ବାମସେଫ୍ କନଭେନସନ୍ ବାତିଲ୍

ବାମସେଫ୍ କନଭେନସନ୍ ବାତିଲ୍ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ; ଗଞ୍ଜାମ ଜିଲ୍ଲାପାଳଙ୍କ ଜରୀଆରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ ।

ଛତ୍ରପୁର ୭/୦୧/୨୬ ; କଟକରେ ଅନୁଷ୍ଠିତ ହେବାକୁ ଥିବା ବାମସେଫ୍ (ବ୍ୟାକୱାର୍ଡ ଆଣ୍ଡ ମାଇନରିଟି କମ୍ୟୁନିଟିଜ୍ ଏମ୍ପ୍ଲଏଜ୍ ଫେଡରେସନ୍)ର ୪୨ତମ ଯୁଗ୍ମ ରାଷ୍ଟ୍ରୀୟ ଅଧିବେଶନ ଏବଂ ଭାରତ ମୁକ୍ତି ମୋର୍ଚ୍ଚାର ୧୫ତମ ରାଷ୍ଟ୍ରୀୟ ଅଧିବେଶନର ଅନୁମତି ଶେଷ ମୁହୂର୍ତ୍ତରେ ବାତିଲ ହେବାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଜରୀଆରେ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭାରତ ମୁକ୍ତି ମୋର୍ଚ୍ଚା (ବିଏମଏମ) ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା (ଆର୍‌ପିଭିଏମ୍) ଆଜି ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି । ସେହିଭଳି ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ମଧ୍ୟ ରାଷ୍ଟ୍ରୀୟ ପିଛୁଆ ବର୍ଗ ମୋର୍ଚ୍ଚା ଓ ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ୱାରା ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆର୍‌ଏସ୍‌ଏସ୍-ବିଜେପି ସମ୍ପର୍କିତ ଲୋକଙ୍କ ଷଡ଼ଯନ୍ତ୍ରରେ ହେବାକୁ ଥିବା ଅଧିବେଶନ ଅନୁମତି ବାତିଲ କରାଯାଇଥିବା ସମ୍ଭାବନା ରହିଛି । ସମ୍ବିଧାନର ମୌଳିକ ଅଧିକାର ଉଲଘଂନ ବୋଲି ଦାବି କରି ଓବିସିଙ୍କ ଜାତିଭିତ୍ତିକ ଗଣନା ଦାବିକୁ ଦବାଇବାକୁ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ରହିଛି ।ସୁଚନାଅନୁଯାୟୀ ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ କଟକର ବାଲିଯାତ୍ରା ଲୋଅର ଗ୍ରାଉଣ୍ଡରେ ଏହି ଅଧିବେଶନ ଆୟୋଜନ ହେବାକୁ ଥିଲା। ମାତ୍ର ଦୁଇ ମାସ ପୂର୍ବରୁ ଜିଲ୍ଲାପାଳ ଓ ସ୍ଥାନୀୟ ପୋଲିସ୍ ବିଭାଗରୁ ଏଥିପାଇଁ ଅନୁମତି ମିଳିଥିଲା । ଅଧିବେଶନରେ ଯୋଗଦାନ ନେଇ ହଜାର ହଜାର ପ୍ରତିନିଧି ଦେଶ-ବିଦେଶରୁ ସେମାନଙ୍କ ଯାତ୍ରା ଟିକଟ ରିଜର୍ଭ କରିସାରିଥିଲେ । ଆୟୋଜକ ମାନେ ମଞ୍ଚ, ପ୍ୟାଣ୍ଡାଲ ଓ ଅନ୍ୟାନ୍ୟ ବ୍ୟବସ୍ଥା ପ୍ରାୟ ସମ୍ପୂର୍ଣ୍ଣ କରିସାରିଥିଲେ। କିନ୍ତୁ ଡିସେମ୍ବର ୨୧ରେ ହଠାତ୍ ଅନୁମତି ବାତିଲ କରାଯାଇଥିଲା। ଏଭଳିକି ଓଡ଼ିଶା ହାଇକୋର୍ଟ ମଧ୍ୟ ଅନ୍ତରୀଣ ରିଲିଫ୍ ଦେବାକୁ ମନା କରିଦେଇଥିଲେ, କାରଣ ସାମ୍ପ୍ରଦାୟିକ ସଦ୍‌ଭାବନା ବିଗିଡ଼ିବାର ଆଶଙ୍କା ରହିଛି ବୋଲି ପ୍ରଶାସନ ପକ୍ଷରୁ କହିଥିଲେ । ସମ୍ବିଧାନର ଅନୁଚ୍ଛେଦ ୧୪ (ସମାନତା), ୧୯(୧)(ଏ) (ଅଭିବ୍ୟକ୍ତି ସ୍ୱାଧୀନତା), ୧୯(୧)(ବି) (ସମାବେଶ ସ୍ୱାଧୀନତା) ଓ ୧୯(୧)(ସି) (ସଂଗଠନ ଗଠନ ଅଧିକାର)ର ଉଲ୍ଲଘ୍ନ ବୋଲି ଉଲ୍ଲେଖ କରାଯାଇଛି। ଏହି ଘଟଣା ବହୁଜନ ସମାଜର ଆବାଜ୍ ଦବାଇବାର ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି । ଆଜି ଜ୍ଞାପନପତ୍ର ପ୍ରଦାନବେଳେ ଭାରତ ମୁକ୍ତି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ଆଇନଜୀବୀ ସୁମା ଦାସ , ଆର୍ ଏମ୍ ବିକେଏସ ଗଞ୍ଜାମ ଜିଲ୍ଲା ସଭାପତି ଶରତ ପାତ୍ର , ଭାରତ ମୁକ୍ତି ମୋର୍ଚ୍ଚାର ଗଞ୍ଜାମ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ବେହେରା, ରାଷ୍ଟ୍ରୀୟ ଭାରତ ମୁକ୍ତି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ଉପସଭାପତି ଜଗନ୍ନାଥ ,ଭାରତୀୟ ବେରୋଜଗାର ମୋର୍ଚ୍ଚା ରାଜ୍ୟ ସଭାପତି ପିଣ୍ଟୁ ଦାସଙ୍କ ପ୍ରମୁଖ ଅନେକ ବହୁ ସଂଗଠନର କର୍ମକର୍ତ୍ତା, ସମାଜସେବୀ, ବହୁଜନ ସଂଗଠକ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *