ବନ୍ଧୁଟିଏ ଖୋଜୁ ଖୋଜୁ……

         ବନ୍ଧୁଟିଏ ଖୋଜୁ ଖୋଜୁ……

   🖊️କବିରତ୍ନ ନୂତନ କୁମାର ବେହେରା

ଏକା ଏକା ଚାଲୁଥିଲି ଜୀବନର ରାସ୍ତାରେ
ଅନୁଭବ କରୁଥିଲି ନିଃସଙ୍ଗତାର ସେ ଦୁର୍ବଳ ମୁହୂର୍ତ୍ତକୁ
ମନ ହେଉଥିଲା ବିଚଳିତେ ଅଧିର ଅସ୍ଥିର
ଶ୍ରମ କ୍ଳାନ୍ତି ବୋଧ କରୁଥିବା ଶରୀରର ଅବୟବ
ଚାହୁଁଥିଲେ ବିଶ୍ରାମ ନେବାକୁ ଦେଖି କେଉଁ ବୃକ୍ଷଛାୟା
ଉପସମ ପରେ ପୁଣି ଆତ୍ମପ୍ରତ୍ୟୟ ଫେରି ପାଇବାକୁ
ହୃଦୟ ବି କହୁଥିଲା ଏମିତି ଜଣେ କେହି
ଦରଦୀ ବନ୍ଧୁଟିଏ ମିଳିଥାନ୍ତା କି…
ଦୁଃଖରେ ସୁଖରେ ଠିଆ ହୋଇଥାନ୍ତା ପାଖରେ
ଦେଇଥାନ୍ତା ଅବେଳରେ ଟିକିଏ ସାନ୍ତ୍ଵନା
ଲମ୍ବି ଯାଉଥିବା ଆଶ ଗୁଳ୍ମର ଲତା ସମ ଆବେଗ
ରଞ୍ଜାଟିଏ ପାଇ ମେଲିଥାନ୍ତା ଶାଖା ପ୍ରଶାଖା
ଅନୁସନ୍ଧିତ୍ସୁ ନୟନ ଯୁଗଳ ମୋର ହେଉଥିଲେ ବ୍ୟସ୍ତ
ବନ୍ଧୁଟିଏ ଖୋଜୁ ଖୋଜୁ…ସେ ଦୁରବସ୍ଥାରେ
ଦେବଦୂତ ପରି ତୁମେ ଆସି ସାମ୍ନାରେ ହେଲ ଉଭା
ନିଦାଘର ଦାରୁଣ ଯନ୍ତ୍ରଣାରେ ଘର୍ମ ଝରା ତନୁ
ଆଉଟୁ ପାଉଟୁ ହେଉଥିବା ବେଳେ
ଦଲକାଏ ଶୀତଳ ପବନର ସ୍ପର୍ଶ ଲାଗିଲେ
ଯେମିତି ସତେଜ ଓ ସରସ ହେଲା ପରି ଲାଗେ
ଠିକ୍ ସେମିତି ବୋଧ ହେଲା ମୋ ମନ ପ୍ରାଣକୁ
ତୁମର ସେ ଦରଦ ମିଶା ଭାବ ଭାଷାରେ
ସହଜେ ପରଖି ନେଲ ମୋ ମନର ଇପ୍ସିତ ଆଶାକୁ
ଅକୁଣ୍ଠ ଚିତ୍ତରେ ବଢ଼ାଇଲ ଆତ୍ମୀୟତାର ହାତ
ଶ୍ରଦ୍ଧାରେ ଜଣାଇଲ ସମ୍ଵେଦନା ଭରି ଦେଲ ଆଶ୍ଵାସନା
ମରୁରେ ତୃଷାର୍ତ୍ତ ପଥିକ ଛଟପଟ ହେଉଥିବା ଭଳି
ହେଉଥିଲି ମୁଁ…ସ୍ନେହର ଜଳଦାନେ କଲ ତୁମେ
ମୋର ଜୀବନ ରକ୍ଷା…ପାଇଲି ମୁଁ ଅଶେଷ ଆଶ୍ୱସ୍ତି
ମୋ ହୃଦୟ ତୁମକୁ କରି ନେଲା ଏକାନ୍ତରେ ନିଜର
ନଥିଲା କିଛି ବି ଦ୍ଵିଧା କି ସର୍ତ୍ତର ଚୁକ୍ତିନାମା
ଆତ୍ମା ଚିହ୍ନିଲା ଆତ୍ମାକୁ…ହେଲୁ ଆମେ ଆପଣାର
ଅମୂଲ୍ୟ ରତ୍ନଟିଏ ତୁମେ ମୋ ପାଇଁ ଏ ଜୀବନରେ
ତୁମକୁ ପାଇଲି ମୁଁ… ବନ୍ଧୁଟିଏ ଖୋଜୁ ଖୋଜୁ…।

           କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *