ପ୍ରୟାସ” ମାଧ୍ୟମରେ ଶିକ୍ଷା ଓ ପୋଷଣ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ପ୍ରୟାସ
ପ୍ରୟାସ” ମାଧ୍ୟମରେ ଶିକ୍ଷା ଓ ପୋଷଣ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ପ୍ରୟାସ •ଶିଶୁଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଦୃଢ଼ ପଦକ୍ଷେପ •ତଥ୍ୟଭିତ୍ତିକ ସମୀକ୍ଷା, ଗୁଣାତ୍ମକ ସେବା ଓ ଉନ୍ନତ ଫଳାଫଳକୁ ଗୁରୁତ୍ୱ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ସାମାଜିକ କ୍ଷେତ୍ର ବିକାଶ ସଂପର୍କିତ “ପ୍ରୟାସ” ବୈଠକ ଅନୁଷ୍ଠିତ ଭୁବନେଶ୍ୱର, ୨୭/୧୧/୨୦୨୬ ରାଜ୍ୟର ସାମାଜିକ କ୍ଷେତ୍ରରେ ସେବା ପ୍ରଦାନକୁ ଅଧିକ ଫଳପ୍ରଦ, ଦାୟିତ୍ୱପୂର୍ଣ୍ଣ ଓ ଜନକେନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ‘ପ୍ରୟାସ’ (ସାମାଜିକ କ୍ଷେତ୍ରର ଉନ୍ନତି ପାଇଁ ପ୍ରଗତିଶୀଳ ଶାସନ ପ୍ରୟାସ) ଅଧୀନରେ ଶିକ୍ଷା ଓ ପୋଷଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମଗୁଡ଼ିକର ନିୟମିତ ସମୀକ୍ଷା, ତଥ୍ୟଭିତ୍ତିକ ମୂଲ୍ୟାଙ୍କନ ଓ ଲକ୍ଷ୍ୟଭିତ୍ତିକ ହସ୍ତକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଛି । ଏ ନେଇ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଥିଲା । ‘ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ’ କ୍ଷେତ୍ରରେ ଶିଶୁମାନଙ୍କ ଶିକ୍ଷଣ ଫଳାଫଳର ନିୟମିତ ଅନୁଧ୍ୟାନ ପାଇଁ ‘ଶିକ୍ଷଣ ସୋପାନ’ ମାଧ୍ୟମରେ ଶ୍ରେଣୀଭିତ୍ତିକ ଦକ୍ଷତା ମୂଲ୍ୟାଙ୍କନ କରାଯାଉଛି । ସେପ୍ଟେମ୍ବରରୁ ଅକ୍ଟୋବର ୨୦୨୬ ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଶିକ୍ଷଣ ଫଳାଫଳରେ ପଠନ ଓ ଲେଖନ ଦକ୍ଷତା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ଦ୍ୱିତୀୟ ଶ୍ରେଣୀରେ ସଂଖ୍ୟାଜ୍ଞାନ ଦକ୍ଷତାରେ ମଧ୍ୟ ଉଲ୍ଲେଖନୀୟ ଉନ୍ନତି ହୋଇଛି । ପ୍ରଥମ ଓ ତୃତୀୟ ଶ୍ରେଣୀରେ ସଂଖ୍ୟାଜ୍ଞାନ, ବିଶେଷକରି ଗଣିତ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଓ ଶବ୍ଦଭିତ୍ତିକ ଗଣିତ ପ୍ରଶ୍ନରେ ଅଧିକ ଗୁରୁତ୍ୱ ଦେବାରକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଶିକ୍ଷଣ ଫଳାଫଳରେ ଉନ୍ନତି ପାଇଁ ଜିଲ୍ଲାସ୍ତରରେ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତି, ଦୁର୍ବଳ ପ୍ରଦର୍ଶନ ହେଉଥିବା କ୍ଷେତ୍ରଗୁଡ଼ିକୁ ବିଶେଷ ଧ୍ୟାନ ଦିଆଯିବା, ଉନ୍ନତ ପ୍ରଦର୍ଶନ କରୁଥିବା ଜିଲ୍ଲାର କାର୍ଯ୍ୟଶୈଳୀକୁ ଆବଶ୍ୟକ ସ୍ଥଳେ ଅନୁସରଣ ଓ ପୁନଃଶିକ୍ଷଣ, ଶିକ୍ଷକମାନଙ୍କୁ ଶିକ୍ଷଣ ସାମଗ୍ରୀ ଯୋଗାଣ ଏବଂ ଜିଲ୍ଲା ଓ ଗୋଷ୍ଠୀସ୍ତରୀୟ ଶିକ୍ଷା ସମ୍ବଳ ସଂଯୋଜକମାନଙ୍କ ଦ୍ୱାରା ନିୟମିତ ଶ୍ରେଣୀକକ୍ଷ ପରିଦର୍ଶନ ଉପରେ ଗୁରୁତ୍ୱ ଦିଆଯାଉଛି । ଶିକ୍ଷକମାନେ ଶିକ୍ଷଣ ସାମଗ୍ରୀ, ଅକ୍ଷର ଓ ଗଣିତ ଶିକ୍ଷା କିଟ୍ ଏବଂ ପଠନ ପୁସ୍ତକ ଭଳି ସାମଗ୍ରୀକୁ ଶ୍ରେଣୀକକ୍ଷ ଶିକ୍ଷଣରେ ଉପଯୋଗ କରିବା ସହିତ ନିୟମିତ ମୂଲ୍ୟାଙ୍କନ ଆଧାରରେ ଶିକ୍ଷଣ ପଦ୍ଧତିକୁ ଅଧିକ ଫଳପ୍ରଦ କରିବାକୁ ପରାମର୍ଶ ଦିଆଯାଉଛି । ଏହା ସହିତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପୋଷଣ ଓ ସେବା ପ୍ରଦାନ ସ୍ଥିତିର ମଧ୍ୟ ନିୟମିତ ଅନୁଧ୍ୟାନ କରାଯାଉଛି । ମେ’ରୁ ଅକ୍ଟୋବର ୨୦୨୬ ମଧ୍ୟରେ ଟି୨-ଟି୨ ଶ୍ରେଣୀଭୁକ୍ତ ୨୫୫୭ଟି ଅଙ୍ଗନବାଡ଼ି କେନ୍ଦ୍ର, ୩୦ଟି ଜିଲ୍ଲାରେ ଚିହ୍ନଟ ହୋଇ ଛଅ ମାସର ତଥ୍ୟ ଆଧାରରେ ସମୀକ୍ଷା କରାଯାଇଛି । ଅକ୍ଟୋବର ମାସରେ ଏହି କେନ୍ଦ୍ରଗୁଡ଼ିକରେ ୯୪,୫୭୪ ଜଣ ଶିଶୁଙ୍କ ଓଜନ ଓ ଅନ୍ୟାନ୍ୟ ପୋଷଣ ସମ୍ବନ୍ଧୀୟ ମାପ ନିଆଯାଇଥିଲା । ସମୀକ୍ଷାରୁ ଜଣାପଡ଼ିଛି ଯେ, ଜୁନ୍ ମାସରୁ ଅକ୍ଟୋବର ମଧ୍ୟରେ ଗୁରୁତର ପୋଷଣ ସମସ୍ୟା ସମ୍ବନ୍ଧୀୟ ଅଧିକାଂଶ ସୂଚକରେ ଉନ୍ନତି ପରିଲ୍ଲଖିତ ହୋଇଛି । ପୋଷଣ ସେବା ପ୍ରଦାନରେ ମଧ୍ୟ ନିୟମିତ ଅନୁଧ୍ୟାନ ଓ ଉନ୍ନତିମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ପୋଷଣ ଅଭାବ ଥିବା ଶିଶୁମାନଙ୍କ ଚିହ୍ନଟ, ନିୟମିତ ଓଜନ ଓ ଉଚ୍ଚତା ମାପ, ମାତୃ ଓ ଶିଶୁ ପୋଷଣ ପରାମର୍ଶ, ସ୍ୱାସ୍ଥ୍ୟ ବିଭାଗ ସହ ସମନ୍ୱୟ ଏବଂ ଆବଶ୍ୟକ ସ୍ଥଳରେ ଉଚ୍ଚତର ଚିକିତ୍ସା ପାଇଁ ପଠାଇବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ‘ପ୍ରୟାସ’ ଅଧୀନରେ ଏହି ସମୀକ୍ଷା ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେଉଛି ତଥ୍ୟ ଆଧାରରେ ସମସ୍ୟା ଚିହ୍ନଟ କରିବା, ଜିଲ୍ଲା ଓ କ୍ଷେତ୍ରସ୍ତରରେ ଦାୟିତ୍ୱ ନିର୍ଦ୍ଧାରଣ କରିବା, ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ଶିକ୍ଷା ଓ ପୋଷଣ ସେବାର ଗୁଣାତ୍ମକ ମାନକୁ ନିରନ୍ତର ଉନ୍ନତ କରିବା । ଶିଶୁମାନଙ୍କ ଶିକ୍ଷଣ ଦକ୍ଷତା ଓ ସ୍ୱାସ୍ଥ୍ୟ-ପୋଷଣ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ସମସ୍ତ ସମ୍ପୃକ୍ତ ବିଭାଗ, ଜିଲ୍ଲା ପ୍ରଶାସନ, ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଜାରି ରହିଛି । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ କେବଳ ଶିକ୍ଷଣ କାର୍ଯ୍ୟ ନୁହେଁ, ଶିକ୍ଷାର୍ଥୀଙ୍କ ଶିଖିବାର ଅଗ୍ରଗତିର ନିୟମିତ ମୂଲ୍ୟାୟନ ଓ ଆବଶ୍ୟକ ଅନୁଯାୟୀ ସୁଧାରମୂଳକ ଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷାର୍ଥୀଙ୍କ ଦକ୍ଷତା ଅନୁଯାୟୀ ଶିକ୍ଷଣ ପଦ୍ଧତି ଗ୍ରହଣ କରିବା ସହ ଶ୍ରେଣୀକକ୍ଷରେ ଶିକ୍ଷଣକୁ ଅଧିକ ଆକର୍ଷଣୀୟ, ସହଭାଗୀତାମୂଳକ ଓ ଫଳପ୍ରଦ କରିବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିଶୁଙ୍କ ପୋଷଣ ସ୍ଥିତିର ନିୟମିତ ନିରୀକ୍ଷଣ, ପୁଷ୍ଟିକର ଖାଦ୍ୟ ପ୍ରଦାନ, ଘର ପରିଦର୍ଶନ ଓ ଅଭିଭାବକଙ୍କ ସହ ସଚେତନତାମୂଳକ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା । ଶିଶୁଙ୍କ ପୋଷଣ ଓ ସ୍ୱାସ୍ଥ୍ୟ ସ୍ଥିତିରେ ସୁଧାର ଆଣିବା ପାଇଁ କ୍ଷେତ୍ରସ୍ତରରେ ସମନ୍ୱିତ ପ୍ରୟାସ ଜାରି ରଖିବାକୁ ଗୁରୁତ୍ୱ ଦିଆଯାଇଛି ।
