ପରିତ୍ୟକ୍ତ ଅବସ୍ଥାରେ ରାଜସ୍ବ ବଙ୍ଗଳା
ପରିତ୍ୟକ୍ତ ଅବସ୍ଥାରେ ରାଜସ୍ବ ବଙ୍ଗଳା, ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ପରିଣତ ହେଉ
ଖଣ୍ଡପଡ଼ା ୧|୨ -ଖଣ୍ଡପଡ଼ା ସହରର ଉପକଣ୍ଠ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀ ନିକଟରେ ଅବସ୍ଥିତ ରାଜସ୍ବ ବଙ୍ଗଳା ଟି ଦିର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି।ରାଜରାଜୁଡା ଅମଳରୁ ପ୍ରାକୃତିକ ପରିବେଶ ମଧ୍ଯରେ ଏହି ବଙ୍ଗଳାଟି ଏକଦା ନିର୍ମାଣ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ବଙ୍ଗଳାଟି ଖଣ୍ଡପଡ଼ା ତହସିଲ କର୍ତ୍ତୃପକ୍ଷଙ୍କ ଅଧିନରେ ରହିଥିବା ଜଣାଯାଇଛି।ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏହି ବଙ୍ଗଳାର ପୁନରୁଦ୍ଧାର କାର୍ଯ୍ୟ ପୂର୍ତ୍ତବିଭାଗ ପକ୍ଷରୁ ଗତ ୨ ବର୍ଷ ତଳେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ କରାଯାଇଥିଲା।ମାତ୍ର ଏବେ ଉକ୍ତ ବଙ୍ଗଳାଟି ରେ ତାଲା ଝୁଲୁଥିବା ଜଣାପଡିଛି। ଦୈନିକ ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀ ପରିସରକୁ ଏକାଧିକ ପର୍ଯ୍ୟଟକ ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ରାଜ୍ଯର କୋଣ ଅନୁକୋଣରୁ ଆସୁଥିବା ଜଣାପଡିଛି।ପର୍ଯ୍ୟଟକ ମାନଙ୍କ ଆନୁସଙ୍ଗିକ ସୁବିଧାସୁଯୋଗକୁ ଦୃଷ୍ଟିରେ ରଖି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଉକ୍ତ ବଙ୍ଗଳାଟିକୁ ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ପରିଣତ କରିବାକୁ ଖଣ୍ଡପଡ଼ା ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।ନୟାଗଡ ଜିଲ୍ଲା ପ୍ରଶାସନ,ଖଣ୍ଡପଡ଼ା ବିଧାୟକ ଓ କଟକ ଲୋକସଭା ସାଂସଦ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
