ପ୍ରେମରେ ଅମର ହୁଅଇ ପ୍ରେମୀ
ପ୍ରେମରେ ଅମର ହୁଅଇ ପ୍ରେମୀ
( ରାଗ — ରସକୁଲ୍ୟା )
🖊️କବିରତ୍ନ ନୂତନ କୁମାର ବେହେରା
ପ୍ରେମରେ ଅମର ହୁଅଇ ପ୍ରେମୀ
ତା’ ମହିମା ଝୁରେ ଏ ଧରାଭୂମି,
ପ୍ରେମ ଚିରନ୍ତନ ସତ୍ୟ ଶାଶ୍ଵତ
ପବିତ୍ର ଭାବନା କରଇ ଜାତ ସେ,
ଜୀବନ ତାର ସରସ ଯେ
ମନ କଥା ଜାଣି ସେଇ ଗୁଣେ ଗୁଣୀ
ହୋଇ ରୁହଇ ସନ୍ତୋଷ ଯେ/୧/
ଥିଲେ ପୁଣ୍ୟଫଳ ଜନ୍ମ ଜନ୍ମର
ଲଭିଥାଏ ଜଣେ ସାନ୍ନିଧ୍ୟ ତାର,
ପ୍ରେମ ସନାତନ ସ୍ଵର୍ଗୀୟ ଦାନ
ନୟନେ କରଇ ଦିବ୍ୟ ଦର୍ଶନ ସେ,
ହୃଦୁ ଝରେ ପୀୟୂଷ ଯେ
ଦୂର ହୁଏ ମିଛ ମନ ରହେ ସ୍ଵଚ୍ଛ
ଓଠେ ଫୁଟୁଥାଏ ହସ ଯେ/୨/
ପ୍ରକୃତ ପ୍ରେମରେ ପ୍ରେମୀ ଯୁଗଳ
ଏକାତ୍ମାରେ ରହି କାଟନ୍ତି କାଳ,
ଜୀବନର ହିତେ କରି ସାଧନ
ଚରିତ୍ର ରଖନ୍ତି ଚିର ଅମ୍ଳାନ ସେ,
ଦୁଇ କାୟେ ଏକ ଆତ୍ମା ଯେ
ଜନ୍ମି ଯୁଗେ ଯୁଗେ ରହି ଅନୁରାଗେ
ବଢ଼ାନ୍ତି ପ୍ରେମ ଗାରିମା ଯେ/୩/
ପ୍ରେମିକ ପ୍ରେମିକା କେଦାର ଗୌରୀ
ଲୈଲା ମଜନୁ ଓ ହୀର୍ ରଞ୍ଜା ପରି,
ପ୍ରେମର ମହିମା ରଖି ଜୀବନ୍ତ
ସଂସାରକୁ ଦିଅନ୍ତି ସଦା ଅମୃତ ସେ,
କରିଥାନ୍ତି ଋଦ୍ଧିମନ୍ତ ଯେ
ପ୍ରେମ ବିନା ଶୂନ୍ୟ ଜୀବନ ନଗଣ୍ୟ
ସୃଷ୍ଟିର ଏଇ ସିଦ୍ଧାନ୍ତ ଯେ/୪/
ପ୍ରେମ ଶକ୍ତି ଭକ୍ତି ଦିବ୍ୟ ଭାବନା
ପ୍ରେମ ବିନା ସବୁ ତ ବିଡ଼ମ୍ବନା,
ପ୍ରେମରେ ଜୀବନ ହୁଏ ପ୍ରକାଶ
ପ୍ରେମରେ କରଇ ସବୁ ବିକାଶ ସେ,
ପ୍ରେମ ହିଁ ମୁକ୍ତିର ମାର୍ଗ ଯେ
ପ୍ରେମେ ପ୍ରଭୁ ବନ୍ଧା ପ୍ରାଣ ସାଥେ ଛନ୍ଦା
ପ୍ରେମୀଙ୍କୁ ନିଅନ୍ତି ସ୍ବର୍ଗ ଯେ/୫/
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା
କୋହି,ବାରିପଦା,ମୟୂରଭଞ୍ଜ।
