ଭଦ୍ରକରେ ଜିଲ୍ଲା ସ୍ତରୀୟ ବିଶାଳ ନିଯୁକ୍ତି ମେଳା ଆୟୋଜିତ ।
ଭଦ୍ରକ : ୦୬/୦୧/୨୦୨୬; ଭଦ୍ରକ ଜିଲ୍ଲାରେ ଆଜି ଏକ ବିଶାଳ ନିଯୁକ୍ତି ମେଳା ସଫଳତାର ସହିତ ଅସୁରାଲି ପଡ଼ିଆ ରେ ଆୟୋଜିତ ହୋଇଯାଇଛି । ଏହି ନିଯୁକ୍ତି ମେଳାରେ ଯୁବକ–ଯୁବତୀ ମାନେ ବ୍ୟାପକ ଭାବ ରେ ଭାଗ ନେଇଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କର ଯୁବକ ମାନଙ୍କୁ ଚାକିରି ଓ କୌଶଳ ଭିତ୍ତିକ ନିଯୁକ୍ତି ଯୋଗାଇବା ପ୍ରତି ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ । ଏପରି ନିଯୁକ୍ତି ମେଳା ଯୁବକ–ଯୁବତୀମାନଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ କୌଶଳ ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାରେ ସହାୟତା ହୋଇଥାଏ।ଉକ୍ତ ନିଯୁକ୍ତି ମେଳା ରେ ସାସଂଦ ଶ୍ରୀ ଅଭିମନ୍ୟୁ ସେଠୀ,ଜିଲ୍ଲାପାଳ ଶ୍ରୀ ଦିଲିପ୍ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ ଓ ଉପ-ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଆସିଥିବା ଯୁବକ-ଯୁବତୀମାନଙ୍କୁ ଉତ୍ସାହିତ କରି ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିଥିଲେ।

ଏହି ମେଳାରେ ମୋଟ ୧,୩୬୯ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଥିବା ବେଳେ ୩୪ ଜଣ ନିୟୋଜକ ଓ ୧୨ ଟି ପ୍ରଶିକ୍ଷଣ ସହଯୋଗୀ ସଂସ୍ଥା ଅଂଶଗ୍ରହଣ କରିଥିଲେ । ଏନ୍ସିସି (NCC), ଏଆରଓ କଟକ, ସରକାରୀ ଆଇଟିଆଇ, ଭଣ୍ଡାରିପୋଖରୀ ଓ ୱର୍ଲ୍ଡ ସ୍କିଲ୍ ସେଣ୍ଟର, ଭୁବନେଶ୍ୱର ପରି ପ୍ରତିଷ୍ଠିତ ସଂସ୍ଥାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ନିଯୁକ୍ତି ମେଳାର ଫଳସ୍ୱରୂପ ୩୨୩ ଜଣ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ପାଇଁ ଓ ୬୧୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଛାଣିତ କରାଯାଇଛି ।ଏହି ନିଯୁକ୍ତି ମେଳା ଯୁବକ–ଯୁବତୀମାନଙ୍କୁ ଚାକିରି ଓ କୌଶଳ ଉନ୍ନତିର ସୁଯୋଗ ଯୋଗାଇବା ସହିତ ଜିଲ୍ଲାରେ ନିଯୁକ୍ତି ସୃଷ୍ଟି ପ୍ରତି ଜିଲ୍ଲା ପ୍ରଶାସନ ର ଉଦ୍ୟମକୁ ଆହୁରି ସୁଦୃଢ଼ କରିଛି ।
