ପୁରୀ ସହରରେ ଅବରୋଧ ସୃଷ୍ଟି କରୁଥିବା ପୁରୁଣା ଯାନବାହନ ବିରୋଧରେ ବିଶେଷ ଅଭିଯାନ
ପୁରୀ ସହରରେ ଅବରୋଧ ସୃଷ୍ଟି କରୁଥିବା ପୁରୁଣା ଯାନବାହନ ବିରୋଧରେ ବିଶେଷ ଅଭିଯାନ l ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦେଶ କ୍ରମେ ପୁରୀ ସହରରେ ଟ୍ରାଫିକ ସୁବିଧା ବୃଦ୍ଧି ଏବଂ ସାଧାରଣ ଲୋକଙ୍କ ଯାତାୟାତକୁ ସୁବିଧାଜନକ କରିବା ପାଇଁ ଟ୍ରାଫିକ ଥାନା ପୁରୀ ଓ ସିଟି ଡିଏସପିଙ୍କ ମିଳିତ ପ୍ରୟାସରେ ଏକ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି। ପୁରୀ ସହର ଏକ ଧାର୍ମିକ ଓ ପର୍ଯ୍ୟଟନ ନଗରୀ ହେବାରୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଯାତାୟାତ ଚାଲିଥାଏ। କିନ୍ତୁ ସହରର ବିଭିନ୍ନ ସ୍ଥାନରେ, ବିଶେଷ କରି ନାରୋ ବା ଛୋଟ ଗଳି ମାନଙ୍କରେ, ବର୍ଷରୁ ବର୍ଷ ପର୍ଯ୍ୟନ୍ତ ପୁରୁଣା ୩ ଚକିଆ ଓ ୪ ଚକିଆ ଯାନବାହନ ଅଚଳ ଅବସ୍ଥାରେ ପଡି ରହିଛି। ଏହି ପରିତ୍ୟକ୍ତ ଯାନବାହନମାନେ ରାସ୍ତା ଅବରୋଧ ସୃଷ୍ଟି କରିବା ସହିତ ଆଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଓ ଜରୁରୀ ସେବା ଯାନଙ୍କ ଯାତାୟାତରେ ବାଧା ସୃଷ୍ଟି କରୁଛି। ଏହା ଟ୍ରାଫିକ ଜାମ, ଦୁର୍ଘଟଣାର ସମ୍ଭାବନା ଓ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର ପ୍ରମୁଖ କାରଣ ହୋଇପଡ଼ିଛି। ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ପୁରୀ ପୋଲିସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସହରର ପ୍ରାୟ ୧୬ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠାରେ ଏମିତି ପୁରୁଣା ଓ ପରିତ୍ୟକ୍ତ ଯାନବାହନ ରାସ୍ତା ଉପରେ ବର୍ଷରୁ ବର୍ଷ ପଡି ରହିଛି। ସେହି ସ୍ଥାନମାନଙ୍କ ମଧ୍ୟରେ ବାନାମ୍ବର ଛକ ନିକଟରେ ଥିବା ଓଲା ସ୍ୱରୂମ, ରିଲାୟାନ୍ସ ଟ୍ରେଣ୍ଡସ୍ ସାମ୍ନା, ଭିଆଇପି ରୋଡରେ ଥିବା ରୁଟ୍ ଡେଣ୍ଟାଲ୍ କ୍ଲିନିକ ଆଖ ପାଖ, କାଠି ଜଙ୍କସନ, ଡାଲେମା ହୋଟେଲ ଆଖ ପାଖ, କଲେରା ହସ୍ପିଟାଲ ଆଖପାଖ, ୱୁମେନ୍ସ କଲେଜ ନିକଟବର୍ତ୍ତୀ ଅଞ୍ଚଳ ସହ ଅନ୍ୟାନ୍ୟ ଗଳି ଓ ସଡକ ଅନ୍ତର୍ଭୁକ୍ତ ଅଟେ।ଏହି ସମସ୍ତ ସ୍ଥାନରେ ରାସ୍ତା ଉପରେ ଅବରୋଧ ସୃଷ୍ଟି କରି ଯାନବାହନ ରଖିଥିବା ମାଲିକମାନଙ୍କୁ ପୁରୀ ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି। ନୋଟିସ ମାଧ୍ୟମରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାଙ୍କର ଯାନବାହନ ସ୍ୱଇଚ୍ଛାରେ ସ୍ଥାନାନ୍ତର କରିବାକୁ ଅନୁରୋଧ କରାଯାଇଛି। ପୁରୀ ପୋଲିସ ସ୍ପଷ୍ଟ କରିଛି ଯେ, ଯଦି ନୋଟିସ ପାଇବା ପରେ ମଧ୍ୟ ଯାନବାହନ ମାଲିକମାନେ ତାଙ୍କର ଗାଡି ହଟାଇବେ ନାହିଁ, ତେବେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏଥିରେ ଯାନବାହନ ଜବତ, ଜରିମାନା ଓ ଅନ୍ୟାନ୍ୟ ବୈଧ ପଦକ୍ଷେପ ସମ୍ମିଳିତ ହେବ। ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ କାହାକୁ ଅସୁବିଧା ଦେବା ନୁହେଁ, ବରଂ ସହରର ଟ୍ରାଫିକ ବ୍ୟବସ୍ଥାକୁ ସୁଚାରୁ ଓ ସୁରକ୍ଷିତ କରିବା। ରାସ୍ତା ଉପରେ ପରିତ୍ୟକ୍ତ ଯାନବାହନ ରହିଲେ ସେଗୁଡ଼ିକ ଅପରାଧୀମାନଙ୍କ ଲୁଚିବା ସ୍ଥାନ ହୋଇପାରେ, ରାତିରେ ଦୁର୍ଘଟଣାର ବୃଦ୍ଧି କରେ। ଏହା ସହ ଆଗ୍ନିକାଣ୍ଡ ଘଟିଲେ ଆଗ୍ନିଶମ ବାହିନୀଙ୍କ ପହଞ୍ଚିବାରେ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହେ। ପୁରୀ ପୋଲିସ ସମସ୍ତ ଯାନବାହନ ମାଲିକଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସ୍ୱଇଚ୍ଛାରେ ଆଗକୁ ଆସି ତାଙ୍କର ପୁରୁଣା ଓ ଅଚଳ ଯାନବାହନକୁ ସାର୍ବଜନିକ ସଡକ ଓ ଗଳିରୁ ହଟାଇ ସହଯୋଗ କରନ୍ତୁ। ସାଧାରଣ ଲୋକଙ୍କ ସୁବିଧା ଓ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବାରୁ ସମସ୍ତଙ୍କ ସହଯୋଗ ଅତ୍ୟାବଶ୍ୟକ। ସେଥିପାଇଁ ସହରବାସୀଙ୍କୁ ମଧ୍ୟ ଅନୁରୋଧ, ଯଦି କୌଣସି ସ୍ଥାନରେ ଦୀର୍ଘଦିନ ଧରି ପଡି ରହିଥିବା ଏବଂ ରାସ୍ତା ଅବରୋଧ କରୁଥିବା ଯାନବାହନ ଦେଖିବେ, ତେବେ ସେଥିର ସଠିକ ତଥ୍ୟ (ସ୍ଥାନ, ଯାନ ନମ୍ବର ଥିଲେ, ଫଟୋ ଇତ୍ୟାଦି) ପୁରୀ ପୋଲିସକୁ ଜଣାଇବେ।ଏହା ସମ୍ବନ୍ଧରେ ତଥ୍ୟ ଦେବା ପାଇଁ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରିପାରିବେ ୧୧୨ କିମ୍ବା ଟ୍ରାଫିକ ଥାନା ପୁରୀ 9438916388 ସାଧାରଣ ଲୋକଙ୍କ ସହଯୋଗ ଓ ସଚେତନତା ଦ୍ୱାରା ମାତ୍ର ପୁରୀ ସହରକୁ ଏକ ସୁଚାରୁ, ନିରାପଦ ଓ ଯାତାୟାତ ସୁବିଧାପୂର୍ଣ୍ଣ ସହରରେ ପରିଣତ କରାଯାଇପାରିବ। ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଜାରି ରଖିବ ଓ ଆବଶ୍ୟକ ହେଲେ ଅଧିକ ସ୍ଥାନରେ କାର୍ଯ୍ୟାନୁଷ୍ଠାନ ନେବ।
