ମଣିଷ ପଣିଆଁ

ମଣିଷ ପଣିଆଁ

 ✍🏼କବିରତ୍ନ ନୂତନ କୁମାର ବେହେରା

ଆଶା ଆଜି ଆଶଙ୍କାର ଆଗ୍ନେୟଗିରିରୁ
ଲାଭା ରୂପରେ ହୁଏ ଉଦ୍ଗୀରଣ
ସ୍ବପ୍ନ ଆଜି ଭଗ୍ନ ହୋଇ ନେଇ ଆସେ ବିଘ୍ନ
କୃତଜ୍ଞତାର ମହନୀୟ ଗୁଣ ଦିଶେନା
ଅତି ବିଶ୍ଵସ୍ତ ବନ୍ଧୁ ବି ହୁଏ କୃତଘ୍ନ
ମାନବବାଦରେ ମାନବିକତା ଯାଏ ହଜି
ମାନସିକତା ପାଲଟେ ପକ୍ଷାଘାତ ରୋଗୀ
ଯେତେ ଉପଚାରରେ ମଧ୍ୟ ହୁଏନା ପ୍ରତିକାର
କର୍କଟ ରୋଗ ପରି ସଂକ୍ରମଣ ହୁଏ
ସଂପର୍କର ଅଙ୍ଗ ପ୍ରତ୍ୟଙ୍ଗ ହୁଏ ବ୍ୟବିଚ୍ଛେଦ
କଷଟି ପଥରରେ ଜୀବନ ହେଉଛି ଘସି
ସାନ୍ତ୍ଵନା ମିଳେନା ଶାନ୍ତି ହୁଏ ପଳାୟନ ପନ୍ଥୀ
ମଣିଷ ପଣିଆ କାନ୍ଦୁଛି ଧକେଇ ଧକେଇ
ଭାଗ୍ୟର ବିପର୍ଯ୍ୟୟ ଘଟି ଆସେ ଦୁର୍ଦ୍ଦିନ
ମୁହଁର ବଚନ କେବଳ ପ୍ରତିଶ୍ରୁତି ମାତ୍ର
ଶବ୍ଦର ଜାଲରେ ଛନ୍ଦା ସଂପର୍କର ସରବରାହ
ବିଚ୍ୟୁତ ହୁଏ ସାମାନ୍ୟତମ ସ୍ବାର୍ଥରେ
ଫଟା ଆଇନାର କାଚ ପରି ହୁଏନା ଯୋଡ଼ି
ସ୍ଵରୂପର ପ୍ରତିଫଳନ ଦିଶେ ବିଭତ୍ସ ବିକଟାଳ
ମାଆର ମମତା ହୁଏ ଊଣା ପ୍ରିୟା କରେ ଘୃଣା
ଭାଇ ଭାଇରେ ରଣ ଅବାଞ୍ଛିତ ପରିଣାମ
ଚିହ୍ନା ପରିଚିତ ବ୍ୟକ୍ତି ଦିଏ ଦଗା ନରଖି ନିଘା
ଶତ୍ରୁତାର ଅସ୍ତ୍ର ଉଠେ ଆତ୍ମୀୟଙ୍କ ପ୍ରତି
ଲାଞ୍ଚ ମିଛ ବ୍ୟଭିଚାର ବ୍ୟାପେ ମାତ୍ରାଧିକ
ସ୍ବାର୍ଥରେ ବଶ ହୋଇ ନାଶେ ଆତ୍ମମର୍ଯ୍ୟାଦା
ମଣିଷ ପଣିଆ କାନ୍ଦୁଛି ଧକେଇ ଧକେଇ
ସେ ବଞ୍ଚିବାକୁ କରୁଛି ଯେତେ ଉଦ୍ୟମ
ମରିବାଟା ସେତେ ପାଖକୁ ଆସେ ପାଖେଇ
ସବୁଠି ନାହିଁ ନାହିଁର ସଂକଟ ଏକତାର ଫାଟ
ହୃଦୟରେ ହେଉ ନାହିଁ ସଦ୍ଭାବର ଅନୁଭବ
ଜୀବନର ଅର୍ଥ ବୁଝେ ଲାଭ କ୍ଷତିର ବ୍ୟବସାୟ
ଅର୍ଥର ଅନର୍ଥରେ ଲକ୍ଷ୍ୟ ତାର ହୁଏ ବ୍ୟର୍ଥ
ନିଜର ଭୁଲ୍ ନ ସୁଧାରି ଅନ୍ୟକୁ ଦିଏ ଦୋଷ
ନକରି ବିନ୍ଦୁଏ ତ୍ୟାଗ ଖୋଜେ ସିନ୍ଧୁଏ ଭୋଗ
ବିନା ଦାନରେ ପାଇବାକୁ ଚାହେଁ ପ୍ରତିଦାନ
ଦୁନିଆଁର ଏ ସବୁ ବିଚିତ୍ର ଚରିତ୍ର ଦେଖି
ସ୍ଥାଣୁ ନିଷ୍କ୍ରିୟ ହେଉଛି ମଣିଷ ପଣିଆଁ…।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *