ଅସାଧୁ କାଜୁ ବେପାରୀଙ୍କୁ ଗୋଡ଼େଇ ଗୋଡେଇ ଧରିଲା ପୁଲିସ

କୋଣାର୍କ,୩୧।୧ କୋଣାର୍କ ପୁଲିସର ନିଦ ହଜାଇଛନ୍ତି ଅସାଧୁ କାଜୁ ବେପାରୀ। ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଅସାଧୁ କାଜୁ ବ୍ୟବସାୟୀମାନେ ପ୍ୟାକେଟରେ ନକୁଳ ଦାନା, ପୋକରା ଓ ନିମ୍ନମାନର କାଜୁ ବିକ୍ରି ହେଉଥିବା ନେଇ ବାରମ୍ବାର ଖବର ପ୍ରକାଶନ ପରେ କୋଣାର୍କ ପୁଲିସ ୨ଦିନ ହେଲା ବିଭିନ୍ନ ସ୍ଥାନରେ ଚଢାଉ ଜାରି କରିଛି। ୩ଦିନ ମଧ୍ୟରେ ୫ଜଣ ଅସାଧୁ ବୁଲା କାଜୁ ବେପାରୀ ଗିରଫ ହୋଇଛନ୍ତି। ଶନିବାର ପୂର୍ବାହ୍ନରେ କୋଣାର୍କ ପୁଲିସ ଏସଆଇ କେଦାର ଚନ୍ଦ୍ର ଦୋରା କୋଣାର୍କ ରିଙ୍ଗ ରୋଡ ନିକଟରେ ଅସାଧୁ କାଜୁ ବେପାରୀ ପର୍ଯ୍ୟଟକଙ୍କୁ କାଜୁ ବିକ୍ରି କରୁଥିବା ବେଳେ ୨ ଜଣଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡେଇ ଗୋଡେଇ ଧରିଥିଲେ। ଶୁକ୍ରବାର ଗିରଫ ହୋଇଥିବା ପ୍ରକାଶ ମହାନ୍ତି, ରାଜୀବ ନାୟକ ଙ୍କ ସହ ୩ଜଣଙ୍କୁ କୋଣାର୍କ କୋର୍ଟ ଚାଲାଣ କରାଯାଇଥିବା ବେଳେ । ଅନ୍ୟ ୨ଜଣ ନିରଞ୍ଜନ ସ୍ବାଇଁ ଓ ଦେବରାଜ ରାଉତଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ପୂର୍ଣଚନ୍ଦ୍ର ସେଠୀ କହିଛନ୍ତି । ଅସାଧୁ ବ୍ୟବସାୟୀମାନେ ପର୍ଯ୍ୟଟକଙ୍କୁ ଲୋଭନୀୟ ଜରି ପ୍ୟାକେଟ ଭିତରେ ନକୁଳ ଦାନା, ପୋକରା କାଜୁ ରଖି କିଲୋ ପ୍ରତି ୬ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଥିଲା।

Leave a Reply

Your email address will not be published. Required fields are marked *