଙ୍କରାଚାର୍ଯ୍ୟ ନିଜର ଆଶୀର୍ବଚନରେ ବେଦ ପୁରାଣ ଆଦିର ଉଦାହରଣ ଦେଇ କହିଲେ ଯେ ଧର୍ମ ହିଁ ଜୀବନର ଶ୍ରେଷ୍ଠ ପରିଭାଷା । ପଂଚ ମହାଭୂତ, ମନ, ବ୍ୟକ୍ତ, ଅବ୍ୟକ୍ତ ଆଦିକୁ ବିଶ୍ଲେଷଣ କରି ସେ କହିଲେ ଯେ ଆତ୍ମବିନ୍ତନ ହିଁ ଆମକୁ ଠିକ ଭାବରେ ପରିଚାଳିତ କରିବ । ପୁରୀ ଝାଜପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ବାସ ମହାରାଜ, ଆନ୍ତର୍ଜାତିକ କ୍ରିୟାଯୋଗ ଅନୁଷ୍ଠାନର ମୁଖ୍ୟ ପରମହଂସ ସ୍ବାମୀ ପ୍ରଜ୍ଞାନାନନ୍ଦ ମହାରାଜ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ତିରୁପତିର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ନିଜ ନିଜର ବକ୍ତବ୍ୟ ରଖୁ ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ରସମ୍ମତ ରୀତିନିତି ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଓ୍ୱାଇଡ୍ ତରଫରୁ “ଦାରୁବ୍ରହ୍ମ” ନାମକ ଏକ ସ୍ମରଣୀକା ଗୁରୁଦେବଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।ଅପରାହ୍ନ ଅଧିବେଶନର ପ୍ରସଙ୍ଗ ଥିଲା “ବିଶ୍ଵରେ ଅଦିନିଆ ରଥଯାତ୍ରା” ଯେଉଁଥରେ ସଭାପତିତ୍ୱ କରିଥିଲେ ପୁରୀ ଝାଜପିଟା ମଠର ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ ମହାରାଜ |

ତାଙ୍କ ସହିତ ଅନ୍ୟାନ୍ୟ ସାଧୁସନ୍ଥ ତଥା ବିଜ୍ଞବ୍ୟକ୍ତି ଯେପରିକି ପ୍ରଫେସର ହରେକୃଷ୍ଣ ଶତପଥା, ପୁରୀ କଟକି ମଠର ମହନ୍ତ ଡ ବିଜୟ ରାମାନୁଜ ଦାସ ମହାରାଜ, ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ସେକ୍ରେଟାରୀ ପ୍ରଫେସର ନରେଶ ଚନ୍ଦ୍ର ଦାଶ, ଶ୍ରୀମନ୍ଦିର ଦଇତାପତି ସେବକ ଶ୍ରୀ ଦୂର୍ଗା ଦାସମହାପାତ୍ର, ଆଦିତ୍ୟବାହିନୀ ଗୋବଦ୍ଧନ ପୀଠର ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦାନ କରିଥିଲେ । ଏହା ସହିତ ଦେଶବିଦେଶରୁ କିଛି ବିଜ୍ଞ ବକ୍ତା ମଧ୍ୟ ଅଦିନିଆ ରଥଯାତ୍ରା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସେମାନେ ହେଲେ ମହାରାଷ୍ଟ୍ର ଓଡିଆ ୱେଲଫେୟାର ଆସୋସିଏସନ୍, ମୁମ୍ବାଇର ଶ୍ରୀ ଅନିରୁଦ୍ଧ କୁଣ୍ଡ, ସାନ ଆଂଟାନିଓ, ଆମେରିକାରୁ ସାନ୍ତନ ଦାସ, ଲଣ୍ଡନ, ଯୁକେରୁ ଅମିତା ମିଶ୍ର। ଆଲୋଚନାରୁ ଏହା ଜଣାପଡିଥିଲା ଯେ ପ୍ରତ୍ୟେକ ବ୍ୟକ୍ତି ଏହି ଅଦିନିଆ ରଥଯାତ୍ରାକୁ ନେଇ ଅସନ୍ତୁଷ୍ଟ । ଏବଂ ଏବେ ସମୟ ଆସିଛି ଏହାର ପ୍ରତିବାଦ କରିବା, ଯାହାକୁ ଶାସ୍ତ୍ରସମ୍ମତ । ଏହା ସହିତ ଗୁରୁ ନଳିନୀକାନ୍ତ ନାୟକଙ୍କ ଭଜନ ପରିବେଶକୁ ଆହୁରି ଭକ୍ତିମୟ କରିଥିଲା । ସଂଧ୍ୟାରେ ନାମ ସଂକୀର୍ତନ ମଣ୍ଡଳୀ ଟାଉନହଲଠାରୁ ବାହାରି ଶ୍ରୀମନ୍ଦିର ପରିକ୍ରମା କରିଥିଲେ ।
