ହେ ପ୍ରଭୁ
ହେ ପ୍ରଭୁ
ଡ. ପ୍ରେମାନନ୍ଦ ବେହେରା
ହେ ପ୍ରଭୁ !
ତୁମ ନାମରେ ଆରମ୍ଭ ହୁଏ ମୋ ସକାଳ
ତୁମ ନାମରେ ଶେଷ ହୁଏ
ମୋ ରାତି
ମୁଁ ଜାଣେନି ମନ୍ତ୍ର
ମୁଁ ଜାଣେନି ଯଜ୍ଞ
ମୋ ପାଖରେ ଅଛି କେବଳ
ଭଙ୍ଗା ହୃଦୟର ଏକ ସତ୍ୟ ଡାକ ।।
ହେ ପ୍ରଭୁ !
ଏହି ସଂସାର ମୋ ପାଇଁ
କେବେ ଆଲୋକ, କେବେ ଅନ୍ଧାର
କେବେ ଆଶାର ଦୀପ,
କେବେ ନିରାଶାର ଧୂଆଁ
ଯେବେ ଚାଲିବା ବାଟରେ
ପାଦଚିହ୍ନ ହରାଇଯାଏ
ତେବେ ତୁମ କୃପା
ମୋତେ ପୁଣି ଦିଗ ଦେଖାଏ ।।
ମୁଁ ପଡ଼ିଛି ଅନେକଥର
କେବେ ଲୋଭରେ
କେବେ ଅହଂକାରରେ
କେବେ ମୋ ନିଜ ଦୁର୍ବଳତାରେ
କିନ୍ତୁ ପ୍ରତ୍ୟେକ ପତନରେ
ତୁମ ହାତ ହୋଇଛି ମୋ ଆଶ୍ରୟ
ତୁମ ମୌନତା ହୋଇଛି
ମୋ ପାଇଁ ସର୍ବଶ୍ରେଷ୍ଠ ଉପଦେଶ ।।
ମୋ ମନର ଆଇନାରେ
ଅନେକ ଧୁଳି ଜମିଛି, ପ୍ରଭୁ
ଈର୍ଷା, ଦ୍ୱେଷ, ଅଭିମାନ…
ସବୁ ମୋ ଭିତରେ ଘର କରିଛି
ତୁମ କରୁଣାର ଜଳରେ
ସେ ଆଇନାକୁ ଧୋଇଦିଅ
ଯେଣୁ ମୁଁ ମୋ ମୁହଁ ନୁହେଁ,
ତୁମ ଛବିକୁ ଦେଖି ପାରିବି ।।
ଶେଷରେ ଏତିକି ମାଗୁଛି, ପ୍ରଭୁ
ମୋ ଶ୍ୱାସ ଥିବା ପର୍ଯ୍ୟନ୍ତ
ତୁମ ନାମ ଥାଉ ମୋ ଓଠରେ
ମୋ ଶେଷ ନିଦରେ
ତୁମ ଆଲୋକ ହେଉ ମୋ ସ୍ବପ୍ନ
ହେ ପ୍ରଭୁ !
ମୋତେ ନିଜ ପାଖକୁ ନେଇଯାଅ
ନୁହେଁ ଭକ୍ତ ଭାବେ….
ଏକ ଶୁଦ୍ଧ ମଣିଷ ଭାବେ ।।
ପଦ୍ମପୁର, ବରଗଡ଼
